ନୂଆଦିଲ୍ଲୀ,୧୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜାରି ସ୍ପେଶାଲ ଇନଟେନସିଭ୍ ରିଭିଜନରେ ବଡ଼ ଖୁଲାସା ହୋଇଛି। ନିର୍ବାଚନ କମିଶନ୍ ପକ୍ଷରୁ କୁହାଯାଇଛି ବିହାରରେ ଭୋଟର ଲିଷ୍ଟରେ ବହୁ ସଂଖ୍ୟାରେ ବିଦେଶୀ ନାଗରିକଙ୍କ ନାଁ ରହିଛି। ଯେଉଁଥିରେ ନେପାଳ, ମିଆଁମାର ଓ ବାଂଲାଦେଶର ସିଟିଜେନ୍ ରହିଛନ୍ତି। ‘ଡୋର ଟୁ ଡୋର’ ରିସର୍ଚ୍ଚରୁ ଏହା ଜଣାପଡିଛି। ଏହି ବିଦେଶୀଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ୍ କାର୍ଡ ମଧ୍ୟ ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଫାଇନାଲ ଭୋଟର ଲିଷ୍ଟରେ ଏହି ନାଁ ରହିବନି। ଏସଆଇଆରର ଉଦେଶ୍ୟ ବେଆଇନ ମତଦାତାଙ୍କୁ ସୂଚୀରୁ ବାହାର କରିବ। ମତଦାତାଙ୍କ ନାଁରେ ଜାରି ରାଜନୀତି ଭିତରେ ତଥ୍ୟ ଉଜାଗାର ହେବା ଦ୍ବାରା ରାଜନୀତି ଦୁନିଆରେ ହଇଚଇ ସୃଷ୍ଟି ହୋଇଛି। କାରଣ କଂଗ୍ରେସ ସହିତ ମହାମେଣ୍ଟର ସବୁ ଦଳ ଏହି ଅଭିଯାନକୁ ଖୁବ୍ ବିରୋଧ କରୁଛନ୍ତି।
ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ନିର୍ବାଚନ କମିଶନ୍ କହିଛନ୍ତି, ୨୦ ଡିସେମ୍ବରରେ ପ୍ରକାଶିତ ହୋଇଥିବା ଅନ୍ତିମ ମତଦାତା ସୂଚୀରୁ ଏହି ସବୁର ନାଁ ହଟାଇ ଦିଆଯିବ। କମିଶନ୍ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଦେଶରେ ମତଦାତା ସୂଚୀରୁ ଏହି ସମସ୍ତଙ୍କ ନାଁ ହଟାଇ ଦିଆଯିବ। କମିଶନ୍ଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ପୁରା ଦେଶରେ ମତଦାତା ଭେରିଫିକେସନ୍ ଚଳାଯିବ। ଫଳରେ ବିଦେଶୀ ଅନୁପ୍ରବେଶକାରୀ ଯେଉଁମାନେ ଭୁଲ ଭାବରେ କାର୍ଡ ହାସଲ କରି ଭୋଟର ହୋଇଛନ୍ତି, ମତଦାନ ସୂଚୀରୁ ବାହାର କରି ଦିଆଯିବ। ଏଥିପାଇଁ ତାଙ୍କ ଜନ୍ମସ୍ଥାନର ଭେରିଫିକେସନ୍ କରାଯିବ।
ନିର୍ବାଚନ କମିଶନ ଆହୁରି କହିଛନ୍ତି ଯେ, ଶନିବାର ପର୍ଯ୍ୟନ୍ତ ବିହାରରେ ଜାରି ଏସଆଇଆରରେ ୮୦.୧୧ ପ୍ରତିଶତ ମତଦାତା ନିଜର ଫର୍ମ ଜମା କରିଛନ୍ତି। ନିର୍ଦ୍ଧାରିତ ସମୟ ସୀମା (୨୫ ଜୁଲାଇ ପର୍ଯ୍ୟନ୍ତ) ଫର୍ମ ଜମା କରିବାର କାମ ପୁରା କରି ଦିଆଯିବ। ବିହାରରେ ଚଳିତ ବର୍ଷ ଅକ୍ଟୋବର -ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ରାଜନୈତିକ ପରିବେଶ ଖୁବ୍ ସରଗରମ ରହିଛି।