ଜୁନାଗଡ଼/କୋରାପୁଟ,୦୨/୦୬: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୁନାଗଡ଼ ଜାତୀୟ ରାଜପଥ-୨୬ର ବନମାଳୀପୁର ଛକ ନିକଟରୁ ରବିବାର ଜଣେ ପୁଲିସ୍ ଏଏସ୍ଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ପୁଲିସ ଏଏସଆଇ ପବିତ୍ର ଗୋଲାପୀ (୪୩) । ତାଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମା ଥାନା ସାନଦୁବୁଲି ଗ୍ରାମରେ । ଦୁର୍ଘଟଣାରେ ବାଇକ୍ରେ ନିଆଁ ଲାଗିଯିବାରୁ ସେ ଜଳିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ୍ କହିଛି । ଅନ୍ୟପଟେ ମୃତକଙ୍କ ସାନଭାଇ ତଥା ଉମରକୋଟ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେନ୍ଦ୍ର ଗୋଲାପୀ ଭିନ୍ନ କଥା କହିଛନ୍ତି । ୪ ଭାଇଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ।
ପବିତ୍ର ଜଳିଗଲେ ନା ତାଙ୍କୁ ଜାଳି ଦିଆଯାଇଛି ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏସ୍ପି ପି. ନାଗରାଜ, ଅତିରିକ୍ତ ଏସ୍ପି ଶୁଭ୍ରାଂଶୁ ମିଶ୍ରଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ତଦନ୍ତ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଦୁର୍ଘଟଣା ନା ହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି । ପବିତ୍ର କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ ଅବହେଳା ପାଇଁ ଗତମାସରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ପରେ ଭବାନୀପାଟଣା ରିଜର୍ଭ ପୁଲିସ୍ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା । ଗତ ଶନିବାର ରାତିରେ ପବିତ୍ର ବାଇକ୍ରେ କୋରାପୁଟ ଯାଉଥିବାବେଳେ ରାସ୍ତାରେ ଅଟକିଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଜଳିଯାଇଥିବା ପୁଲିସ୍ କହିଛି ।
ପବିତ୍ରଙ୍କ ପରିବାର କୋରାପୁଟର ଏଲ୍ଆଇସି କଲୋନିରେ ରହୁଛନ୍ତି । ସୂଚନା ପାଇ ପତ୍ନୀ ଗୀତାଞ୍ଜଳି ସୁନା ଏବଂ ଭାଇ ନରେନ୍ଦ୍ର ଜୁନାଗଡ଼ରେ ପହଞ୍ଚିଛନ୍ତି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ପଦୋନ୍ନତି ପାଇ ପବିତ୍ର କଳାହାଣ୍ଡି ଜିଲ୍ଲାର କେଗାଁ ଥାନାରେ କାର୍ଯ୍ୟରତ ଥିଲେ । ସେଠିକାର ଥାନାଧିକାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ସେ ପୂର୍ବରୁ କୋରାପୁଟ୍ ଏସ୍ଓଜିରେ କାମ କରୁଥିଲେ । ନକ୍ସଲ ଦମନ କ୍ଷେତ୍ରରେ ସୁନାମ ଆଣିଥିଲେ । ତାଙ୍କର ଏପରି ସନ୍ଦେହଜନକ ମୃତ୍ୟୁକୁ ସାଥୀ ପୁଲିସ୍ ଅଧିକାରୀମାନେ ସହଜରେ ଗ୍ରହଣ ପରିପାରୁ ନାହାନ୍ତି । ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକ ଦାବି କରିଛନ୍ତି । ଅନ୍ୟପଟେ କେଗାଁ ଆଇଆଇସି ମୁକୁନ୍ଦ ନାଏକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପବିତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପୈତୃକ ଗାଁ ସାନଦୁବୁଲିରେ କବର ଦିଆଯିବ ବୋଲି ସମ୍ପର୍କୀୟ ଜୟଦାସ ଖରା କହିଛନ୍ତି ।