ମୁମ୍ବାଇ ୧୫/୧୨: ଫିଲ୍ମ ‘ଧୁରନ୍ଧର’ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅର୍ଜୁନ ରାମପାଲ । ଏବେ ବ୍ୟକ୍ତିଗତ କାରଣ ପାଇଁ ସେ ସବୁରି ଧ୍ୟାନ ଆକର୍ଷଣ କରିଛନ୍ତି । ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା ଡେମେଡ୍ରିଏସଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି । ଏ କଥା ନିଜେ ଅର୍ଜୁନ କହିଛନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା କହିଛନ୍ତି, ଉଭୟ ଖୁବ୍ଶୀଘ୍ର ବିବାହ କରିବେ ।
ନିକଟରେ ଉଭୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପଡ୍କାଷ୍ଟ୍ରେ ପହଞ୍ଚିଥିଲେ । ଗେବ୍ରିଏଲା କହିଥିଲେ, ଆମେ ଖୁବ୍ଶୀଘ୍ର ବିବାହ କରିପାରୁ । ଅର୍ଜୁନ କହିଲେ, ଆମର ନିର୍ବନ୍ଧ ହୋଇସାରିଛି । ଏହା ଶୁଣି ରିୟା ଚକିତ ହୋଇ ପଚାରିଲେ, ଆପଣଙ୍କ ନିର୍ବନ୍ଧ ହୋଇସାରିଛି? ଅର୍ଜୁନ ପୁଣିଥରେ ସ୍ପଷ୍ଟ କଲେ, ହଁ । ପଡ୍କାଷ୍ଟରେ ପ୍ରୋମୋ ଜାରି କରି ରିୟା ଏହି ଯୋଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି ।
ତେବେ ଅର୍ଜୁନ ୧୯୯୮ରେ ମଡେଲ ମେହର ଜେସିୟାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇ ଝିଅ ମାହିକା ଓ ମାୟରା ଅଛନ୍ତି । ବିବାହର ୨୦ ବର୍ଷ ପରେ ଅର୍ଜୁନ ଓ ମେହରଙ୍କ ବିଚ୍ଛେଦ ହେଲା । ମେହରଙ୍କ ହେପାଜତରେ ଦୁଇ ଝିଅ ଅଛନ୍ତି । ଅର୍ଜୁନ ମେହରଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୯ରେ ଗେବ୍ରିଏଲାଙ୍କ ସହ ସମ୍ପର୍କ ବିଷୟରେ ସ୍ପଷ୍ଟ କରି ସେ ଗର୍ଭବତୀ ଥିବା ଘୋଷଣା କରିଥିଲେ । ଗେବ୍ରିଏଲା ଗତ ଜୁଲାଇ, ୨୦୧୯ରେ ପୁଅ ଏରିକ୍କୁ ଜନ୍ମ ଦେଇଥିଲେ । ୪ ବର୍ଷ ପରେ, ୨୦୨୩ରେ ଆଉ ଏକ ପୁଅ ଏରିଭ୍କୁ ଜନ୍ମ ଦେଲେ । ୬ ବର୍ଷର ସମ୍ପର୍କ ପରେ ଏହି ଦମ୍ପତି ଖୁବ୍ଶୀଘ୍ର ବିବାହ କରିବେ ।