ଆଜି ବି ମୋର ମନେପଡ଼େ ମୋ ସ୍ୱର୍ଗତ ପିତାଙ୍କ କର୍ଣ୍ଣମୂଳ ଚାପୁଡ଼ା, ଯେତେବେଳେ ବାପା ମଧୁ ବର୍ଣ୍ଣବୋଧରୁ ଡାକୁଥିଲେ କିଛି ଶବ୍ଦ ଆଉ ମୋର ସିଲଟରେ ଲେଖିଲାବେଳେ ବନାନ ଅଶୁଦ୍ଧି ହେଉଥିଲା । ସେହି କ୍ରମରେ ଏଇଆ ମଧ୍ୟ ମୁଖସ୍ଥ ହୋଇଥିଲା "ବରଗଛର ତଳ, ବାମ୍ଫିର ଜଳ, ଖରାଦିନେ ଭାରି ଶୀତଳ’ । ସେତେବେଳେ ତ କେବଳ ବର୍ଣ୍ଣବୋଧ ମୁଁ ପଢ଼ୁଥିଲି, କିନ୍ତୁ ଯେତେବେଳେ ପରିବେଶ ବିଜ୍ଞାନରେ କାମ କରିବା ଆରମ୍ଭ କଲି ସେତେବେଳେ ଚିରନ୍ତନତା ମାର୍ଗ ଖୋଜି ଶେଷରେ ଆମ ଭାରତୀୟ ପରମ୍ପରାରେ ପହଞ୍ଚିଗଲୁ ।
କହିବା ବାହୁଲ୍ୟ, ଯଦି ଉପରୋକ୍ତ ପଦ୍ୟାବଳୀକୁ ଦେଖିବା, ତେବେ ରାଜାରାଜୁଡ଼ା ସମୟରେ ଯେତେବେଳେ ରାସ୍ତାକଡ଼ରେ ବୃକ୍ଷରୋପଣ ହେଉଥିଲା, ଏକ ନୀତି ଅନୁସରଣ କରାହେଉଥିଲା ଯେ ଅନ୍ତତଃ ରାସ୍ତାକଡ଼ର ବୃକ୍ଷ ପଥିକକୁ ଫଳରୂପରେ ଖାଦ୍ୟ ପ୍ରଦାନ କରୁଥିବ, ପିଇବାପାଇଁ ବାମ୍ଫିର ଜଳ ନିଶ୍ଚୟ ଥିବ ଏବଂ ବିଶ୍ରାମ କରିବାପାଇଁ ଘନଛାୟା ଥିବା ବୃକ୍ଷ ବି ନିହାତି ଥିବ, ଯଦ୍ଦ୍ୱାରା ପଥିକଟିଏ ନିଜର କ୍ଷୁଧା, ତୃଷ୍ଣା ସହ ଥକ୍କା ମେଣ୍ଟେଇ ପାରିବ । ଶାସକମାନେ ରାସ୍ତାକଡ଼ ବୃକ୍ଷସମୂହକୁ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏକ ଅତ୍ୟାବଶ୍ୟକ ସାର୍ବଜନୀନ ଭିତ୍ତିଭୂମି ଭାବରେ ବିବେଚନା କରୁଥିଲେ । ଯେହେତୁ ଯାତ୍ରା ମୁଖ୍ୟତଃ ପାଦଚଲା, ଘୋଡ଼ା, ବଳଦଗାଡ଼ି କିମ୍ବା ପାଲିଙ୍କିରେ କରାଯାଉଥିଲା, ତେଣୁ ଏହି ରାସ୍ତାଗୁଡ଼ିକରେ ଛାଇ ଏକ ଆବଶ୍ୟକତା ଥିଲା । ପଥପାଶ୍ୱ ର୍ ବୃକ୍ଷରୋପଣ ପାଞ୍ଚଟି ମୁଖ୍ୟ ନୀତି ଅନୁସରଣ କରୁଥିଲା– ଜନକଲ୍ୟାଣ, ପ୍ରକୃତି ପ୍ରତି ସମ୍ମାନ, ଦେଶୀ ଏବଂ ବହୁମୁଖୀ ପ୍ରଜାତିର ପ୍ରୋତ୍ସାହନ, ସାମୂହିକ ଦାୟିତ୍ୱ ଏବଂ ପରିଚାଳନା ତଥା ଦୀର୍ଘକାଳୀନ ସମାନତା । ବୃକ୍ଷମାନଙ୍କ ଲକ୍ଷଣ ମଧ୍ୟରେ ଛାୟା ନିମନ୍ତେ ପତ୍ରବହଳ, ଶୁଷ୍କ ସହନଶୀଳତା, ଦୀର୍ଘ ଆୟୁଷ, ସର୍ବନିମ୍ନ ରକ୍ଷଣାବେକ୍ଷଣ ଏବଂ ସ୍ଥାନୀୟ ସମ୍ପ୍ରଦାୟ ନିମନ୍ତେ ଉପାଦେୟତା ଆଦିକୁ ଧ୍ୟାନ ଦିଆଯାଉଥିଲା । ଏଥିନିମନ୍ତେ ଆମ୍ବ, ନିମ, ତେନ୍ତୁଳି, ବର, ଅଶ୍ୱତ୍ଥ, ବେଲ, କରଞ୍ଜ, କଦମ୍ବ ବୃକ୍ଷାଦି ଉପଯୁକ୍ତ ବିବେଚିତ ହେଉଥିଲେ ।
ଆଜି ପରିସ୍ଥିତି ବଦଳିଛି । ଗତ ଦୁଇ ଦଶନ୍ଧି ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ରାଜପଥ ପ୍ରକଳ୍ପଗୁଡ଼ିକର ଦ୍ରୁତ ପ୍ରସାରଣ ସଂଯାଗୀକରଣକୁ ଯଥେଷ୍ଟ ବଢ଼େଇ ସାରିଛି । ଜାତୀୟ ରାଜପଥର ଚାରି ଏବଂ ଛଅ ଲେନ୍, ଭାରତମାଳା କାର୍ଯ୍ୟକ୍ରମ ଅଧୀନରେ ଅର୍ଥନୈତିକ କରିଡର, ଶିଳ୍ପ ସଂଯୋଗ ରାସ୍ତା, ଖଣି କରିଡର ଏବଂ ରାଜ୍ୟ ରାଜପଥର ଉନ୍ନତିକରଣ ଆମର ଗତିଶୀଳତା ଏବଂ ଆଥି ର୍କ ଅଭିବୃଦ୍ଧିକୁ ଉନ୍ନତ କରିଛି । ସୁତରାଂ, ରାସ୍ତାଗୁଡ଼ିକ ଦୀର୍ଘ ଆଉ ଚୌଡ଼ା ହେବାଫଳରେ ଗଡ଼ଜାତ ରାଜ୍ୟ ସମୟରେ ଲଗାଯାଇଥିବା ପରିପକ୍ୱ ପଥପାଶ୍ୱର୍ ଗଛଗୁଡ଼ିକର ମଧ୍ୟ ବହୁଳ ପରିମାଣରେ କ୍ଷତି ହୋଇଛି । ଜାତୀୟ ରାଜପଥ ପ୍ରାଧିକରଣ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରମୁଖ ଭାବରେ ଦାୟୀ ।
ରାସ୍ତା ନିର୍ମାଣ ଏବଂ ସମ୍ପ୍ରସାରଣ ସମୟରେ ସାଧାରଣତଃ ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ ଏବଂ ରାସ୍ତାର ମୋଡ଼ ନିର୍ଦ୍ଧାରଣ, ବିସ୍ତୃତ ପ୍ରକଳ୍ପ ରିପୋର୍ଟର ପ୍ରସ୍ତୁତି, ପରିବେଶଗତ ପ୍ରଭାବ ମୂଲ୍ୟାଙ୍କନ, ପ୍ରସ୍ତାବିତ ପଥ ଅଧିକାର ମଧ୍ୟରେ ଗଛଗୁଡ଼ିକର ଗଣନା, ଜଙ୍ଗଲ ଏବଂ ପରିବେଶଗତ ମଞ୍ଜୁରୀ, ବିଭାଗୀୟ ବନ ଅଧିକାରୀଙ୍କଠାରୁ ଗଛ କାଟିବା ଅନୁମତି, କ୍ଷତିପୂରଣ ବନୀକରଣ ଶୁଳ୍କ ପ୍ରଦାନ, ଗଛକଟା ଏବଂ ରାସ୍ତା ନିର୍ମାଣ, କ୍ଷତିପୂରଣ ରୋପଣ ଏବଂ ପରବର୍ତ୍ତୀ ରକ୍ଷଣାବେକ୍ଷଣ ଆଦି ଅନ୍ତଭୁର୍କ୍ତ । ଏହି ପ୍ରକ୍ରିୟାରେ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପଗୁଡ଼ିକ ପ୍ରାୟତଃ ପୂର୍ବରୁ ଥିବା ପରିପକ୍ୱ ଗଛଗୁଡ଼ିକର ସଂରକ୍ଷଣ ଅପେକ୍ଷା ଇଞ୍ଜିନିୟରିଂ ଦକ୍ଷତା ଏବଂ ଜମି ଉପଲବ୍ଧତାକୁ ପ୍ରାଥମିକତା ଦିଅନ୍ତି । ଦାୟିତ୍ୱରେ ଥିବା ସଂସ୍ଥାମାନେ ଗଛ କାଟିବା ପାଇଁ ଏହି ଯୁକ୍ତି ବାଢ଼ନ୍ତି ଯେ, ଯଦି ଗଛ ନକଟାଯିବ ତେବେ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ଯାଇପାରିବେନି, ବେଶି ଦୂରକୁ ଦେଖାଯିବନି, ରାସ୍ତାରେ ଅଧିକ ଲେନ୍ ହୋଇପାରିବନି, ରାସ୍ତା ତଳକୁ ସେବା ରାସ୍ତା ନିର୍ମାଣ ହେବନାହିଁ, ଡ୍ରେନ ଆଉ ଅନ୍ୟାନ୍ୟ ଉପଯୋଗୀ ଭିତ୍ତିଭୂମି ସ୍ଥାପନ ହେବନି ତଥା ସର୍ବୋପରି ସୁରକ୍ଷା ଓ ନିରାପତ୍ତା ମାନଦଣ୍ଡର ବୃଦ୍ଧି ଅସମ୍ଭବ ହୋଇପଡ଼ିବ । ଯେତେବେଳେ ପ୍ରକଳ୍ପ ପ୍ରସ୍ତାବକମାନଙ୍କୁ ଗଛକଟାକୁ କମ୍ କରିବା ପାଇଁ ବିକଳ୍ପ ଅନୁସନ୍ଧାନ କରିବାକୁ କୁହାଯାଏ, ଗଛକଟାର ବିକଳ୍ପକୁ ବେଶି ଗୁରୁତ୍ୱ ଦିଆଯାଏନାହି ଁ । ଅନ୍ୟ ବିକଳ୍ପ ଯେପରି ପରିପକ୍ୱ ଗଛ ସ୍ଥାନାନ୍ତରଣ ଉଚ୍ଚ ଖର୍ଚ୍ଚ, ସୀମିତ ବୈଷୟିକ ବିଶେଷଜ୍ଞତା, କମ୍ ବଞ୍ଚିବା ହାର, କଠିନ ନିର୍ମାଣ ସମୟସୀମା ଯୋଗୁଁ ମଧ୍ୟ କରାଯାଏନାହିଁ ।
ପରିବେଶ ପୋର୍ଟାଲ ମାଧ୍ୟମରେ ଜାରି କରାଯାଇଥିବା ସମ୍ପ୍ରତି ଜଙ୍ଗଲ ମଞ୍ଜୁରୀ ସର୍ତ୍ତାବଳୀ ଅନୁଯାୟୀ ପ୍ରକଳ୍ପ ପ୍ରସ୍ତାବକମାନଙ୍କୁ ଗଛକଟାକୁ ଅନୁମୋଦନ କରିବା ପୂର୍ବରୁ ଗଛ ପ୍ରତିରୋପଣ କରିବା ଅନିବାର୍ଯ୍ୟ । ୭୦ରୁ ୧୦୦ ବର୍ଷ ପୁରୁଣା ଗଛକଟା ଯୋଗୁଁ ପରିବେଶଗତ କ୍ଷତି ତୁରନ୍ତ ଭରଣା କରାଯାଇପାରିବନି । ଏହି ବୃକ୍ଷକଟା ଯୋଗୁଁ କାର୍ବନ ଅବଶୋଷଣ, ସୂକ୍ଷ୍ମ ଜଳବାୟୁ ନିୟନ୍ତ୍ରଣ, ପକ୍ଷୀ ଓ ଅନ୍ୟ ଜୀବଜନ୍ତୁଙ୍କ ବସାଗୁଡ଼ିକର ଭରଣା, ପରାଗସଙ୍ଗମ, ଭୂତଳ ଜଳ ପୁନଃଭରଣ, ଧୂଳି ଏବଂ ଶବ୍ଦ ହ୍ରାସ, ପଦଯାତ୍ରୀ ଏବଂ ପଶୁପାଳନ ପାଇଁ ଛାଇ ଆଦି ପୁରୁଣା ଗଛ କାଟି ନୂଆ ଚାରା ଦ୍ୱାରା ସମ୍ଭବ ହୋଇପାରିବନି । ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ସୂଚନା ଅନୁଯାୟୀ, ୨୦୧୦ରୁ ୨୦୨୦ ମଧ୍ୟରେ ରାସ୍ତା ପ୍ରଶସ୍ତୀକରଣ ଏବଂ ଭିତ୍ତିଭୂମି ପ୍ରକଳ୍ପ ପାଇଁ ରାଜ୍ୟରେ ୧.୮୫ କୋଟିରୁ ଅଧିକ ଗଛ କଟାଯାଇଥିଲା । ସେହି ସମୟ ମଧ୍ୟରେ କ୍ଷତିପୂରଣ ଭାବରେ ମାତ୍ର ପ୍ରାୟ ୨୯ଲକ୍ଷ ଚାରା ରୋପଣ କରାଯାଇଥିବା ରିପୋର୍ଟ କରାଯାଇଛି । ଏହାର ଅର୍ଥ ହେଉଛି, ପ୍ରାୟ ପ୍ରତିରୋପଣ ହୋଇଥିବା ଚାରା ପାଇଁ ଛଅଟି ଗଛ କଟାଯାଇଛି ଯେଉଁଠି ଗଛକଟାର ୧୦ଗୁଣ ଗଛ ପ୍ରତିରୋପଣ କରିବା ଅନିବାର୍ଯ୍ୟ ଅଟେ । ସେହିପରି, ଦକ୍ଷିଣ ଓଡ଼ିଶା ଦେଇ ରାୟପୁର ଏବଂ ବିଶାଖାପାଟଣାକୁ ସଂଯୋଗ କରୁଥିବା ଭାରତମାଳା ଗ୍ରୀନଫିଲ୍ଡ କରିଡରରେ କେବଳ ନବରଙ୍ଗପୁର ଜିଲ୍ଲାରେ ୩୬,୭୮୧ ଗଛ କଟାଯାଇଛି, ବାଇପାସ୍ ଏବଂ ପ୍ରଶସ୍ତୀକରଣ କାର୍ଯ୍ୟ ଅନ୍ତଭୁର୍କ୍ତ ହେବା ପରେ ମୋଟ୍ କ୍ଷତି ୪୬,୭୧୪ ଗଛକୁ ବୃଦ୍ଧିପାଇଛି । ବିଡ଼ମ୍ବନା ଯେ, ଏଥିରେ ବିଦେଶୀ ପ୍ରଜାତିକୁ ଶୀଘ୍ର ବଢ଼ିବା, ପ୍ରାରମ୍ଭିକ କମ୍ ରକ୍ଷଣାବେକ୍ଷଣ ଯୋଗୁଁ ପ୍ରୋତ୍ସାହନ ଦିଆଯାଇଛି ।
ଭାରତ ସରକାର ରାସ୍ତାପାଶ୍ୱ ର୍ ରୋପଣକୁ ନିୟନ୍ତ୍ରଣ କରୁଥିବା ଅନେକ ନୀତି ସ୍ଥାପନ କରିଛନ୍ତି, ଯଥା- ସବୁଜ ରାଜପଥ (ରୋପଣ, ପ୍ରତିରୋପଣ, ସୌନ୍ଦର୍ଯ୍ୟକରଣ ଏବଂ ରକ୍ଷଣାବେକ୍ଷଣ) ନୀତି, ୨୦୧୫ । ଏଥିରେ ଜାତୀୟ ରାଜପଥ ବିକାଶରେ ସବୁଜ ଭିତ୍ତିଭୂମିର ସମନ୍ୱୟ ବାଧ୍ୟତାମୂଳକ । ଏହି ନୀତି ରୋପଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ପାଇଁ ସିଭିଲ୍ ନିର୍ମାଣ ଖର୍ଚ୍ଚର ପ୍ରାୟ ଏକ ପ୍ରତିଶତ ଆବଣ୍ଟନ କରିବାକୁ ସୁପାରିସ କରେ । ଇଣ୍ଡିଆନ ରୋଡ କଂଗ୍ରେସ ନିର୍ଦ୍ଦେଶାବଳୀ ଯାହା ସ୍ଥାନୀୟ ଜଳବାୟୁ ଅନୁଯାୟୀ ପ୍ରଜାତିର ଉପଯୁକ୍ତତା, ମିଶ୍ରିତ-ପ୍ରଜାତିର ବୃକ୍ଷରୋପଣ, ଦୃଶ୍ୟମାନତାରେ ବାଧା ସୃଷ୍ଟି କରୁଥିବା କିମ୍ବା ଫୁଟପାଥକୁ କ୍ଷତି ପହଞ୍ଚାଉଥିବା ପ୍ରଜାତି ଏଡ଼ାଇବାକୁ ପରାମର୍ଶ ଦିଏ । କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ ବ୍ୟବସ୍ଥା ତଥା ଜଙ୍ଗଲ ମଞ୍ଜୁରୀ ସର୍ତ୍ତାବଳୀର ବ୍ୟବସ୍ଥା ଅନୁଯାୟୀ, ପ୍ରକଳ୍ପ ପ୍ରସ୍ତାବକମାନଙ୍କୁ ଗଛକଟା, କ୍ଷତିପୂରଣ ରୋପଣ ଓ ରକ୍ଷଣାବେକ୍ଷଣ ତଥା ତଦାରଖ ଖର୍ଚ୍ଚ ବହନ କରିବାକୁ ପଡ଼େ ।
ଚଳିତ ବର୍ଷ ଅପ୍ରେଲ ମାସଠାରୁ ଜାତୀୟ ରାଜପଥ ବିକାଶରେ ଜୈବ ବିବିଧତାକୁ ବୃଦ୍ଧିକରିବା ଏବଂ ପରିବେଶଗତ ସ୍ଥିରତାର ଅଭିବୃଦ୍ଧି କରିବା ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ "ଆରୋଗ୍ୟ ବନ’ ଯୋଜନା ପ୍ରଣୟନ କରିଛନ୍ତି, ଯେଉଁଥିରେ ଜାତୀୟ ରାଜପଥ କଡ଼ରେ ଖାଲି ଜମିରେ ଆବଶ୍ୟକତା ଅନୁଯାୟୀ ଔଷଧୀୟ ବୃକ୍ଷରୋପଣ କରାଯିବ । ପ୍ରଥମ ପର୍ଯ୍ୟାୟରେ, ୬୨.୮ ହେକ୍ଟରରୁ ଅଧିକ ଜମିରେ ବିସ୍ତୃତ ୧୭ଟି ପ୍ରକଳ୍ପକୁ ନେଇ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ ଏନସିଆର, ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଶ୍ୱର୍ରେ ପ୍ରାୟ ୬୭,୪୬୨ ଔଷଧୀୟ ଗଛ ରୋପଣ କରାଯିବ । ଏହା ସହିତ ପ୍ରତିଷ୍ଠିତ ଔଷଧୀୟ ଗୁଣସମ୍ପନ୍ନ ପ୍ରାୟ ୩୬ ପ୍ରକାର ଗଛ ପ୍ରଜାତି ଚିହ୍ନଟ କରାଯାଇଛି ଏବଂ ସମ୍ପୃକ୍ତ ଜଳବାୟୁ ଅନୁସାରେ ଜମିରେ ରୋପଣ କରାଯିବ ।
ଜନସଚେତନତା ବଢ଼ାଇବା ପାଇଁ ଟୋଲ୍ ପ୍ଲାଜା, ରାସ୍ତାପାଶ୍ୱ ର୍ ସୁବିଧା, ଇଣ୍ଟରଚେଞ୍ଜ, କ୍ଲୋଭରଲିଫ୍ ଜଙ୍କସନ୍ ଏବଂ ଜାତୀୟ ରାଜପଥ ସହିତ ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ନିକଟରେ ଜମିକୁ ପ୍ରାଥମିକତା ଦିଆଯିବ । ଭାରତ ସରକାରଙ୍କ ଭୂଦୃଶ୍ୟ ଏବଂ ବୃକ୍ଷରୋପଣ ନିର୍ଦ୍ଦେଶାବଳୀ ଅନୁସାରେ ହିଁ ହେବ । "ଆରୋଗ୍ୟ ବନ’ ଯୋଜନା ଆୟୁର୍ବେଦ ଭଳି ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ପ୍ରୋତ୍ସାହିତ କରିବ ଏବଂ ସ୍ୱଦେଶୀ ଔଷଧୀୟ ଉଦ୍ଭିଦର ସଂରକ୍ଷଣ ଦିଗରେ ମଧ୍ୟ ଯୋଗଦାନ ଦେବ । ଏହା ବ୍ୟତୀତ, ଏହି ବୃକ୍ଷରୋପଣ ପାରମ୍ପରିକ ଔଷଧୀୟ ଜ୍ଞାନ ପ୍ରଣାଳୀ ଏବଂ ସମସାମୟିକ ଏହାର ପ୍ରାସଙ୍ଗିକତା ବିଷୟରେ ମଧ୍ୟ ଜନସଚେତନତା ସୃଷ୍ଟି କରିବ। ଯଦି ଔଷଧୀୟ ବୃକ୍ଷର ଉପାଦେୟତାକୁ ରାଜମାର୍ଗରେ ଅନୁସରଣ କରାଗଲା ତେବେ ଫଳ ବୃକ୍ଷର କାହିଁକି ନୁହେଁ? ଯଦି ଆମେ ପ୍ରକୃତ ମାର୍ଗକୁ ଅଣ୍ଡାଳୁଛେ, ତେବେ ଅତୀତର ଶିକ୍ଷା ଆଉ ଅନୁଭବର ମାର୍ଗ କାହିଁକି ନୁହେଁ?