କଟକ, ୦୪/୦୭: ଓଡ଼ିଶା ହାଇକୋର୍ଟର ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର୍‌ (ଏଏସ୍‌ଓ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି ।  ସମସ୍ତ ଅଭିଯୁକ୍ତଙ୍କ ପକ୍ଷରୁ ଦାୟର ହୋଇଥିବା ଜାମିନ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଆବେଦନକାରୀଙ୍କୁ  ଲିଖିତ ଜବାବ ଦାଖଲ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଯେ, ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଏଏସ୍‌ଓ ମୁଖ୍ୟ ଲିଖିତ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ହାଇକୋର୍ଟ ସେହି ପରୀକ୍ଷାକୁ ବାତିଲ କରିଦେଇଥିଲେ । ଏହାପରେ ପୁନର୍ବାର ମୁଖ୍ୟ ଲିଖିତ ପରୀକ୍ଷା କରାଯାଇ ଫଳାଫଳ  ପ୍ରକାଶ ପାଇଥିଲା । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା  ଏକ ଆଉଟସୋର୍ସିଂ ଏଜେନ୍‌ସିର କାର୍ଯ୍ୟକଳାପରେ ତ୍ରୁଟି ଏବଂ  ଅନିୟମିତତା ଜଣାପଡ଼ିବା ପରେ କଟକର ଲାଲବାଗ ଥାନାରେ ଏକ  ମାମଲା ରୁଜୁ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  ଝୁଲିପଡ଼ିଲେ ମହିଳା ଆଇଆଇସି; କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

ତଦନ୍ତ ସମୟରେ ଖାତା ମୂଲ୍ୟାୟନରୁ  ଜଣାପଡ଼ିଥିଲା ଯେ କେତେକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀ ମଡେଲ ଉତ୍ତରକୁ  ନକଲ କରି ଅସ୍ୱାଭାବିକ ଭାବେ ଅଧିକ ମାର୍କ ରଖିଛନ୍ତି । ଏଥିସହିତ  ଫୋନ୍‌ ରେକର୍ଡରୁ ଆଉଟ୍‌ସୋର୍ସିଂ ଏଜେନ୍‌ସିର ଅଧିକାରୀ, ଦଲାଲ୍‌  ଏବଂ କେତେକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସନ୍ଦେହଜନକ ଯୋଗାଯୋଗ  ଥିବା ପ୍ରମାଣ ମିଳିଥିଲା । ପୁଲିସ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ  କରିଥିଲା । ପରେ ନିମ୍ନଅଦାଲତ ସେମାନଙ୍କ ଜାମିନ୍‌ ଆବେଦନକୁ  ଖାରଜ କରିଦେଇଥିଲେ । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ  ସୌରଚନ୍ଦ୍ର ମହାପାତ୍ର, ବୁଦ୍ଧଦେବ ରାଉତରାୟ, ଆଇନଜୀବୀ  ବିଭୁତି ଭୂଷଣ ଚୌଧୁରୀ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି ।