ଭୁବନେଶ୍ୱର: ନୀତି ଆୟୋଗ (NITI Aayog) ପକ୍ଷରୁ ପ୍ରକାଶିତ ପ୍ରଥମ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (IFI) ୨୦୨୬’ (ନିବେଶ ଅନୁକୂଳ ସୂଚକାଙ୍କ)ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଏହି ଗୌରବପୂର୍ଣ୍ଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀ, ସମସ୍ତ ସରକାରୀ ବିଭାଗ, ଶିଳ୍ପ ଅଂଶୀଦାର, ଉଦ୍ୟୋଗୀ, ନିବେଶକ ଓ ସରକାରୀ କର୍ମଚାରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି।

ଓଡ଼ିଶା ସହିତ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୋଆ ଏହି ତାଲିକାର ଶୀର୍ଷ ପ୍ରଦର୍ଶନକାରୀ (Top Performers) ରାଜ୍ୟ ଭାବେ ପରିଗଣିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତାକୁ ଓଡ଼ିଶାର ବିକାଶ ଯାତ୍ରାରେ ଏକ ବଡ଼ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି -ନୀତି ଆୟୋଗଙ୍କ ଏହି ତାଲିକାରେ ଶୀର୍ଷ ୫ଟି ନିବେଶ-ଅନୁକୂଳ ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ସଫଳତା ଆମର ସ୍ୱଚ୍ଛ ଶାସନ, ଶିଳ୍ପ-ଅନୁକୂଳ ନୀତି ଏବଂ ଦକ୍ଷ ସେବା ଯୋଗାଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମ ଉପରେ ନିରନ୍ତର ଆସ୍ଥା ପ୍ରକଟ କରି ଥିବାରୁ ଶିଳ୍ପ ଅଂଶୀଦାରମାନଙ୍କୁ ସାଧୁବାଦ। ଏହି ସଫଳତା ଆମର ଚୂଡ଼ାନ୍ତ ଗନ୍ତବ୍ୟ ନୁହେଁ, ବରଂ ଏକ ମାଇଲଖୁଣ୍ଟ। ଆମେ ଆଗକୁ ନୀତିଗତ ସୁଧାର, ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ଅଧିକ ସୁଗମ ପରିବେଶ ସୃଷ୍ଟି କରିବା ଜାରି ରଖିବୁ, ଯାହାଦ୍ୱାରା ଓଡ଼ିଶା ଭାରତ ଓ ବିଶ୍ୱର ସବୁଠାରୁ ପସନ୍ଦଯୋଗ୍ୟ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ଉଠିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗୀ ସଂଘୀୟ ବ୍ୟବସ୍ଥା ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଡବଲ୍ ଇଞ୍ଜିନ୍ ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ଭିତ୍ତିଭୂମି, ଶିଳ୍ପାୟନ, ସଂଯୋଗୀକରଣ, ଲଜିଷ୍ଟିକ୍ସ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହୋଇଛି। ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ।

ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ’ ହେଉଛି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନିବେଶ ପରିବେଶ ଆକଳନ କରିବା ପାଇଁ ପ୍ରଥମ ସମ୍ପୂର୍ଣ୍ଣ ତଥ୍ୟ-ଆଧାରିତ ବ୍ୟବସ୍ଥା। ଏହାର ମୁଖ୍ୟ ଆଧାର ଭିତ୍ତିଭୂମି (Infrastructure), ବ୍ୟବସାୟିକ ପରିବେଶ (Business Climate), ସମ୍ବଳ (Resources), ସରକାରୀ ନୀତି (Government Policy), ନିୟମାବଳୀର ସୁଗମତା (Regulatory Ease), ସଂସ୍ଥାଗତ ପରିବେଶ (Institutional Environment), ଆର୍ଥିକ ସ୍ଥିତି (Financial Health) ଏବଂ ପରିବେଶ ସହିଷ୍ଣୁତା (Environmental Resilience)। ଏହା ଉଚିତ ସମୟସୀମା ମଧ୍ୟରେ ମଞ୍ଜୁରୀ, ଡିଜିଟାଲ୍ ଗଭର୍ଣ୍ଣାନ୍ସ ଏବଂ ସୁଦୃଢ଼ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍ ନିବେଶକଙ୍କ ପାଇଁ କାର୍ଯ୍ୟକୁ ଅତି ସହଜ କରି ପାରିଛି।

ଓଡ଼ିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଏହି ଜାତୀୟ ସ୍ୱୀକୃତି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ‘ଟିମ୍ ଓଡ଼ିଶା’ର ମିଳିତ ଉଦ୍ୟମର ପରିଣାମ। ଆମେ ଶିଳ୍ପାୟନର ଦ୍ରୁତ ବିକାଶ, ପ୍ରକଳ୍ପଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା, ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ ଦେଉଛୁ। ସାରାବିଶ୍ୱର ନିବେଶକମାନଙ୍କୁ ଆମେ ଓଡ଼ିଶାର ଏହି ପ୍ରଗତି ଯାତ୍ରାରେ ଭାଗୀଦାର ହେବା ପାଇଁ ଆମନ୍ତ୍ରଣ କରୁଛୁ।

ରାଜ୍ୟର ପାରମ୍ପରିକ ଖଣି ଓ ଧାତୁ ଶିଳ୍ପ ବ୍ୟତୀତ ବର୍ତ୍ତମାନ ଓଡ଼ିଶା ବିବିଧ ମାନୁଫାକଚରିଂ, ସେବା କ୍ଷେତ୍ର, MSME ଏବଂ ଷ୍ଟାର୍ଟଅପ୍ ପାଇଁ ଏକ ବୃହତ୍ କେନ୍ଦ୍ର ଭାବେ ଉଭା ହେଉଛି। ସରକାରଙ୍କ ଦୀର୍ଘମିଆଦୀ ବିକାଶ ଏଜେଣ୍ଡାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଗଠନର ଶତବାର୍ଷିକୀ ବର୍ଷ ୨୦୩୬ ସୁଦ୍ଧା 'ସମୃଦ୍ଧ ଓଡ଼ିଶା'ର ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ଏକ ସ୍ପଷ୍ଟ ରୋଡମ୍ୟାପ୍ ସହିତ କାର୍ଯ୍ୟ କରୁଛି, ଯାହା 'ବିକଶିତ ଭାରତ ୨୦୪୭'ର ଜାତୀୟ ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଆହୁରି ମଧ୍ୟ ପଢନ୍ତୁ - ରାଜ୍ୟରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ନିବେଶ ହେବ ୪୫୭୩ କୋଟି ଟଙ୍କା