ଖରାଦିନରେ ଅଧିକ ମାତ୍ରାରେ ପାଣି ପିଇବା ପାଇଁ କୁହାଯାଏ । ମାତ୍ର ମାତ୍ରାଧିକ ପାଣି ଶରୀରର ଉପକାର କରିବା ପରିବର୍ତ୍ତେ ଆହୁରି ଅଧିକ ଅପକାର କରିବାର ଆଶଙ୍କା ରହିଛି । ଅତ୍ୟଧିକ ମାତ୍ରାରେ ପାଣି ପିଇବା ଆପଣଙ୍କ ଶରୀର ପାଇଁ ବିପଦ ସୃଷ୍ଟି କରିପାରେ । ଏହାକୁ 'ୱାଟର ଇଣ୍ଟକ୍ସିକେସନ' କୁହାଯାଏ । ଏହା ଆପଣଙ୍କ ଶରୀର ଉପରେ କେଉଁ ପ୍ରଭାବ ପକାଇଥାଏ, ଆସନ୍ତୁ ଜାଣିବା...
ଶରୀରରେ ଜଳର ମାତ୍ରା ଆବଶ୍ୟକତାଠାରୁ ବଢ଼ିଗଲେ ଏପରି ଅବସ୍ଥାକୁ 'ୱାଟର ଇଣ୍ଟକ୍ସିକେସନ' କୁହାଯାଏ । ଆମେ ପାଣି ପିଇଲେ ଶରୀର ଅତ୍ଯଧିକ ପରିମାଣର ଜଳକୁ ଝାଳ ଓ ପରିସ୍ରା ମାଧ୍ୟମରେ ବାହାର କରିଥାଏ । ମାତ୍ର ଅତ୍ୟଧିକ ମାତ୍ରାରେ ପାଣି ପିଇଲେ ଏହା ଶରୀରରେ ଏକ ଅସନ୍ତୁଳନ ସୃଷ୍ଟି କରିଥାଏ । ଏପରି ଅବସ୍ଥାରେ ଶରୀର ପ୍ରାକୃତିକ ଭାବେ ଅତ୍ୟଧିକ ମାତ୍ରାର ଜଳକୁ ବାହାର କରିପାରିନଥାଏ । କମ୍ ସମୟ ମଧ୍ୟରେ ଅତ୍ୟଧିକ ପରିମାଣର ପାଣି ପିଇଲେ ଏହାର ପ୍ରଭାବ ଆପଣଙ୍କ ଶରୀର ରକ୍ତ ଓ କୋଷିକା ଉପରେ ଦେଖିବାକୁ ମିଳେ ।
କୋଷ ଫୁଲିବାକୁ ଲାଗେ:
କୋଷ ମଧ୍ୟରେ ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ସୋଡିୟମ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ରକ୍ତରେ ସୋଡିୟମ୍ ମାତ୍ରା ହ୍ରାସ ପାଇବା ଫଳରେ ଜଳ ଶରୀରର କୋଷରେ ପ୍ରବେଶ କରିବାକୁ ଲାଗିଥାଏ । ଫଳରେ ଶରୀରର କୋଷରେ ପାଣି ଜମିବା ସହିତ ଏହା ଫୁଲିବାରେ ଲାଗିଥାଏ ।
ସୋଡିଅମ୍ ସ୍ତର ହ୍ରାସ ପାଏ:
ଅତ୍ୟଧିକ ପାଣି ପିଇବା ଦ୍ବାରା ରକ୍ତରେ ସୋଡିୟମ୍ ମାତ୍ରା ହ୍ରାସ ପାଏ । ଫଳରେ ଶରୀରରେ ଆବଶ୍ୟକ ଲବଣ ହ୍ରାସ ପାଏ । ରକ୍ତରେ ସୋଡିୟମ୍ ସ୍ତର ହ୍ରାସ ପାଇଲେ ହାଇପୋନାଟ୍ରିମିଆ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ମସ୍ତିଷ୍କ ଉପରେ ପ୍ରଭାବ:
ଶରୀରର ଅନ୍ୟ କୋଷିକାରେ ପାଣି ଜମିବା ଓ ଫୁଲିବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ମାତ୍ର ମସ୍ତିଷ୍କରେ ପାଣି ଜମି କୋଷିକା ଫୁଲିବା ଦ୍ବାରା ଖପୁରୀର ଆକାର ବୃଦ୍ଧି ପାଇଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକାରିତା ବାଧାପ୍ରାପ୍ତ ହୋଇଥାଏ । ଏପରି ହେଲେ ବ୍ୟକ୍ତିର ମାନସିକ ସନ୍ତୁଳନ ବାଧାପ୍ରାପ୍ତ ହୋଇଥାଏ ।