ନୂଆଦିଲ୍ଲୀ: ବୟସ ୭୮ । ପୁଣିଥରେ ସାଜିଲେ ବର । ଆଉ ସ୍ତ୍ରୀଙ୍କ ଗଳାରେ ପକାଇଲେ ଫୁଲ ହାର । ମରାଠୀ ଏବଂ ବଲିଉଡର ଜଣାଶୁଣା ବରିଷ୍ଠ ଅଭିନେତା ଅଶୋକ ସରାଫଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସେ ପୁନଃବିବାହ କରିଥିବା ଦେଖିବାକୁ ମିଳିଛି । ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ୩୭ତମ ବିବାହ ବାର୍ଷିକୀ ପାଳନକୁ ସ୍ବତନ୍ତ୍ର କରିଛନ୍ତି । ପତ୍ନୀ ନିବେଦିତାଙ୍କ ଗଳାରେ ଫୁଲହାର ଗଳାଇଥିବାବେଳେ ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଉ ୟୁଜର୍ସମାନେ ଏଥିରେ ସକରାତ୍ମକ କମେଣ୍ଟମାନ ଦେଉଥିବାବେଳେ ଶୁଭେଚ୍ଛା ଜଣାଉଛନ୍ତି ।
ନିଜ ପତ୍ନୀଙ୍କୁ ଭଲ ପାଇବା ଦେଇଥାନ୍ତି ଅଶୋକ । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । ମରାଠୀ ସିନେମା ଜଗତର ଜଣାଶୁଣା ଦମ୍ପତି । ସେମାନେ ୧୯୯୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଶୋକଙ୍କଠାରୁ ୧୮ ବର୍ଷ କମ ନିବେଦିତା । ବିବାହର ୩୭ ବର୍ଷ ପୂରା ହେବା ଅବସରରେ ଦୁହେଁ ପୁଣିଥରେ ପରସ୍ପରଙ୍କୁ ବରଣମାଳା ପିନ୍ଧାଇ ସାରା ଜୀବନ ସାଥୀ ହୋଇ ରହିବାର ପ୍ରତିଜ୍ଞା କରିଛନ୍ତି । ଏଥିସହ ଏହି ଫଟୋରେ ନିବେଦିତା ନୀଳ ରଙ୍ଗର ଶାଢ଼ୀରେ ନଜର ଆସିଥିବାବେଳେ ଅନ୍ୟପଟେ କୁର୍ତ୍ତା ଓ ପାଇଯାମା ଅଶୋକ ପିନ୍ଧିଥିବାର ଦେଖିବାକୁ ମିଳିଛି ।
ସେପଟେ ବିବାହ ବାର୍ଷିକୀର ଫଟୋ ସେୟାର କରି ଅଶୋକ ଲେଖିଛନ୍ତି ଯେ, “୩୭ ବର୍ଷ ପରେ ମଧ୍ୟ ଯେତେବେଳେ ମୋର ନଜର ତୁମ ଉପରେ ପଡ଼େ, ମୋ ହୃଦୟ ଆଗପରି ଖୁସିରେ ଭରିଯାଏ । ତୁମେ ମୋର ସବୁଠୁ ଭଲ ବନ୍ଧୁ, ମୋର ଶକ୍ତି ଓ ମୋର ସାରା ଜୀବନର ଭଲପାଇବା ହୋଇ ରହିଥିବାରୁ ଧନ୍ୟବାଦ । ଆମ ବିବାହ ବାର୍ଷିକୀର ଅନେକ ଶୁଭେଚ୍ଛା ।” ଅଶୋକ ଓ ନିବେଦିତାଙ୍କର ଜଣେ ପୁଅ ଅଛନ୍ତି । ଯାହାଙ୍କ ନାମ ଅନିକେତ ସରାଫ। ସେ ଅଭିନୟ କ୍ଷେତ୍ରକୁ ନଯାଇ ଜଣେ ଶେଫ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଅଶୋକ ସରାଫ ୧୯୯୦ର ଲୋକପ୍ରିୟ ହିନ୍ଦୀ ସିଟକମ୍ ‘ହମ୍ ପାଞ୍ଚ’ରେ ଆନନ୍ଦ ମାଥୁରଙ୍କ ଭୂମିକା କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଚରିତ୍ର ତାଙ୍କୁ ସାରା ଦେଶରେ ଘରେ ଘରେ ପରିଚିତ କରାଇଥିଲା ଏବଂ ଲୋକେ ତାଙ୍କ ହାସ୍ୟ ଅଭିନୟର ବଡ଼ ପ୍ରଶଂସକ ହୋଇଥିଲେ । ଚଳିତ ବର୍ଷ ଅଶୋକ ସରାଫ ନିଜ ପତ୍ନୀଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଯୋଗ ଦେଇଥିଲେ । ସେଠାରେ ଦୁହେଁ ଗର୍ବର ସହ ମହାରାଷ୍ଟ୍ରର ପାରମ୍ପରିକ ସଂସ୍କୃତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ଏହାସହ ପଢ଼ନ୍ତୁ : ରିଲିଜ୍ ହେବା ପୂର୍ବରୁ ଆଡଭାନ୍ସ ଟିକେଟ୍ ବୁକିଂରୁ ଜଣାପଡ଼ିଲା କେତେ ରୋଜଗାର କରିବ ‘ଆଲ୍ଫା’ ?