ବେଲବାହାଳୀ,୨୦/୧୧ : ୨୦ନଂ ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳି ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିବାବେଳେ ଆଜି ଆଉ ଏକ ଲୁହାପଥର ବୋଝେଇ ଟ୍ରକ୍ ସେହି ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଉପରେ ଚଢି ଯାଇଥିଲା।

ଦୁର୍ଘଟଣାରେ ଟ୍ରକ୍ ଭିତରେ ଡ୍ରାଇଭର ଜଣଙ୍କ ଅନେକ ସମୟ ଧରି ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ ଡୋରକୁ କାଟି ଡ୍ରାଇଭରକୁ ବାହାର କରିବା ପରେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଗତକାଲିଠାରୁ ରାସ୍ତା ଉପରେ ଓଲଟି ପଡ଼ିଥିବା ଟ୍ରକକୁ ଜାତୀୟ ରାଜପଥ କର୍ମଚାରୀ କାହିଁକି ଉଠାଇ ନ ଥିଲେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଘଷିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ମାଲିକକୁ ଖବର ଦେଇଛି ।