ନୂଆଦିଲ୍ଲୀ,୦୬/୦୧: ପ୍ରଥମେ ଦୀପୁ ଚନ୍ଦ୍ର ଦାସ । ତା ପରେ ଅମୃତ ମଣ୍ଡଳ ଆଉ ବଜେନ୍ଦ୍ର ବିଶ୍ୱାସ । ଖୋକନ ଚନ୍ଦ୍ର ନାୟକଙ୍କ ପରେ ରାଣା ପ୍ରତାପ । ଆଉ ଏବେ ମଣି ଚକ୍ରବର୍ତ୍ତୀ । ହିଂସାର ନିଆଁରେ ଜଳୁଥିବା ବାଂଲାଦେଶ ରକ୍ତମୁଖା ହୋଇଛି । ମାରିଯାଇଛି ମାନବିକାତା । ମନରେ ଭରି ରହିଛି ଘୃଣା ଆଉ ଘୃଣା । ବଂଲାଦେଶରେ ହିନ୍ଦୁଙ୍କ ଉପରେ ଥମୁନି ଅତ୍ୟାଚାର । କିଛି ଦୋଷ ନଥାଇ ବି ହିନ୍ଦୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଉଛି । ୨୪ ଘଣ୍ଟାରେ ୨ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି । ଆଜି ଜଣେ ତେଜରାତି ବ୍ୟବସୀୟଙ୍କୁ ହତ୍ୟା କରାଯାଇଛି । ୧୯ ଦିନରେ ୬ ଜଣ ହିନ୍ଦୁ ହତ୍ୟାର ଶିକାର ହୋଇଛନ୍ତି । ଗତକାଲି ରାଣା ପ୍ରତାପ ବୈରାଗୀ (୪୫)ଙ୍କୁ ହତ୍ୟା କରାଯାଇଥିଲା ।

​​​​​​​ତେଜରାତି ବ୍ୟବସାୟୀଙ୍କୁ ମାରିଦେଲେ- ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି । ତାଜା ରିପୋର୍ଟ ଅନୁସାରେ ନରସିଂଦି ଜିଲ୍ଲାରେ ଜଣେ ତେଜରାତି ସାମଗ୍ରୀ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି । ତାଙ୍କ ନାମ ମଣି ଚକ୍ରବର୍ତ୍ତୀ । ସୋମବାର ରାତି ପ୍ରାୟ ୮ଟାରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଚାରସିନ୍ଦୁର ବଜାରରେ ମଣିଙ୍କର ଏକ ତେଜରାତି ସାମଗ୍ରୀ ଦୋକାଲ ଅଛି । ସବୁଦିନ ପରେ ମଣି ଦୋକାନରେ ବସିଥିଲେ । ସେହି ସମୟରେ କିଛି ଅଜ୍ଞାତ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଲେ ଅଧା ବଟାରେ ଆଖି ବୁଜିଥିଲେ ମଣି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସେଠାକାର ବ୍ୟବସାୟୀଙ୍କ ଅନୁସାରେ ମଣି ବହୁତ ଶାନ୍ତ ସ୍ୱଭାବର ଲୋକ ଥିଲେ । ତାଙ୍କ ସହ କାହାର ବିବାଦ ନଥିଲା ।


୧୯ ଦିନରେ ଷଷ୍ଠ ଘଟଣା-  ହିଂସାର ନିଆଁରେ ଜଳୁଥିବା ବାଂଲାଦେଶରେ ପ୍ରଥମେ ୧୮ ଡିସେମ୍ବର, ୨୦୨୫ରେ ଦୀପୁ ଚନ୍ଦ୍ର ଦାସଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଥିଲେ। ତା ପରେ ତାଙ୍କ ମୃତଦେହକୁ ଗଛରେ ଟଙ୍ଗି ପୋଡ଼ି ଦେଇଥିଲେ । ସୋସିଆଲ ମିଡିଆରେ ହତ୍ୟା ସମୟରେ ଭିଡିଓ ଭାଇରାଲ ହୋଇଥିଲା ଯାହ ଛାତିଥରା ଥିଲା । ଏହା ପରେ ଡିସେମ୍ବର ୨୫ରେ ଏକ ଭିଡ଼ ହିଂସାରେ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ, ଡିସେମ୍ବର ୨୯ରେ, ମେହରାବାରି ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସମୟରେ ବଜେନ୍ଦ୍ର ବିଶ୍ୱାସ (୪୨)ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ଆଉ ଜଣେ ହିନ୍ଦୁ ଖୋକନ ଦାସଙ୍କୁ ଆକ୍ରମଣ ହୋଇଥିଲା । ଜୀବନ ମୃତ୍ୟୁ ସହ ଲଢେଇ ପରେ ଗତ ଶନିବାର ସେ ଆଖି ବୁଜିଥିଲେ । ଏହାପରେ ଗତକାଲି ରାଣା ପ୍ରତାପ ବୈରାଗୀ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିଲେ । ୨୪ ଘଣ୍ଟା ଭିତରେ ଆଉ ଜଣେ ହତ୍ୟାର ଶିକାର ହୋଇଛନ୍ତି ।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ବଢି ଚାଲିଛି । ଏ ହିଂସା ଘୃଣାର ନିଆଁରେ କେବେ ଥମିବ ହିନ୍ଦୁଙ୍କ ଉପରେ ଆକ୍ରମଣ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଛାତ୍ର ନେତା ଉସମାନ ହାଦୀଙ୍କୁ ହତ୍ୟା ପରେ ଅଶାନ୍ତ ଆରମ୍ଭ ହୋଇଛି ।