ଟ୍ରୋଲିଂକୁ ନେଇ ଅର୍ଶଦୀପଙ୍କ ପ୍ରତିକ୍ରିୟା: ‘ପ୍ରଶଂସକ ଭଲ ପାଇବେ ଗାଳି ବି କରିବେ, ଉଭୟକୁ ଗ୍ରହଣ କରିବାକୁ ହେବ’

ନୂଆଦିଲ୍ଲୀ ୨୯/ ୧୧: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଖୁବ କମ୍ ଦିନ ମଧ୍ୟରେ ନିଜକୁ ପ୍ରମାଣିତ କରିପାରିଛନ୍ତି । ଶାଣିତ ବୋଲିଂରେ ବ୍ୟାଟରଙ୍କୁ ଦ୍ବନ୍ଦରେ ପକାଇବାରେ ସମର୍ଥନ ହୋଇଛନ୍ତି ଅର୍ଶଦୀପ । ଭାରତର ଏହି ଉଦୀୟମାନ ବୋଲର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥନ ହୋଇଛନ୍ତି । ତେବେ କ୍ରିକେଟରମାନଙ୍କୁ ପ୍ରଶଂସକମାନେ ଟ୍ରୋଲ୍ କରିବା ପ୍ରସଙ୍ଗରେ ଅର୍ଶଦୀପ ସିଂହ ନିଜ ବୟାନ ରଖିଛନ୍ତି ।
ଅର୍ଶଦୀପ ସିଂହ କହିଛନ୍ତି, ‘ପ୍ରଶଂସକମାନେ ସେମାନଙ୍କ ଭଲ ପାଇବା ଦିଅନ୍ତି ଏବଂ ଗାଳି ମଧ୍ୟ ଦିଅନ୍ତି । ତେଣୁ ଖେଳାଳିମାନେ ଉଭୟକୁ ଗ୍ରହଣ କରିବା ଉଚିତ’। ନିକଟରେ ଅର୍ଶଦୀପ ସିଂହ ମଧ୍ୟ ଟ୍ରୋଲର ଶିକାର ହୋଇଥିଲେ । ସାମାଜିକ ଗଣମାଧ୍ୟମରେ ମଧ୍ୟ ଅର୍ଶଦୀପଙ୍କୁ ନେଇ ବିଭିନ୍ନ ବିଭ୍ରାନ୍ତିକର ପୋଷ୍ଟ ଦେଖିବାକୁ ମିଳିଥିଲା । ୨୦୨୨ ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳାଯାଉଥିବା ବେଳେ ଆସିଫ୍ ଅଲ୍ଲୀଙ୍କ ଏକ ସହଜ କ୍ୟାଚ୍କୁ ହାତଛଡା କରିଥିଲେ ଅର୍ଶଦୀପ ଏବଂ ଭାରତ ସେହି ମ୍ୟାଚକୁ ୫ ଓ୍ବିକେଟରେ ପରାସ୍ତ ହୋଇଥିଲା । ଯାହାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
ପ୍ରେସ୍ କନଫରେନ୍ସରେ ଅର୍ଶଦୀପ ସିଂହ କହିଛନ୍ତି, ‘ଆମକୁ ଏବଂ ଆମ ଖେଳକୁ ପ୍ରଶଂସକମାନେ ବେଶ୍ ଭଲ ପାଇବା ଦିଅନ୍ତି । ଆମେ ଯେତେବେଳେ ସର୍ବୋକୃଷ୍ଟ ପ୍ରଦର୍ଶନ କରୁ ଆମକୁ ପ୍ରଶଂସକମାନେ ଅଜସ୍ର ଭଲପାଇବା ଦିଅନ୍ତି । ଆମର ପ୍ରଦର୍ଶନ ଯେତେବଳେ ନିମ୍ନମାନର ହୁଏ ପ୍ରଶଂସକମାନେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରନ୍ତି । କାରଣ ଆମେ ଭାରତ ପାଇଁ ଖେଳୁଛୁ ଏବଂ ସେମାନେ ପ୍ରଶଂସକ । ତେଣୁ ସେମାନଙ୍କର ଭଲ ପାଇବାର ଅଧିକାର ଯେମିତି ଅଛି ସେହିଭଳି ଗାଳି ଦେବାର ଅଧିକାର ବି ଅଛି । ତେଣୁ ଆମେ ଉଭୟଙ୍କୁ ଗ୍ରହଣ କରିବା ଉଚିତ’।
ସୂଚନାଯୋଗ୍ୟ, ଏସିଆ କପ୍ରେ ଦମଦାର ପ୍ରଦର୍ଶନ କରିବା ପରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ମଧ୍ୟ ପ୍ରଭାବି ପ୍ରଦର୍ଶନ କରିଥିଲେ ଅର୍ଶଦୀପ ସିଂହ । ବିଶେଷ କରି ପାକିସ୍ତାନ ବିପକ୍ଷ ମ୍ୟାଚରେ ଅର୍ଶଦୀପଙ୍କ ଶାଣିତ ବୋଲିଂ ସମସ୍ତଙ୍କୁ ବିମୋହିତ କରିଥିଲା । ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରାଇଥିଲେ ଅର୍ଶଦୀପ । ଏହା ପରେ ମହମ୍ମଦ ରିଜଓ୍ବାନ ଏବଂ ଆସିଫ ଅଲ୍ଲୀଙ୍କ ଓ୍ବିକେଟ ମଧ୍ୟ ନେଇଥିଲେ । ସେହି ମ୍ୟାଚରେ ୪ ଓଭର ବୋଲିଂକରି ୩୨ ରନ ଦେଇ ୩ଟି ଓ୍ବିକେଟ ନେଇଥିଲେ ।