ବେଙ୍ଗାଲୁରୁ, ୩।୪: ଶିକ୍ଷା ମନ୍ଦିରରେ ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିଛି । କ୍ଲାସରୁମ୍ ଭିତରେ ଜଣେ ମେଡିକାଲ ଛାତ୍ରୀଙ୍କୁ ପ୍ରପୋଜ୍ କରିବା ପ୍ରଫେସରଙ୍କୁ ଭାରି ପଡ଼ିଛି । ଚକୋଲେଟ୍ ଓ ଫୁଲ ଧରି ପ୍ରେମ ନିବେଦନ କରିବାକୁ ଯାଇଥିବା ପ୍ରଫେସରଙ୍କୁ ଛାତ୍ରୀଜଣକ ଚପଲରେ ନିସ୍ତୁକ ପିଟିବା ସହ ଅନ୍ୟ ଛାତ୍ରମାନେ ମଧ୍ୟ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ବେଙ୍ଗାଲୁରୁ ଉପକଣ୍ଠ ନେଲମଙ୍ଗଳା ସ୍ଥିତ ସିଦ୍ଧାର୍ଥ ମେଡିକାଲ କଲେଜରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଏହା ବି ପଢ଼ନ୍ତୁ... ବିମାନରେ ୬୦% ମାଗଣା ସିଟ୍ ଦେବା ପ୍ରସ୍ତାବ ସ୍ଥଗିତ, ଘୋଷଣାର ସପ୍ତାହ ପରେ ପ୍ରତ୍ୟାହାର

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଫେସରଙ୍କ ନାମ ଅବଦୁଲ ରହମାନ ଶରିଫ, ଯିଏ କି କଲେଜର ମାଇକ୍ରୋବାୟୋଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । ସେ କ୍ଲାସରୁମ୍ ଭିତରେ ଜଣେ ଛାତ୍ରୀଙ୍କୁ ଚକୋଲେଟ୍ ଓ ଗୋଲାପ ଫୁଲ ଦେଇ ପ୍ରପୋଜ୍ କରିବାକୁ ଚେଷ୍ଟା କରିଥିଲେ । ତେବେ ଛାତ୍ରୀଜଣକ ଏହାର ତୀବ୍ର ବିରୋଧ କରିବା ସହ ଅନ୍ୟ ସହପାଠୀଙ୍କୁ ଜଣାଇଥିଲେ । ଉତ୍ତ୍ୟକ୍ତ ପ୍ରଫେସର ଜଣକ ଘଟଣାରୁ ନିଜକୁ ବଞ୍ଚାଇବା ପାଇଁ କହିଥିଲେ ଯେ, ଛାତ୍ରୀଜଣକ ନିଜେ ତାଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ ଏବଂ ତାଙ୍କ ପାଖରେ ସିସିଟିଭିରେ ଏହାର ପ୍ରମାଣ ଅଛି । ଏହି କଥା ପ୍ରଘଟ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ଖେଳିଯାଇଥିଲା ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଛାତ୍ରୀଜଣକ ଅତ୍ୟନ୍ତ କ୍ରୋଧିତ ହୋଇ ନିଜ ଚପଲ ଖୋଲି ପ୍ରଫେସରଙ୍କୁ ପିଟିବା ଆରମ୍ଭ କରିଥିଲେ । ଏହା ପରେ ଶତାଧିକ ଛାତ୍ର ଏକତ୍ରିତ ହୋଇ ପ୍ରଫେସରଙ୍କୁ ଘେରି ଯାଇଥିଲେ । କ୍ୟାମ୍ପସରୁ ପାର୍କିଂ ପର୍ଯ୍ୟନ୍ତ ପ୍ରଫେସରଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଇଥିଲା । ଏପରିକି ତାଙ୍କ କାର୍ ପାଖରେ ମଧ୍ୟ ତାଙ୍କୁ ନିସ୍ତୁକ ପିଟାଯାଇଛି । ସେ ରକ୍ତାକ୍ତ ହେବା ସତ୍ତ୍ୱେ କୌଣସି ମତେ ଜୀବନ ବଞ୍ଚାଇ ସେଠାରୁ ଫେରାର ହୋଇଯାଇଥିଲେ ।

କଲେଜ କର୍ତ୍ତୃପକ୍ଷଙ୍କ କଠୋର ଆଭିମୁଖ୍ୟ:

ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପ୍ରିନ୍ସିପାଲ୍ ଦିବାକର ଏସ.ପି. ଅଭିଯୁକ୍ତ ପ୍ରଫେସରଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି । ପ୍ରିନ୍ସିପାଲ୍‌ଙ୍ କହିବା ଅନୁଯାୟୀ, ପ୍ରଫେସର ଅବଦୁଲଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଛାତ୍ରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ତାଙ୍କୁ କଲେଜ କ୍ୟାମ୍ପସକୁ ନଆସିବା ପାଇଁ ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ସେ ନିଷେଧାଦେଶ ସତ୍ତ୍ୱେ କଲେଜ ଆସି ଜଣେ ଛାତ୍ରୀଙ୍କ ହାତ ଜବରଦସ୍ତି ଧରିବା ସହ ଅଶ୍ଳୀଳ ବ୍ୟବହାର କରିଥିଲେ ।

FIR ରୁଜୁ ଓ ପୁଲିସ ତଦନ୍ତ:

ଏହି ମାମଲାରେ କର୍ଣ୍ଣାଟକ ପୁଲିସ ପ୍ରିନ୍ସିପାଲ୍‌ଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ ଯେ, ଏହି କଲେଜର ମାଲିକ ହେଉଛନ୍ତି କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱର, ଯେଉଁଥିପାଇଁ ପ୍ରଶାସନ ଏହି ମାମଲାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି । ବର୍ତ୍ତମାନ ପୁଲିସ ଭାଇରାଲ ଭିଡିଓକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।