ବାରିପଦା, ୫।୭ : ଗୋ-ମାଫିଆଙ୍କୁ ଗୁପ୍ତ ସୂଚନା ଲିକ୍ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଏଏସଆଇ ଏବଂ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଜଣେ ହୋମଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଥାନାର ଏଏସଆଇ ରଞ୍ଜିତ ନାୟକ, କନଷ୍ଟେବଳ ଆଶିଷ ନାୟକଙ୍କୁ ନିଲମ୍ୱନ କରାଯାଇଛି । ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ ୩୦ ଦିନ ମଧ୍ୟରେ ନିଜ ପକ୍ଷ ରଖିବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ପୂର୍ବାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ଗତ ଜୁନ୍ ୧୩ ତାରିଖରେ ଗୋ-ମାଫିଆଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି କ୍ରମରେ ଝାରପୋଖରିଆ ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ଚଢ଼ାଉ କରିବାକୁ ପୋଲିସ ଯାଇଥିଲା । ମାତ୍ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ ସମୟରେ ପୋଲିସକୁ କୌଣସି ସଫଳତା ମିଳିନଥିଲା । ଗୋ-ମାଫିଆମାନେ ପୂର୍ବରୁ ଫେରାର ହୋଇଯାଇଥିଲେ, ଯାହାକୁ ନେଇ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ମନରେ ସନ୍ଦେହ ହୋଇଥିଲା ।
ଘଟଣାର ପ୍ରାଥମିକ ତଦନ୍ତ ପରେ ଜଣାପଡ଼ିଥିଲା ଯେ, ବିଭାଗର କିଛି କର୍ମଚାରୀ ହିଁ ଗୋ-ମାଫିଆଙ୍କୁ ଚଢ଼ାଉ ସମ୍ପର୍କିତ ସମସ୍ତ ଗୁପ୍ତ ସୂଚନା ଆଗୁଆ ଲିକ୍ କରିଦେଇଥିଲେ । ଆଇଆଇସି ଓ ଏସଡିପିଓଙ୍କ ରିପୋର୍ଟ ଆଧାରରେ ଏସପି ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଆହୁରି ପଢନ୍ତୁ : ମହାନଦୀରେ ଭାସିଗଲେ ୩ ଯୁବକ : ୨ ଉଦ୍ଧାର, ଜଣେ ନିଖୋଜ