ନୂଆଦିଲ୍ଲୀ ୦୭/୦୮: ଏପ୍ରିଲ ୨୨ ତାରିଖରେ ପହଲଗାମ୍ରେ ସାଧାରଣ ପର୍ଯ୍ୟଟକଙ୍କ ଉପରେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଭାରତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାକୁ ନେଇ ସୀମାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଦୁଇ ଦେଶ ମଧ୍ୟରେ ସଂପର୍କ ଅତି ତିକ୍ତ ହୋଇ ପଡ଼ିଥିଲା । ଭାରତ ଏଥର ଏସିଆ କପ୍ କ୍ରିକେଟର ଆୟୋଜକ ରହିଥିଲା । ସୀମାରେ ଉତ୍ତେଜନା ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା । ଏଥର ଏସିଆ କପ୍ ଖେଳାଯିବ କି ନାହିଁ, ସେନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଶେଷରେ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ର ସହଯୋଗ ଏବଂ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ଖେଳିବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ବିସିସିଆଇକୁ ଅନୁମତି ଦେବା ପରେ ସେପ୍ଟେମ୍ବର ୯ରୁ ଏସିଆ କପ୍ ଆରମ୍ଭ ହେବା ନେଇ ଘୋଷଣା ହୋଇଥିଲା । ଘୋର ତିକ୍ତତା ମଧ୍ୟରେ ଆସନ୍ତା ୧୪ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଇଦାନରେ ଲଢ଼େଇ କରିବେ ।
ଚଳିତ ମାସରେ କ୍ରିକେଟରେ ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଯାହା ଭାରତୀୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆସନ୍ତା ୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରେ ଆୟୋଜିତ ହେବ ପୁରୁଷ ଟି-ଟ୍ୱେଣ୍ଟି ଏସିଆ କପ୍ ଏବଂ ୩୦ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ମହିଳା ଦିନିକିଆ ବିଶ୍ୱକପ୍ । ଇତିମଧ୍ୟରେ ଉଭୟ ଭାରତୀୟ ଦଳ ଘୋଷଣା ହୋଇ ସାରିଛି ।
ଆସନ୍ତା ୧୪ ତାରିଖରେ ଏସିଆ କପ୍ର ସବୁଠୁ ବଡ଼ ମ୍ୟାଚ୍ ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଦୁବାଇରେ ମୁହାଁମୁହିଁ ହେବେ । ପୂର୍ବ ଭଳି ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।
ପହଲ୍ଗାମ ଆକ୍ରମଣ
ଗତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ସାଧାରଣ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ସ୍ୱରୂପ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା । ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦୀଙ୍କ ଶିବିର ଉପରେ ଭାରତ ଆକ୍ରମଣ କରିଥିଲା ଏବଂ ଏଥିରେ ୧୦୦ରୁ ଊଦ୍ଧ୍ୱର୍ ଆତଙ୍କୀ ନିହତ ହୋଇଥିଲେ । ଏହାକୁ ନେଇ ସୀମାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଭଳି ସମୟରେ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସଂପର୍କକୁ ନେଇ ବିସିସିଆଇ ଅନାଗ୍ରହ ପ୍ରକାଶ କରିଥିଲା । ତେଣୁ ଏଥର ଏସିଆ କପ୍ ଖେଳାଯିବ କି ନାହିଁ ସେନେଇ ଆଶଙ୍କା ରହିଥିଲା । କିନ୍ତୁ କ୍ରୀଡ଼ା ମନ୍ତ୍ରଣାଳୟର ଅନୁମତି ପରେ ଭାରତ ଏସିଆ କପ୍ରେ ଖେଳିବାରେ ଆଉ ସମସ୍ୟା ନାହିଁ ।
କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜକୁ ଅନୁମତି ଦିଆଯିବ ନାହିଁ । ଯେମିତି ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ଭାରତ ଭାଗ ନେବ ନାହିଁ । ପାକିସ୍ତାନୀ ଦଳକୁ ମଧ୍ୟ ଏଠାରେ ଖେଳିବାର ଅନୁମତି ମିଳିବ ନାହିଁ । ଆଇସିସି କିମ୍ବା ଏସିଆ କ୍ରିକେଟ୍ କାଉନସିଲ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ଭାରତୀୟ ଦଳ ଖେଳିପାରିବ । ତେଣୁ ଏସିଆ କପ୍ରେ ପାକିସ୍ତାନ ସହ ଖେଳିବାରେ କୌଣସି ସମସ୍ୟା ନାହିଁ ।
ଭାରତ ଥିଲା ଆୟୋଜକ
ଭାରତ ଏଥର ଏସିଆ କପ୍ର ଆୟୋଜକ ରହିଥିଲା । ସୀମାରେ ଉତ୍ତେଜନା ପରେ ଏସିଆ କପ୍ ଖେଳାଯିବା ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଶେଷରେ ଏସିଆନ କ୍ରିକେଟ୍ କାଉନସିଲରେ ବା ଏସିସି ନିଷ୍ପତ୍ତିକ୍ରମେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଚୂଡ଼ାନ୍ତ ହୋଇଥିଲା । ପୂର୍ବରୁ ଇଂଲଣ୍ଡରେ ଆୟୋଜିତ ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡ୍ସରେ ଇଣ୍ଡିଆ ଚାମ୍ପିଅନ୍ସ ଦଳ ପାକିସ୍ତାନ ଦଳକୁ ବୟକଟ୍ କରିଥିଲେ । ଫଳରେ ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ସେମି ଫାଇନାଲକୁ ବାତିଲ କରି ଦିଆଯାଇଥିଲା । ଭାରତୀୟ ପ୍ରାୟୋଜକ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ ।
ପୂର୍ବରୁ ଓହରିଥିଲା ଭାରତ
୧୯୮୪ ଏସିଆ କପ୍ର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା । କିନ୍ତୁ ଡିଫେଣ୍ଡିଂ ଚାମ୍ପିଅନ ହୋଇ ମଧ୍ୟ ୧୯୮୬ ସଂସ୍କରଣରୁ ଓହରି ଯାଇଥିଲା ଭାରତ । ଭାରତ ନଖେଳିବାର ମୁଖ୍ୟ କାରଣ ଥିଲା ସୁରକ୍ଷା । ଶ୍ରୀଲଙ୍କାରେ ଗୃହଯୁଦ୍ଧ ଦେଖା ଦେଇଥିଲା । ଶ୍ରୀଲଙ୍କା ସରକାର ଏବଂ ଏଲ୍ଟିଟିଇ (ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲାମ) ମଧ୍ୟରେ ଘୋର ଯୁଦ୍ଧ ହୋଇଥିଲା । ଏଥିରେ ୧୪୬ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏଭଳି ସମୟରେ ଭାରତ ସରକାର ଖେଳାଳିମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ । ଶେଷରେ ଶ୍ରୀଲଙ୍କାକୁ ଦଳ ନପଠାଇବାକୁ ନିଷ୍ପତ୍ତି ହୋଇଥିଲା । ଟୁର୍ଣ୍ଣାମେଣ୍ଟରୁ ଭାରତୀୟ ଦଳ ଓହରି ଯାଇଥିଲା । କେବଳ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ଶ୍ରୀଲଙ୍କା ଚାମ୍ପିଅନ ହୋଇଥିଲା । ବାଂଲାଦେଶ ଏହି ସଂସ୍କରଣରେ ପଦାର୍ପଣ କରିଥିଲା ।
୯ରେ ଉଦ୍ଘାଟନୀ
ଆସନ୍ତା ୯ ତାରିଖରୁ ଏସିଆ କପ୍ର ୨୦୨୫ ସଂସ୍କରଣ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ । ୮ଟି ଦଳ ମୋଟ୍ ୧୯ଟି ମ୍ୟାଚ୍ ଖେଳିବେ । ପୂର୍ବଭଳି ଗୋଟିଏ ଗ୍ରୁପ୍ରେ ଭାରତ ଓ ପାକିସ୍ତାନ ଦଳ ରହିଛନ୍ତି । ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ଏବଂ ଗ୍ରୁପ୍ ବି’ରେ ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ହଂକଂ ସାମିଲ ଅଛନ୍ତି । ସେପ୍ଟେମ୍ବର ୧୮ ତାରିଖ ଯାଏ ଗ୍ରୁପ୍ ପର୍ଯ୍ୟାୟ, ୨୦ରୁ ୨୬ ତାରିଖ ସୁପର-୪ ଏବଂ ୨୮ ତାରିଖରେ ଫାଇନାଲ ଖେଳାଯିବ ।
୧୪ରେ ମହାଲଢ଼େଇ
ଏସିଆ କପ୍ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେଉଛି ଭାରତ-ପାକିସ୍ତାନ । ପୂର୍ବଭଳି ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ରହିବା ସହ ବଡ଼ ମ୍ୟାଚ ଖେଳିବେ । ସେପ୍ଟେମ୍ବର ୧୪ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ପ୍ରଥମ ମ୍ୟାଚରେ ୟୁଏଇକୁ ଭେଟିବ । ଏହି ମ୍ୟାଚ ସେପ୍ଟେମ୍ବର ୧୦ ତାରିଖରେ ଖେଳାଯିବ । ସେହିପରି ୧୪ରେ ପାକିସ୍ତାନ ଏବଂ ୧୯ରେ ଓମାନକୁ ଭେଟିବ ଭାରତ । ଗ୍ରୁପ୍ର ଶ୍ରେଷ୍ଠ ୨ଟି ଦଳ ସୁପର-୪କୁ ଉନ୍ନୀତ ହେବେ । ଯେଉଁ ବର୍ଷ ଦିନିକିଆ ବିଶ୍ୱକପ୍ ରହିଥାଏ ସେହିବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟ୍ରେ ଏବଂ ଯେଉଁ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଥାଏ ସେହିବର୍ଷ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବାର ନିୟମ ରହିଛି । ଯେହେତୁ ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି, ସେଥିପାଇଁ ଏଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଖେଳାଯିବ । ଆଫଗାନିସ୍ତାନ ଦଳର ଅଧିନାୟକ ରସିଦ ଖାନ, ଲିଟନ ଦାସ ବାଂଲାଦେଶ ଅଧିନାୟକ, ୟାସିମ ମୁର୍ତାଜା ହଂକଂ ଅଧିନାୟକ, ଯତୀନ୍ଦର ସିଂ ଓମାନ ଅଧିନାୟକ, ସଲମାନ ଅଲି ଆଘା ପାକିସ୍ତାନ ଅଧିନାୟକ, ଚରିଥ ଆଶାଲଙ୍କା ଶ୍ରୀଲଙ୍କା ଅଧିନାୟକ ଏବଂ ମହମ୍ମଦ ୱାସିମ ଆୟୋଜକ ୟୁଏଇ ଦଳର ଅଧିନାୟକ ରହିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ ଭାରତ ସହ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଟି-ଟ୍ୱେଣ୍ଟିରେ ବେଶ ଶକ୍ତିଶାଳୀ ଦଳ । ତେଣୁ ଟାଇଟଲ ପାଇଁ ଲଢ଼େଇ କଡ଼ା ଟକ୍କର ହେବ ନିଶ୍ଚିତ ।
ଗିଲ୍ ଉପ ଅଧିନାୟକ
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ସୂର୍ଯ୍ୟକୁମାର ଓ ଗିଲଙ୍କ ସହ ଦଳରେ ରହିଛନ୍ତି ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ହର୍ଷିତ ରାଣା ଓ ରିଙ୍କୁ ସିଂ । ଯଶସ୍ୱୀ ଜୈସ୍ୱାଲ, ପ୍ରସିଦ୍ଧ କ୍ରିଷ୍ଣା, ୱାସିଂଟନ ସୁନ୍ଦର, ରିୟାନ ପରାଗ ଓ ଧ୍ରୁବ ଜୁରେଲଙ୍କୁ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ରଖାଯାଇଛି । ଘରୋଇ ଓ ଆଇପିଏଲରେ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତେ୍ୱ ଶ୍ରେୟାସ ଆୟରଙ୍କୁ ଦଳରେ ସୁଯୋଗ ନମିଳିବା ନେଇ କ୍ରିକେଟ୍ ପ୍ରଶଂସକ କିଛିଟା ଅସନ୍ତୋଷ ପ୍ରକାଶ କରିଛନ୍ତି ।
କ୍ରିକେଟ୍ ଭାରତରେ କେବଳ ଏକ କ୍ରୀଡ଼ା ନୁହେଁ, ଏହା କୋଟି କୋଟି ପ୍ରଶଂସକଙ୍କ ଭାବପ୍ରବଣତା ସହ ଜଡ଼ିତ । ତେଣୁ ଭାରତୀୟ ଦଳର ପ୍ରତ୍ୟେକ ମ୍ୟାଚ୍ ଭାରତବାସୀଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖେ । ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହେଲେ ସମସ୍ତେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ରହିଛି । ମାନ୍ୟତା ଆଧାରରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଖେଳିବାର ସୁଯୋଗ ପାଇବେ ।
ଯେହେତୁ ଟି-ଟ୍ୱେଣ୍ଟି ଏସିଆ କପ୍ ଅତି ନିକଟତର ହେଲାଣି । କିଏ ଚାମ୍ପିଅନ ହେବ? ଡିଫେଣ୍ଡିଂ ଚାମ୍ପିଅନ ଭାରତ ନା ଆଉ କିଏ? ଏନେଇ ପ୍ରଶଂସକଙ୍କ ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣି । ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ଏସିଆ କପ୍ ଟି-ଟ୍ୱେଣ୍ଟି କ୍ରୀଡ଼ାସୂଚୀ
୧- ଆଫଗାନିସ୍ତାନ ବନାମ ହଂକଂ ସେପ୍ଟେମ୍ବର ୯ ଆବୁଧାବି ରାତି ୮.୦୦
୨- ଭାରତ ବନାମ ୟୁଏଇ ସେପ୍ଟେମ୍ବର ୧୦ ଦୁବାଇ ରାତି ୮.୦୦
୩- ବାଂଲାଦେଶ ବନାମ ହଂକଂ ସେପ୍ଟେମ୍ବର ୧୧ ଆବୁଧାବି ରାତି ୮.୦୦
୪- ଓମାନ ବନାମ ପାକିସ୍ତାନ ସେପ୍ଟେମ୍ବର ୧୨ ଦୁବାଇ ରାତି ୮.୦୦
୫- ବାଂଲାଦେଶ ବନାମ ଶ୍ରୀଲଙ୍କା ସେପ୍ଟେମ୍ବର ୧୩ ଆବୁଧାବି ରାତି ୮.୦୦
୬- ଭାରତ ବନାମ ପାକିସ୍ତାନ ସେପ୍ଟେମ୍ବର ୧୪ ଦୁବାଇ ରାତି ୮.୦୦
୭- ୟୁଏଇ ବନାମ ଓମାନ ସେପ୍ଟେମ୍ବର ୧୫ ଆବୁଧାବି ସନ୍ଧ୍ୟା ୫.୩୦
୮- ହଂକଂ ବନାମ ଶ୍ରୀଲଙ୍କା ସେପ୍ଟେମ୍ବର ୧୫ ଦୁବାଇ ରାତି ୮.୦୦
୯- ଆଫଗାନିସ୍ତାନ ବନାମ ବାଂଲାଦେଶ ସେପ୍ଟେମ୍ବର ୧୬ ଆବୁଧାବି ରାତି ୮.୦୦
୧୦- ୟୁଏଇ ବନାମ ପାକିସ୍ତାନ ସେପ୍ଟେମ୍ବର ୧୭ ଦୁବାଇ ରାତି ୮.୦୦
୧୧- ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା ସେପ୍ଟେମ୍ବର ୧୮ ଆବୁଧାବି ରାତି ୮.୦୦
୧୨- ଭାରତ ବନାମ ଓମାନ ସେପ୍ଟେମ୍ବର ୧୯ ଆବୁଧାବି ରାତି ୮.୦୦
ସୁପର-୪ ରାଉଣ୍ଡ୍
୧୩- ବି-୧ ବନାମ ବି-୨ ସେପ୍ଟେମ୍ବର ୨୦ ଦୁବାଇ ରାତି ୮.୦୦
୧୪- ଏ-୧ ବନାମ ଏ-୨ ସେପ୍ଟେମ୍ବର ୨୧ ଦୁବାଇ ରାତି ୮.୦୦
୧୫- ଏ-୨ ବନାମ ବି-୧ ସେପ୍ଟେମ୍ବର ୨୩ ଆବୁଧାବି ରାତି ୮.୦୦
୧୬- ଏ-୧ ବନାମ ବି-୨ ସେପ୍ଟେମ୍ବର ୨୪ ଦୁବାଇ ରାତି ୮.୦୦
୧୭- ଏ-୨ ବନାମ ବି-୨ ସେପ୍ଟେମ୍ବର ୨୫ ଦୁବାଇ ରାତି ୮.୦୦
୧୮- ଏ-୧ ବନାମ ବି-୧ ସେପ୍ଟେମ୍ବର ୨୬ ଦୁବାଇ ରାତି ୮.୦୦
୧୯- ଫାଇନାଲ୍ ସେପ୍ଟେମ୍ବର ୨୮ ଦୁବାଇ ରାତି ୮.୦୦