ନୂଆଦିଲ୍ଲୀ : ପ୍ରେମ, କେତେବେଳେ ଆଉ କାହା ସାଥୀରେ ହୁଏ ତାହା କାହାକୁ ବି ଜଣା ନଥାଏ । ପ୍ରେମ ଦେଖେନା ଜାତି କି ଧର୍ମ । ପ୍ରେମ ଦେଖେନା ବୟସର ତାରତମ୍ୟ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଆନ୍ଧ୍ରପ୍ରଦେଶରୁ ଆସିଛି । ଏବେ ଏମିତି ଏକ ଯୋଡ଼ିଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । କାରଣ ଝିଅ ବହୁତ ସୁନ୍ଦର ହୋଇଥିବାବେଳେ ପୁଅ କଳା, କମ୍ ଉଚ୍ଚତା ସାଙ୍ଗକୁ ଅଲଗା ଧର୍ମର । ତଥାପି ସେମାନଙ୍କ ବିବାହ ହୋଇଛି । ଯେଉଁଥିରେ ପରିବାର ଲୋକେ ପାଲଟିଛନ୍ତି ଖଳନାୟକ । ନିଜର ପ୍ରେମ କାହାଣୀ ସମ୍ପର୍କରେ ଉଭୟ କହିଥିବାବେଳେ ଏହା ଭାଇରାଲ ହେବାରେ ଲାଗିଛି ।
ଯୁବକ ଜଣକ କହିଛନ୍ତି କି, ମୁଁ ମୁସଲିମ୍ ସେ ହିନ୍ଦୁ । ମୁଁ କଳାଟା ସେ ଗୋରା । ସେ ମୋଠାରୁ ବହୁ ଉଚ୍ଚ । ହେଲେ ଆମ ଭଲ ପାଇବା ନବମ ଶ୍ରେଣୀରୁ ହୋଇଛି ଏବେ ବାହା ହୋଇଛୁ । କିନ୍ତୁ ଆମ ପଛରେ ପଡ଼ିଯାଇଛନ୍ତି ପରିବାର । ଏହାସହ ସାମାଜିକ ତାତ୍ସଲ୍ୟ ମଧ୍ୟ ଆମକୁ ଅଧିକ କଷ୍ଟ ଦେଉଛି । ସୋସିଆଲ ମିଡିଆରେ ଶଶୀ ନିଜର ଦୁଃଖ ପ୍ରକାଶ କରିଥିବାବେଳେ ୟୁଜର୍ସମାନେ ତାଙ୍କୁ ସାହସ ଦେଉଥିବା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ରାଜୁପେଟାରୁ ସାମ୍ନାକୁ ଆସିଥିବା ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ସ୍କୁଲରୁ । ଆଉ ଏବେ ଏହା ବିବାହର ରୂପ ନେଇଛି । ସେପଟେ ଯୁବତୀ ଜଣକ କହିଛନ୍ତି କି, ମୁଁ ତାଙ୍କ ରଙ୍ଗ କିମ୍ବା ଚେହେରାକୁ ଦେଖିନାହିଁ । ମୁଁ ତାଙ୍କ ହଦୟକୁ ଦେଖି ଭଲ ପାଇଛି । ପ୍ରେମ ଯେତେ ଗଭୀର ପଥ ସେତିକି କଷ୍ଟକର ।
ଉଭୟ ସ୍ବାବଲମ୍ବୀ ଅଛନ୍ତି । ଯିଏ ଯାହା କହୁ ଏହାକୁ ସେମାନେ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି । ସେମାନେ ନିଜର ପ୍ରେମକୁ ପ୍ରକାଶ କରିଛନ୍ତି । ଶଶି ବର୍ତ୍ତମାନ ଜିଲ୍ଲା କୋର୍ଟରେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ, ଏବଂ ଯୁବତୀ ଜଣକ ଏକ ମେଡିକାଲ ଷ୍ଟୋରରେ କାମ କରି ସ୍ୱାବଲମ୍ବୀ। ଯେତେବେଳେ ପରିବାର ସଦସ୍ୟଙ୍କ ଚାପ ବୃଦ୍ଧି ପାଇଲା ଏବଂ ସେମାନେ ଅନୁଭବ କଲେ ଯେ ସେମାନଙ୍କ ଜୀବନ ବିପଦରେ ଅଛି, ସେତେବେଳେ ଦମ୍ପତି ଦୃଢ଼ ଭାବରେ ଅଟଳ ରହିଲେ। ସେମାନେ ଏନୁକୁଦୁରୁପେଟା ପୋଲିସ ଷ୍ଟେସନରେ ଆଶ୍ରୟ ନେଲେ ଏବଂ ସୁରକ୍ଷା ପାଇଁ ନିବେଦନ କଲେ। ସେମାନେ ପୋଲିସକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଯାହା ହେଉନା କାହିଁକି, ସେମାନେ ପରସ୍ପରକୁ ଛାଡ଼ିବେ ନାହିଁ। ପୁଲିସ ସେମାନଙ୍କୁ ସୁରକ୍ଷା ଦେଇଥିବାବେଳେ କୋର୍ଟ ମ୍ୟାରେଜ କରିଛନ୍ତି । ପ୍ରେମର ପରିଭାଷା ବୁଝାଇଥିବା ଏହି ଯୋଡ଼ିଙ୍କୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।
ଏହାସହ ପଢ଼ନ୍ତୁ : ରେଲଓ୍ବେ ଟ୍ରାକରେ ଶୋଇ ଭିଡିଓ କରୁଥିଲେ, ଭାଇରାଲ ପରେ ୟୁଜର୍ସ କହିଲେ….