ପୁରୀ, ୦୨/୦୭: ଆଉ ମାତ୍ର ୧୪ ଦିନ ପରେ ରଥଯାତ୍ରା । ହେଲେ ଏପର୍ଯ୍ୟନ୍ତ ପୁରୀ ସହରର ରାସ୍ତାଗୁଡ଼ିକ ଖାଲଖମା ହୋଇପଡ଼ିଛି । ପୁରୀ ସଂଯୋଗ କରୁଥିବା ପ୍ରମୁଖ ରାଜ୍ୟ ରାଜପଥ, ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାଗୁଡ଼ିକ ମଧ୍ୟ ଖାଲଖମା ହୋଇପଡ଼ିଛି । ସବୁଠି ଛକିଛି ମୃତ୍ୟୁ । ଏପର୍ଯ୍ୟନ୍ତ ରାସ୍ତାଗୁଡ଼ିକର ପୂର୍ଣ୍ଣ ମରାମତି କରିବାକୁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇନି । ଶୀତ, ଗ୍ରୀଷ୍ମ ଦିନ ଯାଇ ବର୍ଷା ଦିନ ଆସିଥିବା ବେଳେ କିଛି ରାସ୍ତାରେ କେବଳ ପ୍ୟାଚ୍ ପକାଇ କାମ ଚଳାଇ ଦେବାକୁ ପ୍ରୟାସ ହେଉଛି । ଯାହା ଅସରାଏ ବର୍ଷା ପରେ ଧୋଇ ଯାଉଛି । ଫଳରେ ପ୍ରଶାସନିକ ଏହି ଦାୟିତ୍ୱହୀନତା ଯୋଗୁ ରଥଯାତ୍ରା ନିମନ୍ତେ ପୁରୀକୁ ଆସିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ପ୍ରଶାସନ ସବୁ କାମ ସାରିଥିବା କେବଳ ଭାଷଣ ବାଜି କରୁଛି ।

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବିଭିନ୍ନ ସ୍ଥାନ ଖୋଳି ହୋଇ ଖାଲ ହୋଇଯାଇଛି । ସାକ୍ଷୀଗୋପାଳରୁ ମାଳତିପାଟପୁର ଛକ ମଧ୍ୟରେ ୫୦୦ରୁ ଅଧିକ ଖାଲ ରହିଛି । କାଠପୋଲ ପୁରୁଣା କଂକ୍ରିଟ ବ୍ରିଜ୍ ଉପରେ ପୁଣି ଗାତ ଓ ଫାଟ ବଡ଼ ହୋଇଛି । ଚନ୍ଦନପୁର ବାଇପାସ୍ରେ ତିଆରି ହୋଇଥିବା ନୂଆ ବ୍ରିଜ୍ ପୁନଶ୍ଚ ମରାମତି ନିମନ୍ତେ ଗୋଟିଏ ପାଶ୍ୱର୍କୁ ବନ୍ଦ କରି ଦିଆଯିବାରୁ ଖାଲଖମାରେ ପୂରି ଥିବା ସର୍ଭିସ ରୋଡ୍ ଦେଇ ଯାତାୟତ କରିବା ଯାତ୍ରୀଙ୍କୁ କଷ୍ଟ ଦେଉଛି ।

ଏହି ଜାତୀୟ ରାଜପଥ ଅନେକ ସ୍ଥାନରେ ଟ୍ରାଫିକ୍ ଲାଇଟ୍ ଠିକ୍ ଭାବେ କାମ କରୁନି । ରାଜପଥ ପାଶ୍ୱର୍ ଗଛଗୁଡ଼ିକର ବାହୁଙ୍ଗି ରାସ୍ତାକୁ ଝୁଲି ରହି ବସ୍ ଓ ଭାରିଯାନ ଚଳାଚଳରେ ସମସ୍ୟା ସୃଷ୍ଟି କରୁଛି । ମାତ୍ର ଏହି ଗଛ ବାହୁଙ୍ଗି କାଟି ସଫା କରାଯାଉନି । ରାସ୍ତାରୁ ବାଲି, ଗୋଡ଼ି ଠିକ୍ ଭାବେ ସଫେଇ କରାଯାଉନି । ରାଜପଥରେ ବୁଲା ଗୋରୁଗୋଇ ଶୋଇବା ଓ ଚରିବା ଯୋଗୁ ଦୁର୍ଘଟଣା ବଢ଼ୁଛି । ମାତ୍ର ବୁଲା ଗୋରୁଗାଇଙ୍କ ଉଠାଇ ଗୋଶାଳାରେ ଛାଡ଼ିବାକୁ ପଦକ୍ଷେପ ନିଆଯାଉନି । ଛକ, ଆରଓବି, ଅଣ୍ଡରପାସ୍ ରହିଥିବା ସ୍ଥାନଗୁଡ଼ିକ ଆଲୋକିକରଣ କରିବାକୁ ପଦକ୍ଷେପ ନିଆଯାଉନି । ସେହିପରି ଜାତୀୟ ରାଜପଥଗୁଡ଼ିକର ସର୍ଭିସ୍ ରୋଡ୍ ମରାମତି କରାଗଲାନି ।

ରାଜ୍ୟ ରାଜପଥ ପୁରୀ-କୋଣାର୍କ ଓ ପୁରୀ ସାତପଡ଼ା ରାସ୍ତା ମଧ୍ୟ ଖାଲଖମାରେ ପୂରିଛି । ସଡ଼କ ସୁରକ୍ଷା ନେଇ ଥିବା ଅଧିକାଂଶ ନିୟମକୁ ଖୋଦ୍ ପ୍ରଶାସନ ପାଳନ କରୁନି । ଫଳରେ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଜୀବନ ଯାଉଛି । ଏହି ରାଜପଥ ଯାତ୍ରୀଗାଡି ଯାତାୟତର ପ୍ରମୁଖ ମାର୍ଗ ହୋଇଥିଲେ ହେଁ ସଡ଼କ ସୁରକ୍ଷା ପ୍ରତି ପ୍ରଶାସନ ଆଖି ବୁଜି ଦେଇଛି ।

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଜିଲ୍ଲାର ପ୍ରମୁଖ ରାସ୍ତାଗୁଡ଼ିକ ଯଥା ନୂଆ ଜଗନ୍ନାଥ ସଡ଼କ(ରାମେଶ୍ୱର-ଚନ୍ଦନପୁର-ପୁରୀ), ମାଳତିପାଟପୁର ବାଇଦାସନଗର, ପଟ୍ଟନାୟିକିଆ-ଖୋର୍ଦ୍ଧା, ଦାଣ୍ଡମୁକୁନ୍ଦପୁର ପିପିଲି-ଜଟଣୀ, ସାତଶଙ୍ଖ-ବଳଙ୍ଗା-ନିମାପଡ଼ା, ପିପିଲି ନିମାପଡ଼ା-ଚାରିଛକ, ଗୋପ-ବାଲିଘାଇ, ଉତ୍ତରା-ବାଳକାଟି ରାସ୍ତାଗୁଡ଼ିକ ଖାଲଖମା ହୋଇ ରହିଛି । ଏହି ରାସ୍ତାଗୁଡ଼ିକ ପ୍ରାୟତଃ ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ମାତ୍ର ଏପର୍ଯ୍ୟନ୍ତ ଏହାର ନବୀକରଣ କିମ୍ବା ମରାମତି ସରିଲାନି ।

ସେହିପରି ପୁରୀ ସହର ମଧ୍ୟରେ ରହିଥିବା ମଙ୍ଗଳାଘାଟ ଜଟିଆ ବାବାଜି ଛକ-କୁମ୍ଭାରପଡ଼ା ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ବଡ଼ଦାଣ୍ଡ ଡାକ୍ତରଖାନା ଛକ-ବାଟଗାଁ ରାସ୍ତା, ଚକ୍ରତୀର୍ଥ ରୋଡ୍, ସମୁଦ୍ରକୂଳ ରାସ୍ତା, ଲୋକନାଥ ରୋଡ୍ ପ୍ରଭୃତି ମରାମତି ସରିପାରିନି । ମାଟିଆପଡ଼ା ଛକରୁ ଭୂଦାନ ଛକ ରାସ୍ତା ଓ ଏହା ମଧ୍ୟରେ ରହିଥିବା ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ନିର୍ମାଣ କାମ ଏପର୍ଯ୍ୟନ୍ତ ସରିନି । ଏହାକୁ ନେଇ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଛି ।

ସେପଟେ ସହରର ବିଭିନ୍ନ ରାସ୍ତା ମରାମତି ପରେ ସିସିଟିଭି ଲଗାଇବା, ହାଇମାଷ୍ଟ ଲଗାଇବା, ଷ୍ଟ୍ରିଟ ଲାଇଟ୍ ଲଗାଇବା, ସ୍ୱେରେଜ୍ ମ୍ୟାନ୍ହୋଲ୍ ଖୋଳିବା, ପିଏନ୍ଜି ପାଇପ୍ଲାଇନ୍ ପକାଇବାରେ ପୁଣି ଖୋଳାତଡ଼ା ଲାଗି ରହିଛି । ଶ୍ରୀସେତୁ ଆପ୍ରୋଚ୍ ରୋଡ୍ ନିର୍ମାଣ ପୂର୍ଣ୍ଣ ଭାବେ ସରିପାରିନି । ଶ୍ରୀସେତୁ ତଳ ଦେଇ ମଙ୍ଗଳାଘାଟ ଜଟିଆ ବାବାଜୀ ଛକ ଜାତୀୟ ରାଜପଥ ଯାଇଥିବା ବେଳେ ଅସମ୍ପୂର୍ଣ୍ଣ ରାସ୍ତା ଏବେ ଦୁର୍ଘଟଣାର କାରଣ ହୋଇଛି । ସେହିପରି ସହରର ଅଧିକାଂଶ ଜନଗହଳି ରାସ୍ତାଗୁଡ଼ିକ ଅନ୍ଧାରରେ ରହିଛି । ଯାହାକୁ ନେଇ ବହୁ ଅଭିଯୋଗ ସତ୍ତେ୍ୱ ପ୍ରଶାସନ ଉଚିତ ପଦକ୍ଷେପ ନେଉନି ।