ନୂଆଦିଲ୍ଲୀ - ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାର ଶୁଣାଣି କରୁଥିବା ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ବଦଳି ପାଇଁ କେଜରିୱାଲଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। କେଜ୍ରିୱାଲ ବିଚାରପତିଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣି ଥିଲେ। କିନ୍ତୁ, ହାଇକୋର୍ଟରୁ ଝଟକା ପାଇବା ପରେ, କେଜ୍ରିୱାଲ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନେ ମଦ ଦୁର୍ନୀତି ମାମଲାରେ ସେମାନଙ୍କ ଦୋଷମୁକ୍ତି ବିରୋଧରେ ସିବିଆଇର ଆବେଦନକୁ ,ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ବଦଳରେ ଅନ୍ୟ ଜଣେ ବିଚାରପତିଙ୍କ ସମ୍ମୁଖରେ ତାଲିକାଭୁକ୍ତ କରିବାକୁ ଆବେଦନ କରିଥିଲେ।
ଏହା ମଧ୍ୟ ପଢ଼ନ୍ତୁ : କେଜ୍ରିୱାଲଙ୍କ ଦାବିକୁ ଖାରଜ କରିଦେଲେ ହାଇକୋର୍ଟ , ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଠାରୁ ଟ୍ରାନ୍ସଫର ହେବ ନାହିଁ ମାମଲା
ଘଟଣାକ୍ରମ ସହିତ ଜଡିତ ସୂତ୍ର ଅନୁଯାୟୀ, ଜଷ୍ଟିସ୍ ଉପାଧ୍ୟାୟ କହିଥିଲେ ଯେ, ରୋଷ୍ଟର ଅନୁସାରେ ଜଷ୍ଟିସ୍ ଶର୍ମା ଅଧିନସ୍ଥ କୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ସିବିଆଇର ଆବେଦନର ଶୁଣାଣି କରୁଛନ୍ତି ଏବଂ ଅନ୍ୟ କୌଣସି ବିଚାରପତିଙ୍କ ସମ୍ମୁଖରେ ଆବେଦନକୁ ତାଲିକାଭୁକ୍ତ କରିବାର କୌଣସି କାରଣ ନାହିଁ। ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି ଯେ, କେବଳ ସମ୍ପୃକ୍ତ ବିଚାରପତି ହିଁ ଆବେଦନରୁ ନିଜକୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇ ପାରିବେ।
ସୋମବାର ଦିନ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ସମ୍ମୁଖରେ ସିବିଆଇ ଆବେଦନ ତାଲିକାଭୁକ୍ତ ହୋଇଛି। କେଜ୍ରିୱାଲ, ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆ ଏବଂ ଅନ୍ୟମାନେ ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟ ବିଚାରପତି ଉପାଧ୍ୟାୟଙ୍କ ସମ୍ମୁଖରେ ଏକ ପ୍ରତିବେଦନ ଦାଖଲ କରି ,ସିବିଆଇର ଆବେଦନ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତଙ୍କ ବଦଳରେ ଜଣେ ନିରପେକ୍ଷ ବିଚାରପତିଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା ।
ରିପୋର୍ଟରେ, କେଜରିୱାଲ ଦାବି କରିଛନ୍ତି ଯେ, ତାଙ୍କୁ ଏହି ମାମଲାରେ ନିରପେକ୍ଷ ଶୁଣାଣି ନହେବାର ଗମ୍ଭୀର, ବାସ୍ତବିକ ଏବଂ ଯୁକ୍ତିଯୁକ୍ତ ଆଶଙ୍କା ରହିଛି। କହି ରଖୁଛୁ ଯେ, ୨୭ ଫେବ୍ରୁଆରୀରେ, ତଳ କୋର୍ଟ କେଜ୍ରିୱାଲ, ସିସୋଦିଆ ଏବଂ ଅନ୍ୟ ୨୧ ଜଣଙ୍କୁ ଦୋଷମୁକ୍ତ କରିଥିଲେ ଏବଂ ସିବିଆଇକୁ ଭର୍ତ୍ସନା କରିଥିଲେ ।