ଜୁନାଗଡ଼/କୋରାପୁଟ,୦୨/୦୬:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୁନାଗଡ଼ ଜାତୀୟ ରାଜପଥ-୨୬ର  ବନମାଳୀପୁର ଛକ ନିକଟରୁ ରବିବାର ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ଅର୍ଦ୍ଧଦଗ୍ଧ  ମୃତଦେହ ଉଦ୍ଧାର ହୋଇଛି । ମୃତ  ପୁଲିସ ଏଏସଆଇ ପବିତ୍ର ଗୋଲାପୀ  (୪୩) । ତାଙ୍କ ଘର କୋରାପୁଟ  ଜିଲ୍ଲା ବୋରିଗୁମା ଥାନା ସାନଦୁବୁଲି  ଗ୍ରାମରେ । ଦୁର୍ଘଟଣାରେ ବାଇକ୍‌ରେ  ନିଆଁ ଲାଗିଯିବାରୁ ସେ ଜଳିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା  ପୁଲିସ୍‌ କହିଛି । ଅନ୍ୟପଟେ ମୃତକଙ୍କ  ସାନଭାଇ ତଥା ଉମରକୋଟ ଥାନାରେ  କାର୍ଯ୍ୟରତ ଏଏସ୍‌ଆଇ ନରେନ୍ଦ୍ର ଗୋଲାପୀ  ଭିନ୍ନ କଥା କହିଛନ୍ତି । ୪ ଭାଇଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିବା  ଅଭିଯୋଗ ଆଣିଛନ୍ତି । 

ପବିତ୍ର ଜଳିଗଲେ ନା ତାଙ୍କୁ  ଜାଳି ଦିଆଯାଇଛି ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏସ୍‌ପି ପି. ନାଗରାଜ, ଅତିରିକ୍ତ ଏସ୍‌ପି  ଶୁଭ୍ରାଂଶୁ ମିଶ୍ରଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌,  ସନ୍ଧାନୀ କୁକୁର ତଦନ୍ତ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଦୁର୍ଘଟଣା ନା ହତ୍ୟା ସ୍ପଷ୍ଟ  ହେବ ବୋଲି ପୁଲିସ୍‌ କହିଛି । ପବିତ୍ର କଳାହାଣ୍ଡି  ଜିଲ୍ଲା କେଗାଁ ଥାନାରେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ  ଅବହେଳା ପାଇଁ ଗତମାସରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ପରେ ଭବାନୀପାଟଣା ରିଜର୍ଭ ପୁଲିସ୍‌  କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା । ଗତ  ଶନିବାର ରାତିରେ ପବିତ୍ର ବାଇକ୍‌ରେ କୋରାପୁଟ  ଯାଉଥିବାବେଳେ ରାସ୍ତାରେ ଅଟକିଥିବା ଏକ ଟ୍ରକ୍‌  ପଛରେ ପିଟି ହୋଇ ଜଳିଯାଇଥିବା ପୁଲିସ୍‌ କହିଛି ।  

ପବିତ୍ରଙ୍କ ପରିବାର କୋରାପୁଟର ଏଲ୍‌ଆଇସି କଲୋନିରେ ରହୁଛନ୍ତି । ସୂଚନା ପାଇ ପତ୍ନୀ ଗୀତାଞ୍ଜଳି ସୁନା ଏବଂ ଭାଇ ନରେନ୍ଦ୍ର ଜୁନାଗଡ଼ରେ ପହଞ୍ଚିଛନ୍ତି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ  କରିଛନ୍ତି । ସେମାନେ କହିଛନ୍ତି, ପଦୋନ୍ନତି ପାଇ ପବିତ୍ର  କଳାହାଣ୍ଡି ଜିଲ୍ଲାର କେଗାଁ ଥାନାରେ କାର୍ଯ୍ୟରତ ଥିଲେ ।  ସେଠିକାର ଥାନାଧିକାରୀ ତାଙ୍କୁ ମାନସିକ ନିର୍ଯାତନା  ଦେଉଥିଲେ । ସେ ପୂର୍ବରୁ କୋରାପୁଟ୍‌ ଏସ୍‌ଓଜିରେ  କାମ କରୁଥିଲେ । ନକ୍ସଲ ଦମନ କ୍ଷେତ୍ରରେ ସୁନାମ  ଆଣିଥିଲେ । ତାଙ୍କର ଏପରି ସନ୍ଦେହଜନକ ମୃତ୍ୟୁକୁ  ସାଥୀ ପୁଲିସ୍‌ ଅଧିକାରୀମାନେ ସହଜରେ ଗ୍ରହଣ  ପରିପାରୁ ନାହାନ୍ତି । ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକ ଦାବି  କରିଛନ୍ତି । ଅନ୍ୟପଟେ କେଗାଁ ଆଇଆଇସି ମୁକୁନ୍ଦ  ନାଏକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପବିତ୍ରଙ୍କ ଶବ  ବ୍ୟବଚ୍ଛେଦ ପରେ ପୈତୃକ ଗାଁ ସାନଦୁବୁଲିରେ କବର  ଦିଆଯିବ ବୋଲି ସମ୍ପର୍କୀୟ ଜୟଦାସ ଖରା କହିଛନ୍ତି ।