ହିନ୍ଦୁ ନାବାଳିକାଙ୍କୁ ଅପହରଣ ପରେ କରାଯାଉଛି ଧର୍ମ ପରିବର୍ତ୍ତନ ଓ ବଳପୂର୍ବକ ବିବାହ

କରାଚି ୨୭।୩: ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇ ଧର୍ମ ପରିବର୍ତ୍ତନ ଓ ବଳପୂର୍ବକ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ସପ୍ତାହ ଭିତରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ଦୁଇ ନାବାଳିକା ହିନ୍ଦୁ ଝିଅଙ୍କୁ ଅପହରଣ କରାଯାଇ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଥିଲା। ଜାଣିବାକୁ ମିଳିଛି ଯେ ୧୬ ବର୍ଷୀୟା ଏହି ନାବାଳିକା ଜଣକ ପାକିସ୍ତାନର ବଦିନ ଜିଲ୍ଲାର ତାଣ୍ଡୋ ବାଘ ଅଞ୍ଚଳରେ ଥିବା ମେଘଓ୍ଵାର ସଂପ୍ରଦାୟର।
ପୀଡ଼ିତାଙ୍କ ବାପା ବଦିନ ଏସ୍ଏସ୍ପି ସର୍ଦ୍ଦାର ହସନ ନିଆଜିଙ୍କ ଆଗରେ ଏହି ଅଭିଯୋଗ କରି ମାମଲା ରୁଜୁ କରିବାକୁ କହିଛନ୍ତି। ତେବେ, ଏଯାବତ୍ ସ୍ପଷ୍ଟ ହୋଇନାହିଁ ଯେ ପୀଡ଼ିତା ଜଣଙ୍କୁ କେତେବେଳେ ଅପହରଣ କରାଯାଇଥିଲା। ସିନ୍ଧ୍ ବାଲ ବିବାହ ନିଷେଧ ଅଧିନିୟମ ୨୦୧୩ ଅଧୀନରେ ବିବାହ ବୟସ ଅର୍ଥାତ ୧୮ ବର୍ଷରେ ପାଦ ରଖିନଥିବା ଝିଅଙ୍କର ବିବାହ କରାଇବା ଆଇନ୍ ବିରୋଧୀ।
ଉଲ୍ଲେଖଯୋଗ୍ୟ, ନିକଟରେ ପାକିସ୍ତାନୀ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିଲା ଯେ ଏକ ଭିଡିଓରେ ଦେଖିବାକୁ ମିଳିଛି କି ୧୩ ଓ ୧୫ ବର୍ଷୀୟା ଦୁଇ ନାବାଳିକାଙ୍କୁ ବଳପୂର୍ବକ ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ପାକିସ୍ତାନରେ ଦୁଇ ନାବାଳିକା ହିନ୍ଦୁ ଝିଅଙ୍କୁ ଅପହରଣ କରି ବଳପୂର୍ବକ ମୁସ୍ଲମାନ ଧର୍ମକୁ ଧର୍ମାନ୍ତର କରିବାର ସପ୍ତାହ ବିତିଯିବା ପରେ ଇସ୍ଲାମିକ୍ ହାଇକୋର୍ଟ ସେହି ଝିଅମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ଗତକାଲି ନିର୍ଦେଶ ଦେଇଥିଲେ।