ଭୁବନେଶ୍ୱର,୨୩\୭ : ଆକାଶଛୁଆଁ ପରିବା ଦର । ବାଇଗଣରୁ ନେଇ ପୋଟଳ, କଲରା, କାକୁଡ଼ି, କାଙ୍କଡ଼, ଭେଣ୍ଡି ପର୍ଯ୍ୟନ୍ତ ଯାହାକୁ ଛୁଇଁବ ଦର ୮୦ । ଅଧକିଲୋ କିଣିବାକୁ ବି ଆଖି ତରାଟି ଡର ,କିଣିବାକୁ ହାତ ଯାଉନି । ଅଢେଇଶହ ଓଜନର ପରିବା କିଣିବା ଯାହା ନକିଣିବା ସେଇଆ । ଖାଲି ସେତିକିନୁହେଁ, କଲିକତା ପୋଟଳ ୪୦, ଭଣ୍ଡା ୩୦, କଖାରୁ ୪୦, ରସୁଣ କିଲୋ ୨୫୦, ଅଦା କିଲୋ ୨୨୦ । ଦର ଶୁଣିଦେଲେ ଡର ମାଡ଼ୁଛି । ଏ ହେଉଛି ନୂଆପଲ୍ଲୀ ଅଞ୍ଚଳରେ ଥିବା ପରିବା ଦୋକାନର ଦର । ବୁଧବାର ସକାଳେ ଏହି ଦରରେ ଗ୍ରାହକମାନେ ପରିବା କିଣୁଥିଲେ । ସେପଟେ ଏକ ନମ୍ବର ହାଟରେ କେବଳ ଇଞ୍ଚିଏ ଫରକ । କେବଳ ସବୁଥିରୁ ୧୦ଟଙ୍କା କମ୍ । ବାକି ସବୁ ସମାନ ।
ହାଟକୁ ଗଲେ ପକେଟ ଶେଷ କରିଦେଉଛି ପରିବା । ପବିତ୍ର ଶ୍ରାବଣ ମାସରେ ଏବେ ପରିବା ଦର ଊଦ୍ଧ୍ୱର୍ମୁଖୀ ହେଲାଣି । ରାଜଧାନୀରେ ପରିବା ମହରଗ ପାଲଟିଛି । ଅନ୍ୟ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । କଟକ, ବ୍ରହ୍ମପୁର, ସମ୍ବଲପୁର ଆଦି ବଡ଼ବଡ଼ ସହରରେ ମଧ୍ୟ ପରିବା ଦର ୬୦ ଉପରେ । ସହର ଅପେକ୍ଷା ଅଧିକ ସମସ୍ୟା ଏବେ ଗ୍ରାମାଞ୍ଚଳରେ । ଅଧିକାଂଶ ପରିବା ଦର ୧୦୦ ଛୁଇଁଲାଣି । ତଥ୍ୟ ଅନୁସାରେ, ରାଜ୍ୟରେ ୯.୭ ଲକ୍ଷ ମେଟ୍ରିକ ଟନ୍ ପରିବା ଉତ୍ପାଦନ ହୁଏ । ହେଲେ ତାହା ଅଣ୍ଟେନି ।
ଏବେ ଅମଳ ଋତୁରେ ରାଜ୍ୟରେ ଉତ୍ପାଦିତ ପରିବା ସମୁଦ୍ରକୁ ଶଙ୍ଖେ । ଏହାର କାରଣ ଅଦିନିଆ ବର୍ଷା ଓ ବନ୍ୟା ବିତ୍ପାତ । ସେପଟେ ବାହାର ରାଜ୍ୟରେ ବନ୍ୟା ପରିସ୍ଥିତି । ପଡୋଶୀ ତାମିଲନାଡ଼ୁ, ବେଙ୍ଗାଲୁରୁ, ପଶ୍ଚିମବଙ୍ଗରୁ ଆସୁଥିବା ପରିବାକୁ ଦୁଇଗୁଣ ଦରରେ କିଣୁଛନ୍ତି ଗ୍ରାହକ । କଟକ ଓ ରାଜଧାନୀ ଭୁବନେଶ୍ୱରରେ ଏବେ ଦେଶୀ ପରିବା ଖୋଜିଲେ ବି ମିଳୁନି । ସାଧାରଣତଃ ଭୁବନେଶ୍ୱରର ଏକ ନମ୍ବର ମାର୍କେଟକୁ ବାଲିପାଟଣା, ନିଆଳି, ବାରଙ୍ଗ, ଆଠଗଡ଼ ଓ ବାଙ୍କୀ ଭଳି ସ୍ଥାନୀୟ ଅଞ୍ଚଳରୁ ପ୍ରଚୁର ପରିମାଣରେ ପନିପରିବା ଆସିଥାଏ । କିଛିବର୍ଷ ପୂର୍ବରୁ ବର୍ଷା ସମୟରେ ରାଜଧାନୀ ପରିବା ବଜାରରେ ପ୍ରଚୁର ଦେଶୀ ଜହ୍ନି, କାକୁଡ଼ି, ଝୁଡ଼ଙ୍ଗ, ଟମାଟୋ, ବାଇଗଣ, ପୋଇ, କାଙ୍କଡ଼, ବିକ୍ରି ଗଦା ହୋଇଥାଏ । ହେଲେ ଆଜି ସେତିକି ବି ଦେଖିବାକୁ ମିଳୁନି ।
ଚାଷୀଙ୍କ କହିବା କଥା, ବର୍ଷା ଯୋଗୁଁ ସେସବୁ ସ୍ଥାନମାନଙ୍କରେ ଫସଲ ନଷ୍ଟ ହୋଇଯାଇଛି । ସେଥିପାଇଁ ସ୍ଥାନୀୟ ଅମଳ ପରିବା ବଜାରକୁ ଆସିପାରୁନାହିଁ । ଫଳରେ ବାହାରୁ ଆସୁଥିବା ପରିବା ଉପରେ ନିର୍ଭର କରିବାକୁ ପଡ଼ୁଛି । ବାହାରୁ ପରିବା ଆସିବା କାରଣରୁ ପରିବହନ ଖର୍ଚ୍ଚ, ଲୋଡିଂ-ଅନଲୋଡିଂ ଖର୍ଚ୍ଚ ବଢ଼ୁଛି ଏବଂ ଯୋଗାଣ କମ୍ ଥିବାରୁ ଦର ଅହେତୁକ ଭାବେ ବଢ଼ି ଚାଲିଛି । ତେଣୁ ପରିବା ଦର ବୃଦ୍ଧି ପାଉଥିବା ବେପାରୀମାନେ କହିଛନ୍ତି । ଯଦି ଆଗାମୀ ଦିନରେ ବର୍ଷା ପରିମାଣ ଆହୁରି ବଢ଼େ, ତେବେ ପରିବା ଦର ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଯୁଦ୍ଧ ପରିସ୍ଥିତି ବେଳେ ରନ୍ଧନ ଗ୍ୟାସଠୁ ନେଇ ପେଟ୍ରୋଲ, ଆମିଷ ଓ ଅଣ୍ଡା ଦର ହୁହୁ ହୋଇ ବଢ଼ିଚାଲିଛି । ବୋଝ ଉପରେ ନଳିତା ବିଡ଼ା ଭଳି ଏବେ ପରିବା ଦର ବଢ଼ୁଛି ।