• ୫ଟି ବିଭାଗର ୧୦ ପ୍ରସ୍ତାବରେ ମୋହର
  • ୫୫୦୦ ଏକରର ହେବ ଲ୍ୟାଣ୍ଡ ବ୍ୟାଙ୍କ
  • ୪୪୦ କୋଟିରେ ସମ୍ବଲପୁର ଅଯୋଧ୍ୟା ସାଗର ୱେୟାରର ବିକାଶ
  • ବୃତ୍ତଙ୍ଗ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲାରେ ୧୯୪ କୋଟିରେ ମାଟିବନ୍ଧ

ଭୁବନେଶ୍ଵର, ୯/୬ : ପର୍ଯ୍ୟଟନ ବିଭାଗ ଅଧୀନରେ ଆତିଥ୍ୟ ଭିତ୍ତିଭୂମି ପାଇଁ ‘ଭୂମି ବ୍ୟାଙ୍କ’ ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ପ୍ରାୟ ୫୫୦୦ ଏକର ଜମି ପର୍ଯ୍ୟାୟକ୍ରମେ ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କରେ ସାମିଲ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ସହ ୫ଟି ବିଭାଗର ୧୦ଟି ପ୍ରସ୍ତାବରେ ମୋହର ବାଜିଛି । ଏଥିରେ ଚିଲିକା, କୋଣାର୍କ, ପୁରୀ (ଶାମୁକା), ଧଉଳି, ହୀରାକୁଦ, ସାତକୋଶିଆ, ଶିମିଳିପାଳ, ଭିତରକନିକା, ଦାରିଙ୍ଗବାଡ଼ି, ଦେଓମାଳି, ବୌଦ୍ଧ ସର୍କିଟ୍, ଜିରାଙ୍ଗ, ତଳସାରି ଏବଂ ତାମ୍ପରା- ଆର୍ଯ୍ୟପଲ୍ଲୀ ଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର ସାମିଲ ରହିବ । ଆବଶ୍ୟକତା ଅନୁଯାୟୀ ଅନ୍ୟ ପର୍ଯ୍ୟଟନ ସମ୍ଭାବ୍ୟ ଗନ୍ତବ୍ୟସ୍ଥଳୀଗୁଡ଼ିକୁ ମଧ୍ୟ ପରବର୍ତ୍ତୀ ସମୟରେ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ । ଏଥିପାଇଁ ବାର୍ଷିକ ୩୦୦ କୋଟି ଟଙ୍କା ହାରରେ ମୋଟ ୧୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ପର୍ଯ୍ୟଟନ ବିଭାଗ ନୋଡାଲ ବିଭାଗ ଭାବେ ଇଡକୋ, ଓଟିଡିସି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥା ସହଯୋଗରେ ଯୋଜନାକୁ କାର୍ଯ୍ୟକାରୀ କରାଇବ । ଏହି ଯୋଜନା ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହିତ କରିବ, ନିବେଶକମାନଙ୍କୁ ପୂର୍ବ ପ୍ରସ୍ତୁତି ବ୍ୟବହାରଯୋଗ୍ୟ ଜମି ଉପଲବ୍ଧ କରାଇବ । ଏହାଦ୍ୱାରା ଅନାଲୋଚିତ ପର୍ଯ୍ୟଟନସ୍ଥଳୀର ବିକାଶ ସାଙ୍ଗକୁ ନୂତନ ନିଯୁକ୍ତି ଓ ଜୀବିକା ସୁଯୋଗ ସୃଷ୍ଟି ହେବ ।

ସେହିପରି ନୟାଗଡ଼ ଜିଲ୍ଲାର ବୃତଙ୍ଗ ଜଳସେଚନ ପ୍ରକଳ୍ପ ସ୍ୱପ୍ନ ପୂରଣ ହେବ । ଏହି ପ୍ରକଳ୍ପ ହେବା ଦ୍ୱାରା ନୟାଗଡ଼ ଜିଲ୍ଲାର ୩୦୯ଟି ଗାଁର ଚାଷ ଜମିକୁ ପାଣି ମିଳିପାରିବ । ମାଟିବନ୍ଧ ପାଇଁ ୧୯୪ କୋଟି ୭ ଲକ୍ଷ ୨୮ ହଜାର ୮୭୦ ଟଙ୍କାର ଟେଣ୍ଡର ଅନୁମୋଦନ କରାଯ।।ଇଛି। ଏହାର କାମକୁ ୩୦ ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ନୁଆଗାଁ, ନୟାଗଡ଼, ଖଣ୍ଡପଡ଼ା ଓ ଓଡ଼ଗାଁ ବ୍ଲକର ମରୁଡ଼ି ପ୍ରବଣ ଅଞ୍ଚଳରେ ୨୩,୩୦୦ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଦଶପଲ୍ଲା ବ୍ଲକର ୬ଟି ଗ୍ରାମ, ନୂଆଗାଁ ବ୍ଳକର ୯୫ଟି ଗ୍ରାମ, ନୟାଗଡ଼ ବ୍ଲକର ୯୮ଟି ଗ୍ରାମ, ଖଣ୍ଡପଡ଼ା ବ୍ଲକର ୯୫ଟି ଗ୍ରାମ ଏବଂ ଓଡ଼ଗାଁ ବ୍ଲକର ୧୫ଟି ଗ୍ରାମକୁ ଜଳସେଚନ ସୁବିଧା ମିଳିବ । ପ୍ରକଳ୍ପରେ ନୟାଗଡ଼ ଜିଲ୍ଲାର ମଞ୍ଜରୀ ଗ୍ରାମ ନିକଟରେ ୫୫୨ ମିଟର ଲମ୍ୱର ଏକ ମାଟି ବନ୍ଧ ଓ ସ୍ପିଲ ୱେ ନିର୍ମାଣର ବ୍ୟବସ୍ଥା ରହିଛି । ଖୋର୍ଦ୍ଧା ଜିଲ୍ଲା କାଳିବେଟି ଶିଳ୍ପାଞ୍ଚଳରେ ମହିଳାଙ୍କ ଲାଗି ନିର୍ମାଣ ହେବ ହଷ୍ଟେଲ । ଏଠାରେ ୪ ହଜାର ମହିଳା କର୍ମଚାରୀ ରହିପାରିବେ । ଏ ନେଇ ୨୧୦.୩୬ କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାକୁ ଏସ୍ଏଏସ୍ସିଆଇ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯାଉଛି । ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବା ଲକ୍ଷ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ ସହର) ଅଧୀନରେ ଆର୍ଥିକ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍) ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ୍ ଶୁଳ୍ପ ଓ ରେଜିଷ୍ଟ୍ରେସନ୍ ଶୁଳ୍କ ଛାଡ଼ ହେବ । ଯାହା ଶସ୍ତା ଆବାସ ଉପରେ ୧%ରୁ କମ ହୋଇ ୦.୬%ରୁ ୦. ୭% ପର୍ଯ୍ୟନ୍ତ ରହିବ । ସେହିଭଳି କଟକ ଜିଲ୍ଲାର ବାରଙ୍ଗ ତହସିଲ ମୁଣ୍ଡଳି ସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ ଲାଗି ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ଜମି ରାଜସ୍ୱ ଉପରେ ୧୩.୦୭ ଲକ୍ଷ ଟଙ୍କାର ସୁଧରାଶି ଛାଡ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି । ସମ୍ବଲପୁର ଜିଲ୍ଲାରେ ମହାନଦୀ ଉପରେ ଥିବା ଅଯୋଧ୍ୟାସାଗର ୱେୟାରର ତଳଭାଗରେ ଏକ ଅନ୍ତଃ ନଦୀ ଜଳାଶୟ(ଆଇଏସଏସ) ନିର୍ମାଣ କରାଯିବ । ଏଥିରେ ୪୪୦ କୋଟି ୩୩ ଲକ୍ଷ ୯୧ ହଜାର ୪୭୦ ଟଙ୍କା ଖର୍ଚ୍ଚ ହେବ । ଯାହା ଦ୍ୱାରା ସମ୍ବଲପୁର ଓ ଏହାର ପାଖ ଅଞ୍ଚଳଗୁଡ଼ିକୁ ପାନୀୟ ଜଳ ଯୋଗାଣରେ ସହାୟକ ହେବ । ପ୍ରକଳ୍ପଟି ନୌଚାଳନାକୁ ପ୍ରୋତ୍ସାହନ ଦେବା ସହିତ ସମଲେଶ୍ୱରୀ ମନ୍ଦିର ପାଇଁ ଆଳତି ଘାଟ ଭାବେ ବିକଶିତ କରିବାରେ ସହାୟକ ହେବ । ସୋମବାର ରାଜ୍ୟ କ୍ୟାବିନେଟର ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ୱ ବିଭାଗର ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପରେ ଅନୁମୋଦନ କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।

ନଦୀ ତଟକୁ ଚମକାଇବ ‘ଜଳତଟ ବିକାଶ ଯୋଜନା’

ସହରରେ ଥିବା ଜଳାଶୟର ପୁନରୁଦ୍ଧାର ହେବ । ଏଠାରେ ଆଉ ନର୍ଦ୍ଦମା ପାଣି ବୋହିବନି, କାଚକେନ୍ଦୁ ଭଳି ପାଣି ବହିବ । ଏହା ପାଖରେ ୱାଟରଫ୍ରଣ୍ଟ ହେବ । ସନ୍ଧ୍ୟାରେ ଏହା ପାଖରେ ବସି ସମୟ ବିତାଇବାକୁ ସୁବିଧା କରାଯିବ । କେବଳ ସହରାଞ୍ଚଳ ଜଳାଶୟ ନୁହେଁ, ସହର ପାଖରେ ଥିବା ନଦୀ ତଟକୁ ଚମକାଇବାକୁ ‘ଜଳତଟ ବିକାଶ ଯୋଜନା’ ଆଣିଛନ୍ତି ସରକାର । ଏଥିପାଇଁ ୫ ବର୍ଷରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଏ ଯୋଜନାରେ ମନୋନୀତ ସହରଗୁଡ଼ିକରେ ନଦୀତଟ ଓ ସହରାଞ୍ଚଳ ଜଳାଶୟର ପୁନରୁଦ୍ଧାର କରାଯିବ । ଏସବୁକୁ ନୂଆ ଜୀବନ ଦିଆଯିବ । କେବଳ ଆକର୍ଷଣୀୟ ନୁହେଁ, ପରିବେଶଗତ ସନ୍ତୁଳନକୁ ଦୃଷ୍ଟି ଦେଇ ଏହାର ବିକାଶ ହେବ । ନଦୀ ଓ ନାଳର ଧାରାକୁ ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବ । ଏହା ଯେଭଳି ବନ୍ୟାଜଳ ପରିଚାଳନାରେ ସହାୟକ ହେବ ତାକୁ ଦୃଷ୍ଟି ଦିଆଯିବ । ନଦୀତଟ ଓ ଜଳାଶୟର ପୁନରୁଦ୍ଧାର ଜରିଆରେ ପର୍ଯ୍ୟଟନକୁ ଆକର୍ଷିତ କରି ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବାକୁ ପ୍ରୟାସ ହେବ । ସାଂସ୍କୃତିକ ଐତିହ୍ୟ ଓ ସ୍ଥାନୀୟ କଳାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ମଧ୍ୟ ଏହାକୁ ଉପଯୋଗ କରିବାକୁ ଲକ୍ଷ୍ୟ ରହିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ ଓ ପୌରାଞ୍ଚଳ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରିବ ।

୧୦୦ କୋଟି ଖର୍ଚ୍ଚ, ନଦୀରେ ମିଶିବନି ନର୍ଦ୍ଦମା ପାଣି

ସହରର ସ୍ୱେରେଜ୍ ଓ ନର୍ଦ୍ଦମା ପାଣି ଯାଇ ଗଙ୍ଗୁଆ ନାଳରେ ପଡ଼ୁଛି । ପୁଣି ଗଙ୍ଗୁଆ ନାଳର ପାଣି ଯାଇ ସିଧାସଳଖ ଦୟା ନଦୀରେ ମିଶୁଛି । ବିଶୋଧନ ବା ଟ୍ରିଟମେଣ୍ଟ ନ ହୋଇ ସ୍ୱେରେଜ୍ ଓ ଅନ୍ୟ ବର୍ଜ୍ୟ ଜଳ ନଦୀରେ ମିଶୁଥିବାରୁ ପରିବେଶ ଭୟଙ୍କର ପ୍ରଦୂଷିତ ହେଉଛି । ଉଭୟ ନଦୀ ଓ ଭୂତଳ ଜଳକୁ ବିଷାକ୍ତ କରୁଛି । ଏହା ଉପରେ ନିର୍ଭର କରୁଥିବା ମଣିଷ ସମେତ ସବୁ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି । ଏହାର ସମାଧାନ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୟା ନଦୀ ଓ ଗଙ୍ଗୁଆ ନାଳର ମିଳନ ସ୍ଥଳରେ ଏକ ଅତ୍ୟାଧୁନିକ ବିଶୋଧନ ପ୍ଲାଣ୍ଟ ହେବ । କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ଏସ୍ବିଆର ଟେକ୍ନୋଲୋଜିରେ ୱାଟ୍କୋ ୬୦ ଏମଏଲଡିର ପ୍ଲାଣ୍ଟ ପ୍ରତିଷ୍ଠା କରି ନର୍ଦ୍ଦମା ଜଳକୁ ବିଶୋଧନ କରିବା ପରେ ଯାଇ ନଦୀକୁ ଛାଡ଼ିବ । ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୦୦ କୋଟି ଖର୍ଚ୍ଚ ହେବ । ଇଷ୍ଟ ଇଣ୍ଡିଆ ଉଦ୍ୟୋଗ ଲିଃ ଏହାକୁ ପ୍ରତିଷ୍ଠା କରିବ । ୨୦୨୮ ମସିହା ଏପ୍ରିଲ ୩୦ ତାରିଖ ସୁଦ୍ଧା ପ୍ଲାଣ୍ଟ କାମ ସାରିବାକୁ ଲକ୍ଷ୍ୟ ରହିଛି । ବିଡିଏ ଅଧୀନରେ ଚାଲିଥିବା ଟାଉନ ପ୍ଲାନିଂ ସ୍କିମ୍ ବା ଟିପି୧, ଟିପି-୨ ଓ ଟିପି-୩ ପ୍ରକଳ୍ପ ପାଇଁ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଇବାକୁ ନିଷ୍ପତ୍ତି ହୋଇଛି । ୫ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ୍ ଆଜି ଅନୁମୋଦନ କରିଛି ।