ନୂଆଦିଲ୍ଲୀ ୨୭/୦୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ଦିବ୍ୟ, ଭବ୍ୟ ମହାକୁମ୍ଭ । ସନାତନ ଧର୍ମର ଆସ୍ଥାର ଏହି ମହାପର୍ବରେ ସାମିଲ ହୋଇ ଅମୃତକାଳର ସାକ୍ଷୀ ହେବାକୁ ଦେଶ ବିଦେଶରୁ ପ୍ରତିଦିନ ସେଠାକୁ ପହଞ୍ଚୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ପୌଷପୂର୍ଣ୍ଣିମାରୁ ଅଦ୍ୟାବଧି ସଙ୍ଗମରେ ମୋଟ ୧୨ କୋଟି ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ସାରିଲେଣି। ଜାନୁଆରୀ ୨୯ରେ ମୌନି ଅମାବାସ୍ୟା ଥିବା ବେଳେ ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁ ଅମିତ ବୁଡ଼ ପକାଇବା ନେଇ ୟୁପି ସରକାର ଅନୁମାନ କରିଛି। ଏହା ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାର କାର୍ଯ୍ୟକ୍ରମ ରହିଛି।
ସୋମବାର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଇବେ। ପରେ ଶୟନ ହନୁମାନଙ୍କ ଦର୍ଶନ କରିବା ସହ ଅକ୍ଷୟ ବଟ ବୃକ୍ଷର ଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହ। ମହାକୁମ୍ଭରେ ଅନେକ ସନ୍ଥ ସହ ଆଲୋଚନା କରିବା ସହ ଜୁନା ଆଖଡ଼ା ଯିବାର ସ୍ବରାଷ୍ଟ୍ରମନ୍ତ୍ରୀ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ସାଢ଼େ ୫ଟରେ ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଏଥିପାଇଁ ସଙ୍ଗମ ସ୍ଥଳିରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଆହୁରି ମଜୁବତ କରାଯାଇଛି। ପୂର୍ବ ଅପେକ୍ଷା ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବା ସହ ସିସିଟିଭି ଦ୍ବାର ନଜର ରଖାଯାଇଛି।
ଫେବ୍ରୃଆରୀ ୧ରେ ୭୩ଟି ଦେଶର କୂଟନୀତିଜ୍ଞ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବାକୁ ଯାଉଛନ୍ତି। ପରସ୍ପରର ଘୋର ବିରୋଧୀ ବୋଲି ମନେ କରାଯାଉଥିବା ରୁଷ୍ ଓ ୟୁକ୍ରେନ୍ର ରାଷ୍ଟ୍ରଦୂତ ମଧ୍ୟ ସେଦିନ ଏହି ଐତିହାସିକ ଆୟୋଜନରେ ଏକସଙ୍ଗରେ ସାମିଲ ହେବେ । ଏହି ବୈଶ୍ୱିକ ଆୟୋଜନ ଗଙ୍ଗା କୂଳରେ ଭିନ୍ନ ଭିନ୍ନ ସଂସ୍କୃତି ଓ ବିଚାରଧାରା ମଧ୍ୟରେ ଏକ ନିଆରା ସମନ୍ୱୟର ବାର୍ତ୍ତା ଦେବ । ମହାକୁମ୍ଭ ମେଳାଧିକାରୀ ବିଜୟ କିରଣ ଆନନ୍ଦ ଏହି ସୂଚନା ଦେଇଛନ୍ତି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ୟୁପିର ମୁଖ୍ୟ ସଚିବଙ୍କୁ ଏ ସଂକ୍ରାନ୍ତରେ ପତ୍ର ମଧ୍ୟ ଲେଖାଯାଇଛି ।