ଭୁବନେଶ୍ୱର ୦୯/୦୩ ଭୂସମ୍ପତ୍ତି ଅର୍ଜନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ ଭାବେ ଧରାଯାଇଥାଏ । ମନ ପସନ୍ଦର ଘରଟିଏ କରିବାକୁ ଅବା ବ୍ୟବସାୟ ଚଳାଇବା ପାଇଁ ଜମି ବା ପ୍ଲଟ୍ କିଣିବା ସମୟରେ ଆଇନଗତ ଦିଗ ପ୍ରତି ସାବଧାନ ରହିବା ସହିତ ବାସ୍ତୁଗତ ସାବଧାନତା ରକ୍ଷା କରିବା ଉଚିତ । କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ଲଟ୍ର ଆକାରପ୍ରକାରର ପ୍ରଭାବ ଦୈନନ୍ଦିନ ଜୀବନ ଉପରେ ରହିଛି । ଉପଯୁକ୍ତ ଆକାରର ଜମି ଉପରେ ଘରଟିଏ ତୋଳିଲେ ବା ବ୍ୟବସାୟ ଆରମ୍ଭ କଲେ ଏହା ସୁଖ, ଶାନ୍ତି, ସମୃଦ୍ଧି ଆଣିପାରେ । ଅନୁପଯୁକ୍ତ ପ୍ଲଟ୍ ବାଛିଲେ ତାହା ଦେଇପାରେ ଅସନ୍ତୋଷ, ଅଶାନ୍ତି,ବିବାଦ ଇତ୍ୟାଦି । ବାସ୍ତୁ ଅନୁଯାୟୀ ଜାଣିବା କେଉଁଆକାରର ଭୂଖଣ୍ଡର ପ୍ରଭାବ କିପରି....
ଗୋମୁଖାକାର ପ୍ଲଟ୍ ଘର ଲାଗି ସବୁଠୁ ଶୁଭପ୍ରଦ । ଏପରି ଭୂଖଣ୍ଡର ସମ୍ମୁଖ ଭାଗର ଲମ୍ବା କମ୍ ଥାଏ ଏବଂ ପଛଭାଗ ଅଧିକ ଲମ୍ବା ଥାଏ । ଏପରି ଜାଗା ଉପରେ ଘର କରି ରହିଲେ ପରିବାରରେ ସୁଖ-ଶାନ୍ତି,ସ୍ୱାସ୍ଥ୍ୟ ଭଲ ରହିବା ସହ ସମୃଦ୍ଧି ଆସିଥାଏ । ତେବେ ବ୍ୟବସାୟ ଲାଗି ଏଭଳି ଜାଗା ଅନୁପଯୁକ୍ତ ବୋଲି ବାସ୍ତୁ କହେ ।
ବ୍ୟବସାୟ ବାଣିଜ୍ୟ ଚଳାଇବା ପାଇଁ ସିଂହମୁଖ ଭୂଖଣ୍ଡ ସର୍ବୋତ୍ତମ । ସିଂହମୁଖ ପ୍ଲଟ୍ର ସାମନା ଭାଗ ଅଧିକ ଦୀର୍ଘ ଏବଂ ପଛଭାଗ କମ୍ ଥାଏ । ଏପରି ପ୍ଲଟ୍ ଉପରେ ଦୋକାନ ଖୁବ୍ ଭଲ ଚାଲେ । ଏଣୁ ଲାଭ ହିଁ ଲାଭ ହୋଇଥାଏ । ଅଫିସ୍ ଚଳାଇବା ଲାଗି ମଧ୍ୟ ସିଂହମୁଖ ଭୂଖଣ୍ଡ ଭଲ । ତେବେ ଏପରି ଜମି ଉପରେ ଘର କରିବା ଅନୁଚିତ୍ । ଏହା ପରିବାରରେ ଅଶାନ୍ତି,ସ୍ୱାସ୍ଥ୍ୟ ସମସ୍ୟ ଆଣିବା ସହିତ ଆର୍ଥିକ ସମସ୍ୟା ବଢ଼ାଇଥାଏ ବୋଲି ବାସ୍ତୁଶାସ୍ତ୍ରର ମତ ।
ବାସ୍ତୂୁ ମତରେ ଷଟ୍କୋଣାକାର ଭୂଖଣ୍ଡ ଜୀବନରେ ସନ୍ତୁଳନ ଆଣିବା ସହିତ ଶୁଭ ହୋଇଥାଏ । ଏପରି ପ୍ଲଟ୍ର ଛ’କୋଣିଆ ହୋଇଥାଏ । ଏପରି ଆକାରର ଜମି ଉଭୟ ଘର ଆଉ ବ୍ୟବସାୟିକ କାରବାର ପାଇଁ ଭଲ । ଏହା ଧନ,ସମ୍ପତ୍ତି,ଉନ୍ନତି କାରକ ହୋଇଥାଏ ।
ଅଷ୍ଟକୋଣାକାର ଭୂଖଣ୍ଡର ମାଲିକ ଯିଏ ହେବେ ତାଙ୍କ ପାଇଁ ଏହା ଧନ,ସମୃଦ୍ଧି ଆଣିଥାଏ । ଏହାର ସନ୍ତୁଳିତ ଉର୍ଜା ଜୀବନରେ ସ୍ଥିରତା ଆଣିଥାଏ । ଉଭୟ ଘର ଏବଂ ଦୋକାନ ଲାଗି ଉତ୍କୃଷ୍ଟ ସ୍ଥଳ ହୋଇପାରେ ।
କେଉଁ ଆକାର ଅଶୁଭ:
ଇଂରାଜୀ ଅକ୍ଷରର ଟି ସଦୃଶ ଜମି ଯଦି କିଣିବାକୁ ହୁଏ ତେବେ ଏହା କରିବା ପୂର୍ବରୁ ବାସ୍ତୁଶାସ୍ତ୍ରବିତ୍ଙ୍କ ପରାମର୍ଶ ନେଇଯିବା ଉଚିତ । କାରଣ ଟି ଆକାରର ଜମି ଉଭୟ ପାଶ୍ୱର୍କୁ ଅତିରିକ୍ତ ରହୁଥିବାରୁ ଏହା ବାସ୍ତୁଦୋଷ ସୃଷ୍ଟି କରିଥାଏ ଏବଂ ଜମିର ମାଲିକଙ୍କ ପାଇଁ ରୋଗ,କଳହ,ଆର୍ଥିକ ହାନି ଇତ୍ୟାଦି ବିଷମ ପରିଣାମ ଆଣିପାରେ । ବାସ୍ତୁଦୋଷ ସୁଧାରିବା ପରେ ଜମିର ଉପଯୋଗ କରିବା ଉଚିତ ।