ଭୁବନେଶ୍ୱର,୦୪/୦୭: କପି ସିନେମାକୁ ପୁରସ୍କାର? ଚୟନକର୍ତ୍ତା ନିୟମାବଳୀ ଭୁଲିଗଲେ? ବଜାରରେ ମିଳୁନଥିବା ବହି ପାଇବ, ମୋ ବହି ପାଇବନି? ଜୟଦେବ ପୁରସ୍କାର ପାଇଛି ବୋଲି କ’ଣ ଆଉ କିଛି ପାଇବିନି, ଏମିତି କ’ଣ ନିୟମ ଅଛି? ଜାତୀୟ ପୁରସ୍କୃତ ଶ୍ରେଷ୍ଠ ସିନେମା ରାଜ୍ୟରେ ଶ୍ରେଷ୍ଠ ହେଲା । ତା’ର ନାୟିକା ଶ୍ରେଷ୍ଠ ହେଲେ ମାତ୍ର ନାୟକଙ୍କ ହାତ ଖାଲି? ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିଣିଥିବା ସିନେମାକୁ ମଧ୍ୟ ପୁରସ୍କାରଟିଏ ନାହିଁ? ପୁଣି ବିଚାରକ ମଣ୍ଡଳୀ ଗଠନ, ସମ୍ପର୍କୀୟଙ୍କ ସିନେମା ଥାଇ ବିଚାରକ ରହିବା, ବିଭିନ୍ନ ପ୍ରତିଭାଙ୍କୁ ଯୋଗାଯୋଗ, ଜୁରି ଥାଇ ଗଣମାଧ୍ୟମରେ ପ୍ରଘଟ ଭଳି ଅନେକ ଘଟଣା ଚର୍ଚ୍ଚାରେ ରହିଆସିଛି । ପୁରସ୍କାର ଦିଆସରିଛି ସତ, କିନ୍ତୁ ଚର୍ଚ୍ଚା ଥମିନି ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ଗଦା ଗଦା ଅଭିଯୋଗ । ଜନତାଙ୍କ ଅଦାଲତରେ ବିଚାରକଙ୍କ ବିଜ୍ଞତା, ଚୟନ ଓ ଆୟୋଜକଙ୍କ ନିଷ୍ପତ୍ତି । ଯାହାକୁ ନେଇ ବାକ୍ଯୁଦ୍ଧ । ମୁହାଁମୁହିଁ କଳାକାର । ପୁରସ୍କାର ପାଇଥିବା ଏବଂ ଆଶାୟୀ ତଥା ଅନ୍ୟ ପାଇଁ ଲବି କରୁଥିବା ସିନେପ୍ରେମୀ ତଥା କଳାକାରଙ୍କ ମଧ୍ୟରେ ଲଢ଼େଇ ଜୋର୍ଦାର୍ । ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି । ଜଣେ ଅଭିଯୋଗ ଆଣିଲେ ଆଉ ଜଣେ ପ୍ରତିକ୍ରିୟା ଦେବାକୁ ଚାହିଁ ବସିଛି । ବିବାଦ ତୁଟିବା ବଦଳରେ ଅଧିକ ଘନଉଛି ।

ସମସ୍ତେ ଅଭିଯୋଗ ଆଣୁଛନ୍ତି, (ଏଠି ସମ୍ମାନ ଦୃଷ୍ଟିରୁ କାହାରି ନାଁ ନେଉନାହୁଁ) କିନ୍ତୁ ସବୁ ସୋସିଆଲ୍ ମିଡିଆରେ ସୀମିତ । ନା କେହି କାହାରି ନାଁ ନେଇ ଅଭିଯୋଗ କରୁଛନ୍ତି, ନା ବିଚାରକ, ଆୟୋଜକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ମନ୍ତ୍ରୀ କିମ୍ବା ସଚିବଙ୍କୁ ଲିଖିତ ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ମୁଖ୍ୟମନ୍ତ୍ରୀଙ୍କ ସହିତ ବି ସିଧାସଳଖ ଯୋଗାଯୋଗ କରୁନାହାନ୍ତି । ନିଜକୁ ଚର୍ଚ୍ଚାରେ ରଖିବାକୁ ଶସ୍ତା ଲୋକପ୍ରିୟତା ସାଉଁଟି ଟ୍ରୋଲ୍ ହେବାରେ ବ୍ୟସ୍ତ ରହିଛନ୍ତି । ଏହାଦ୍ୱାରା କଳା କମୁଛି, କଳି ବଢ଼ୁଛି ଏବଂ ସୃଜନଶୀଳତା ଛିଡ଼ି ଚାଲିଛି । ସିନେମା ଏବଂ ବ୍ୟକ୍ତିତ୍ୱ ଉପରକୁ ଉଠିବା ବଦଳରେ ତଳକୁ ଖସୁଛି ।

ଅଧିକ ପଢ଼ନ୍ତୁ :- ଓଡ଼ିଶା ହାଇକୋର୍ଟର ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର୍ ପ୍ରଶ୍ନପତ୍ର ପ୍ରଘଟ ମାମଲା: ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନିକଟରେ ୩୫ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଓ ୨୦୨୪ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଲା ଆହ୍ୱାନ ଦେଲେ । ଯଦି କାହାର କିଛି ସମସ୍ୟା କିମ୍ବା ଓଡ଼ିଆ ସିନେମାର ଉନ୍ନତି ପାଇଁ ପ୍ରସ୍ତାବ ଅଛି, ମତେ ଜଣାନ୍ତୁ । ଆପଣମାନଙ୍କୁ ସର୍ବଦା ସ୍ୱାଗତ । କିଛିଦିନ ପୂର୍ବରୁ ଓଡ଼ିଆ ସିନେମା ଶିଳ୍ପର ବିକାଶ ଆଲୋଚନାରେ ବି ମୁଁ ଅନେକ କଳାକାରଙ୍କୁ ଖୋଜିଲି, ସେମାନେ ଆସିନଥିବାରୁ ଭଲ ଲାଗିଲାନି । ମୁଁ କହିଲି, ସମସ୍ତଙ୍କୁ ଆସିବାକୁ କୁହନ୍ତୁ । କଥା ହେଲା³ ଏଠି ମୁଖ୍ୟମନ୍ତ୍ରୀ ଡାକୁଛନ୍ତି, ହେଲେ କଳାକାର ତାଙ୍କୁ ଭେଟି ଆଲୋଚନା କରିବା ବଦଳରେ ପିଲା କଳିରେ ମାତିଛନ୍ତି । ଯାହାକୁ ଦେଖି ଲୋକେ ହସୁଛନ୍ତି । କହୁଛନ୍ତି, ଭଲ ସିନେମା ଚାଲିଛି । ପୁରସ୍କାର ପକ୍କା ।

ସମୀକ୍ଷକମାନେ କହୁଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ସେଦିନ ଏହିମାନଙ୍କୁ ଓଡ଼ିଆ ସିନେମା ପାଇଁ ‘ଟିମ୍ ଓଡ଼ିଶା’ ହୋଇ କାମ କରିବାକୁ କହୁଥିଲେ? ଯେଉଁମାନେ ଆଜି ଗୋଡ଼ଟଣା, ସାଙ୍ଗକୁ କାଦୁଅ ଫିଙ୍ଗାଫିଙ୍ଗିରେ ବ୍ୟସ୍ତ । ସତରେ ଏମାନେ ଜାତୀୟସ୍ତରରୁ କିଛି ଶିଖିଲେନି । ସେଠି ବି ପ୍ରତିବର୍ଷ ପୁରସ୍କାର ହେଉଛି, କିନ୍ତୁ କେହି ଏମିତି ହେଉନାହାନ୍ତି । ଆମର ପୁରସ୍କାର ବିଜ୍ଞପ୍ତି ଦିନରୁ ପ୍ରଦାନ ପର ପର୍ଯ୍ୟନ୍ତ ଦୈନିକ ଯୁଦ୍ଧ । ଏତିକି ଲଢ଼େଇ ଭଲ ସିନେମା ପାଇଁ ଲାଗନ୍ତା ଭଲା, ଅନ୍ତତଃ ପକ୍ଷେ ୯୦ ବର୍ଷରେ ସଂଘର୍ଷ କରିବାକୁ ପଡ଼ୁନଥାନ୍ତା । ଠିକ୍ ଅଛି³ ପୁରସ୍କାର ସ୍ୱଚ୍ଛତା, ନିରପେକ୍ଷତା ବଜାୟ ରଖିବା ସହ ବିବାଦଠୁ ଦୂରେଇ ରହିବା ଉଚିତ୍ । ଏଥିରେ ସଂସ୍କାର ଏବଂ ନିୟମାବଳୀରେ ସଂଶୋଧନ ବି ଆବଶ୍ୟକ । ମାତ୍ର ସବୁ ପାଇଁ ଯୁକ୍ତି ଉପସ୍ଥାପନା ସେହିଭଳି ଢ଼ଙ୍ଗରେ ହେବା ଦରକାର । ନୁହେଁକି, ଅଯଥା କଳି କରି ନାଁ ପକାଇବା ।

ସୂଚନାଯୋଗ୍ୟ, ଉଭୟ ବର୍ଷ ଲାଗି ମୋଟ୍ ୫୨ଟି ଚଳଚ୍ଚିତ୍ର ଆବେଦନ ହୋଇଥିବା ବେଳେ ୩୫ଟି ସିନେମା ବିଭିନ୍ନ ବର୍ଗରେ (୨୦୨୩ ଲାଗି ଆବେଦନ ୨୪ରୁ ୧୭ ଏବଂ ୨୦୨୪ ଲାଗି ୨୮ରୁ ୧୮ଟି ସିନେମା) ପୁରସ୍କୃତ ହୋଇଥିଲା ।