ପ୍ରମୂଖ ଖବର

ପହଲଗାମ ଆକ୍ରମଣ: ଉଚ୍ଚସ୍ତରୀୟ ବୈଠକ ପରେ ମୋଦୀଙ୍କୁ ଭେଟିଲେ ଅମିତ ଶାହ ଏବଂ ମୋହନ ଭାଗବତ

Published By : Tapas Panda | April 29, 2025 9:31 PM

Image Courtesy: ndtv

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ତିନି ସେନାର ମୁଖ୍ୟଙ୍କ ସହ ବୈଠକ ଶେଷ ହେବା ପରେ ପିଏମ ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଆରଏଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆରଏସଏସ ମୁଖ୍ୟଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଅନିଲ ଚୌଧୁରୀ ଏବଂ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ଉଚ୍ଚସ୍ତରୀୟ ବୈଠକ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।

ସିସିଏସ୍ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ସେନାଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ଆତଙ୍କବାଦୀଙ୍କୁ ଏକ ଶିକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୟ ଏବଂ ଟାର୍ଗେଟ ସ୍ଥିର କରିବା ପାଇଁ ସେନାକୁ ସ୍ୱାଧୀନତା ଦେଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆତଙ୍କବାଦକୁ ଉପଯୁକ୍ତ ଜବାବ ଦେବା ଆମର ଜାତୀୟ ସଂକଳ୍ପ। ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସଶସ୍ତ୍ର ବାହିନୀର ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଆମର ପ୍ରତିକ୍ରିୟାର ପଦ୍ଧତି, ଲକ୍ଷ୍ୟ ଏବଂ ସମୟ ଉପରେ ନିଷ୍ପତ୍ତି ନେବାକୁ ସେନାର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ୨୬ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିବା ପରେ ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ଥିବାବେଳେ ସମଗ୍ର ବିଶ୍ୱ ଏହି ଆକ୍ରମଣକୁ ନିନ୍ଦା କରିଛି । ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧରେ ଭାରତ ସହ ଛିଡା ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅନେକ ଦେଶ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.