ନୂଆଦିଲ୍ଲୀ ୧୨/୦୩: ଆଜିକାଲି କ୍ରେଡିଟ୍ କାର୍ଡର ବ୍ୟବହାର ଖୁବ୍ ସାଧାରଣ ହୋଇପଡିଲାଣି । ଏପରିକି କିଛି ଗୃହିଣୀ ମଧ୍ୟ କ୍ରେଡିଟ୍ କାର୍ଡର ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । କିନ୍ତୁ ସେମାନେ ପ୍ରାୟ ସମୟରେ ଆଡ୍ ଅନ୍ କ୍ରେଡିଟ୍ କାର୍ଡ କ’ଣ ଓ ଏହାର ଫାଇଦା ଏବଂ କ୍ଷତି ବିଷୟରେ ଜାଣି ନଥାନ୍ତି । ସପିଂଠାରୁ ଆରମ୍ଭ କରି ବିଦ୍ୟୁତ୍ ଓ ପାଣି ବିଲ୍ ଭରିବା ଯାଏ ସବୁ କାମ ପାଇଁ କ୍ରେଡିଟ୍ କାର୍ଡର ବ୍ୟବହାର କରୁଛନ୍ତି । କ୍ରେଡିଟ୍ କାର୍ଡ କେବଳ କିଣାକିଣି ପାଇଁ ନୁହେଁ, ବରଂ କୌଣସି ଜରୁରିକାଳୀନ ଖର୍ଚ୍ଚ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । ଏବେ ପ୍ରାୟ ସବୁ ବ୍ୟାଙ୍କ୍ ଗ୍ରାହାକମାନଙ୍କୁ କ୍ରେଡିଟ୍ କାର୍ଡ ସୁବିଧା ଦେଉଛନ୍ତି । ଯଦି ଉପଭୋକ୍ତା କ୍ରେଡିଟ୍ କାର୍ଡର ଅର୍ଥରାଶି ଯଥା ସମୟରେ ଜମା କରୁଥାନ୍ତି, ତେବେ ଟ୍ରାକ୍ ରେର୍କଡ୍ ଓ ସିଭିଲ୍ ସ୍କୋର୍ ଭଲ ରହିଥାଏ ।

ଏହାବ୍ୟତୀତ ରିୱାର୍ଡ ପଏଣ୍ଟ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ । ବ୍ୟାଙ୍କ୍ ଆଡ୍ ଅନ୍ କ୍ରେଡିଟ୍ କାର୍ଡ ସେହି ଲୋକମାନଙ୍କୁ ଦେଇଥାଏ, ଯେଉଁମାନଙ୍କ ପାଖରେ ପୂର୍ବରୁ କ୍ରେଡିଟ୍ କାର୍ଡ ରହିଥାଏ । ଆଡ୍ ଅନ୍ କ୍ରେଡିଟ୍ କାର୍ଡକୁ ସେକେଣ୍ଡାରୀ ବା ସପ୍ଲିମେଣ୍ଟ କ୍ରେଡିଟ୍ କାର୍ଡ କୁହାଯାଏ । ଆଡ୍ ଅନ୍ କ୍ରେଡିଟ୍ କାର୍ଡ ପାଇଁ ପ୍ରାଇମେରୀ କ୍ରେଡିଟ୍ କାର୍ଡଧାରକ ହିଁ ଆବେଦନ କରିପାରିବେ ।

ଆଡ୍ ଅନ୍ କ୍ରେଡିଟ୍ କାର୍ଡର ଫାଇଦା ଆଡ୍ ଅନ୍ କ୍ରେଡିଟ୍ କାର୍ଡ ଓ ପ୍ରାଇମେରୀ କ୍ରେଡିଟ୍ କାର୍ଡ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ହୋଇଥାଏ । ଉଭୟ କାର୍ଡର ଖର୍ଚ୍ଚ ସୀମା ମଧ୍ୟ ଏକାଠି ରହିଥାଏ । ଯଦି ପ୍ରାଇମେରୀ କାର୍ଡର ସୀମା ଏକ ଲକ୍ଷ ହୋଇଥାଏ । ତେବେ ଆଡ୍ ଅନ୍ର ସୀମା ମଧ୍ୟ ଏକ ଲକ୍ଷ ରହିଥାଏ ।

କାର୍ଡର ଫାଇଦା :

କ୍ରେଡିଟ୍ କାର୍ଡ ଜରିଆରେ ଦେଶବିଦେଶରେ ସପିଂ ଓ ବୁଲାବୁଲି କରିବା ଦ୍ୱାରା ଅନେକ ପ୍ରକାରର ରିୱାର୍ଡ ମିଳିଥାଏ, ଯାହାର ଫାଇଦା ଉଭୟ ପ୍ରାଇମେରୀ ଓ ଆଡ୍ ଅନ୍ କ୍ରେଡିଟ୍ କାର୍ଡ ଉପରେ ମିଳିଥାଏ ।

ଆଡ୍ ଅନ୍ କ୍ରେଡିଟ୍ କାର୍ଡ ବିଲ୍ ଅଲଗା ଭାବେ ଆସି ନଥାଏ । ବରଂ ଯାହା ଖର୍ଚ୍ଚ ହୋଇଥାଏ, ପ୍ରାଇମେରୀ ବିଲ୍ ସହ ମିଶି ଆସିଥାଏ ।

ଆଡ୍ ଅନ୍ କ୍ରେଡିଟ୍ କାର୍ଡ ଛାତ୍ରଛାତ୍ରୀଙ୍କ ପାଇଁ ବେଶି ଲାଭଦାୟକ ହୋଇପାରିବ । ଯେଉଁମାନେ ବାପାମା’ଠାରୁ ଦୂରରେ ରହୁଛନ୍ତି ।

ଏହି କାର୍ଡରେ ଅନଲାଇନ୍, ଅଫଲାଇନ୍ ପରି ସମସ୍ତ କିଣାକିଣି କରିବା ସମ୍ଭବ ହୋଇଥାଏ ।

ଏହି କାର୍ଡ ଜରିଆରେ ପରିବାରର ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଇପାରିବ । ଯାହାକି ଅଲଗା କ୍ରେଡିଟ୍ କାର୍ଡରେ କରିବା ସହଜ ହେବ ନାହିଁ ।

ଆହୁରି ପଢ଼ନ୍ତୁ...ଘର ପାଇଁ ଉପଯୁକ୍ତ ଜମି କେଉଁଟି ? ଜାଣିବେ କିପରି, ଟିକେ ଭୁଲ ହେଲେ ପଡ଼ିବ କୁପ୍ରଭାବ....

ହେଉଥିବା କ୍ଷତି :

ଆଡ୍ ଅନ୍ କ୍ରେଡିଟ୍ କାର୍ଡରେ କେବଳ ଫାଇଦା ନାହିଁ କ୍ଷତି ମଧ୍ୟ ହୋଇଥାଏ । ଠିକ୍ ସମୟରେ କାର୍ଡର ଜମାରାଶି ଜମା କରା ନ ଗଲେ ପ୍ରାଇମେରୀ କାର୍ଡଧାରକଙ୍କ ଉପରେ ଫାଇନ୍ ଲାଗୁ ହୋଇଥାଏ ।

ଆଡ୍ ଅନ୍ କାର୍ଡ କରିବା ଦ୍ୱାରା କ୍ରେଡିଟ୍ କାର୍ଡର ଅର୍ଥରାଶି ସୀମିତ ହୋଇଯାଇଥାଏ । ଫଳରେ ଜରୁରିକାଳୀନ ପରିସ୍ଥିତିରେ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଯଦି ଅଲଗା କ୍ରେଡିଟ୍ କାର୍ଡ ନେଇଥାନ୍ତେ, ତେବେ କାର୍ଡର ସୀମା ଭିନ୍ନ ରହିଥାନ୍ତା । ଫଳରେ ଖର୍ଚ୍ଚ ପରିଚାଳନ କରିବା ସହଜ ହୋଇପାରିଥାନ୍ତା ।

ଆଡ୍ ଅନ୍ କ୍ରେଡିଟ୍ କାର୍ଡ ବଦ୍‌ଖର୍ଚ୍ଚୀ ବ୍ୟକ୍ତିଙ୍କୁ ଆଦୌ ଦିଅନ୍ତୁନାହିଁ । ନଚେତ୍ ପ୍ରାଇମେରୀ ଗ୍ରାହାକ ଉପରେ ଆର୍ଥିକ ଚାପ ଅଧିକ ରହିପାରେ । ତେଣୁ ଏହି କାର୍ଡ ପାଇଁ ଆବେଦନ କରିବା ପୂର୍ବରୁ ଉଭୟ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।