ବାଲିକୁଦା,୨୦/୦୭: ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ଜଗତସିଂହପୁର ଜିଲ୍ଲା ଅଁଳା ପଞ୍ଚାୟତ  ଅଁଳା (କବିରପାଟଣା)ଗାଁର ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ  ସେଠୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ୁଛି  ରହସ୍ୟ । ଏହା ହତ୍ୟା ନା' ଆତ୍ମହତ୍ୟା ସେଥିନେଇ  ସସ୍‌ପେନ୍ସ ଏବେ ବି ଲାଗି ରହିଛି । ପତ୍ନୀ ରଶ୍ମିରେଖା  ଭୂୟାଁ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ଯିଏକି ରଶ୍ମିରେଖାଙ୍କ ଉପରିସ୍ଥ ଅଧିକାରୀ ବୋଲି କୁହାଯାଉଛି ଏହି ଦୁଇ ଜଣଙ୍କ ନାଁରେ ରଶ୍ମିରଞ୍ଜନଙ୍କ ଦାଦା ଲକ୍ଷ୍ମୀଧର ସେଠୀ  ଆଣିଛନ୍ତି ସଂଗିନ ଅଭିଯୋଗ । ଇଞ୍ଜିନିୟର ସଂଘ ବି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ।

ସେପଟେ ପୂର୍ବରୁ ଫେରାର ଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଶ୍ମିରେଖାକୁ ୩ ଘଣ୍ଟା ଧରି ସହଦେବ ଖୁଣ୍ଟା ପୁଲିସ ଜେରା କରିଛି । କେବଳ ତାଙ୍କୁ ନୁହେଁ ତାଙ୍କର ସେହି ତଥା କଥିତ ପୁରୁଷ  ବନ୍ଧୁଙ୍କୁ ମଧ୍ୟ ଠାବ କରି ଥାନାକୁ ଆଣି ଜେରା ପରେ ଜେରା କରି ମୃତ୍ୟୁ ରହସ୍ୟର ଖିଅ ଖୋଜି ଚାଲିଛି । ଏହି ଦୁଇ ଜଣଙ୍କ ବ୍ୟତୀତ ଏଥିରେ ଆହୁରି ୮ରୁ ୧୦ ଜଣଙ୍କୁ ଥାନାକୁ ଡାକି ଜେରା କରାଯାଇଥିବା  ଥାନାଧିକାରୀ ଆଲୋକ ବେହେରା କହିଥିବା ବେଳେ  ଯେହେତୁ ତଦନ୍ତ ଚାଲିଛି ଓ ସନ୍ଦେହ ଉପୁଜୁଥିବା  ବ୍ୟକ୍ତିଙ୍କୁ ଆଣି ପଚରା ଉଚରା  କରାଯାଉଛି । ସେ ଦୃଷ୍ଟିରୁ ଅଧିକ  କିଛି କହିବା ବା ତଥ୍ୟ ପ୍ରଦାନ  କରି ହେବ ନାହିଁ ବୋଲି କହିଛନ୍ତି ।  

​​​​​​​ଅଧିକ ପଢ଼ନ୍ତୁ :-  ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ପକ୍ଷାଘାତରେ ପୀଡ଼ିତ ବାପା- ମା'ଙ୍କ ଆଖିରୁ ଶୁଖୁନି ଲୁହ, ପତ୍ନୀ ପାଇଁ ଦେଢ଼ କୋଟିର ଜାଗା କିଣିଥିଲେ ରଶ୍ମି

ସବୁଠାରୁ ବଡ଼ କଥା ହେଲା ଘଟଣା  ଦିନ ରାତିରେ ମୃତ ରଶ୍ମିରଞ୍ଜନଙ୍କୁ ମେଡିକାଲ୍‌ ବେଡ୍‌ରେ ଶୁଆଇ  ଦେଇ କିଏ କୁଆଡ଼େ ଫେରାର୍‌  ହୋଇଯାଇଥିଲେ । ଆଉ ସେହି  କାରଣରୁ ରଶ୍ମିରଞ୍ଜନଙ୍କ ମୃତ୍ୟୁକୁ  ନେଇ ସନ୍ଦେହ ଜାତ ହୋଇଥିଲା । ସେପଟେ  ସେବେଠାରୁ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲ୍‌  ଫୋନ୍‌ ବନ୍ଦ ରହିଥିବା ବେଳେ ପୁଲିସ ଚତୁରତାର ସହ  ଅନ୍ୟ କୌଣସି ନମ୍ବର ପାଇ ତାଙ୍କୁ ଥାନାକୁ ଡାକି ଜେରା  କରିଥିବା ଜାଣିବାକୁ ମିଳିଛି ।

ଗତ ୧୬ ତାରିଖରେ  ପତ୍ନୀ ରଶ୍ମିରେଖାଙ୍କ ଜନ୍ମ ଦିନରେ ଯୋଗ ଦେବାକୁ  କଟକରେ ଚାକିରି କରି ଭୁବନେଶ୍ୱରରେ ରହି ଆସୁଥିବା  ରଶ୍ମିରଞ୍ଜନ ୧୫ ତାରିଖରେ ନିଜ ଗାଁ ଅଳାକୁ ଆସି ବୃଦ୍ଧ  ବାପା ବୋଉଙ୍କୁ ଦେଖାଶୁଣା କରି ପରେ ବାଲେଶ୍ୱରର  ପତ୍ନୀ ରହୁଥିବା ସ୍ଥାନକୁ ଯାଇଥିଲେ ଓ ପତ୍ନୀଙ୍କ  ଜନ୍ମ ଦିନ ସେଲିବ୍ରେସନ୍‌ରେ ଯୋଗ ଦେଇଥିଲେ ।  ସେଠାକୁ ମଧ୍ୟ ସେହି ପୁରୁଷ ବନ୍ଧୁ ଆସିଥିଲେ ।

ଏବେ ରଶ୍ମିରେଖାଙ୍କ ଭଡ଼ା ଘରକୁ କେତେକ ଲୋକ  ରାତିରେ ଆସିଥିବା ସିସି କ୍ୟାମେରାରୁ ସ୍ପଷ୍ଟ ହେଉଛି ।  ତେବେ ଏକ ସୁଇ ସାଇଡ୍‌ ନୋଟ୍‌ ଜବତ ହୋଇଛି ।  ହେଲେ ସେ ମୃତ ରଶ୍ମିରଞ୍ଜନଙ୍କର କି ନୁହେଁ ସେ  ଦିଗରେ ଅଧିକ ଖୋଳତାଡ଼ କରୁଛି ପୁଲିସ । ଯଦି  ରଶ୍ମିରଞ୍ଜନ ସୁଇସାଇଡ୍‌ କରିଥାନ୍ତି ଓ ସୁଇସାଇଡ୍‌ ନୋଟ୍‌  ବି ତାଙ୍କର ହୋଇଥିବ ତେବେ ତାଙ୍କର ମୃତ୍ୟୁ ପରେ  ମେଡିକାଲ୍‌ରେ ମୃତଦେହ ଛାଡ଼ି କାହିଁକି କିଏ କୁଆଡ଼େ  ଚାଲି ଯାଇଥିଲେ? ଏପରିକି ତାଙ୍କ ପତ୍ନୀ ରଶ୍ମିରେଖା ମଧ୍ୟ । ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି ।