ଭୁବନେଶ୍ୱର,୨୮/୦୪; ଭିଭିଆଇପି, ନେତା କିମ୍ବା ଅଫିସରଙ୍କ ପାଇଁ ନୁହେଁ, ସାଧାରଣ ଲୋକଙ୍କ ପାଇଁ ହେବ ବିରାଟ ଅତିଥି ଭବନ । କୋରାପୁଟ ଓ ମାଲକାନଗିରିର ଉପାନ୍ତ ଅଞ୍ଚଳ ହେଉ କି ସୁଦୂର ନୂଆପଡ଼ା, ବିଭିନ୍ନ କାମରେ ରାଜଧାନୀକୁ ଆସୁଥିବା ଲୋକଙ୍କୁ ମିଳିବ ଶସ୍ତା ରହଣି ସୁବିଧା । ମାତ୍ର ୧୦୦ ଟଙ୍କା ଦେଇ ଅତିଥି ଭବନରେ ରାତିରେ ରହିପାରିବେ । ସହରର କେନ୍ଦ୍ରସ୍ଥଳ (ୟୁନିଟ୍-୨)ରେ ଏହି ଅତିଥି ଭବନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୨୪ଟି ପୁରୁଣା କ୍ୱାର୍ଟର୍ସ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପ ପରିକଳ୍ପନା କରିଛନ୍ତି ।
ବିଭିନ୍ନ ଜିଲ୍ଲାରୁ ବହୁ ଲୋକେ ଦୈନିକ ଭୁବନେଶ୍ୱର ଆସୁଛନ୍ତି । କିଏ ମେଡିକାଲ କାମରେ ତ’ ଆଉ କିଏ କୌଣସି ସରକାରୀ ବା ବ୍ୟକ୍ତିଗତ କାମରେ ଆସୁଛନ୍ତି । ସନ୍ଧ୍ୟା ସୁଦ୍ଧା କାମ ନ ସରିଲେ ରାତିରେ ରହିବାକୁ ବାଧ୍ୟ । ମାତ୍ର ରାତି ରହଣି ପାଇଁ ବହୁ ଗରିବ ଲୋକ ସମସ୍ୟା ଭୋଗୁଛନ୍ତି । କିଏ ଲଜ୍ ତ’ ଆଉ ଶସ୍ତା ହୋଟେଲ ଖୋଜି ରହୁଛନ୍ତି । ଯେତେ ଶସ୍ତା ଖୋଜିଲେ ବି କୌଣସି ଜାଗାରେ ୫୦୦ ଟଙ୍କାରୁ କମ୍ରେ ଲଜ୍ ମିଳୁନି । ଯେଉଁମାନେ ଏତିକି ଟଙ୍କା ଦେବାକୁ ଅସମର୍ଥ, ସେମାନେ ବସ୍ଷ୍ଟାଣ୍ଡ ବା ଷ୍ଟେସନରେ ଶୋଇବାକୁ ବାଧ୍ୟ । ସକାଳୁ ଉଠି ପୁଣି ନିଜ କାମରେ ଦୌଡୁଛନ୍ତି । ଶହ ଶହ ଲୋକେ ଏଭଳି ଦୈନିକ ରାଜଧାନୀରେ ରାତିରେ ଛାତ ତଳେ ମୁଣ୍ଡ ଗୁଞ୍ଜିବାକୁ ସଂଘର୍ଷ କରୁଛନ୍ତି । କିଛି ମାସ ତଳେ ପୂର୍ତ୍ତ ବିଭାଗର ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଏ କଥା କହିବା ସହ ସାଧାରଣ ଲୋକଙ୍କ ପାଇଁ ଏକ ଅତିଥି ଭବନ ତିଆରି ପାଇଁ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ ।
ରେଳ ଷ୍ଟେସନ ପାଖାପାଖି ଅଞ୍ଚଳରେ ଅତିଥି ଭବନ ହେଲେ ଲୋକଙ୍କ ଯା’ଆସ କରିବା ସୁବିଧା ହେବ ବୋଲି ସେ କହିଥିଲେ । ୟୁନିଟ୍-୨ରେ ପୁରୁଣା ସରକାରୀ କ୍ୱାର୍ଟର୍ସ ଭାଙ୍ଗି ବହୁତଳ ବିଶିଷ୍ଟ ସରକାରୀ କ୍ୱାର୍ଟର୍ସ ପ୍ରକଳ୍ପ ପାଇଁ ଯୋଜନା ଥିଲା । କ୍ୟାପିଟାଲ ରି-ଡେଭଲପ୍ମେଣ୍ଟ ପ୍ରକଳ୍ପ ଅଧୀନରେ ୟୁନିଟ-୨ରେ ୪୦୪ଟି ପୁରୁଣା କ୍ୱାର୍ଟର୍ସ ଭାଙ୍ଗି ୨୭ ଏକର ଜାଗାରେ ନୂଆ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ଏଥିପାଇଁ ଲୋକସେବା ଭବନରେ ସମୀକ୍ଷା ବୈଠକ ହେଉଥିଲା । ମୁଖ୍ୟମନ୍ତ୍ରୀ ଏହି ବୈଠକରେ ପ୍ରଥମେ ଲୋକଙ୍କ ପାଇଁ ଅତିଥି ଭବନ କରି ବାକି ଜାଗାରେ କ୍ୱାର୍ଟର୍ସ ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିଜେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ଅତିଥି ଭବନ ତିଆରି ପାଇଁ ସାଧାରଣ ପ୍ରଶାସନ ବିଭାଗ ଓ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇଛନ୍ତି । ଏଥିପାଇଁ ପ୍ରକ୍ରିୟା ତ୍ୱରିତ୍ ହୋଇଛି ।
ଓବିସିସି ଅତିଥି ଭବନ ପାଇଁ ଡିପିଆର୍ ତିଆରି ଆରମ୍ଭ କରିଛି । ଡର୍ମିଟୋରୀ ଢାଞ୍ଚାରେ ଏହାକୁ ତିଆରି ପାଇଁ ଯୋଜନା ଅଛି । ଦିନକରେ ୧୫୦୦ ଲୋକ ରହିବା ଭଳି ବ୍ୟବସ୍ଥା ହେବ । ପ୍ରଥମେ ୟୁନିଟ୍-୨ରେ ଖାଲିଥିବା ୨୨୪ କ୍ୱାର୍ଟର୍ସ ଭାଙ୍ଗିବାକୁ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ୱାନ କରିଛି । ୧୨୦ଟି ଟାଇପ୍-ଭିଏ କ୍ୱାର୍ଟର୍ସ, ୯୬ଟି ଆଇଭିଏ କ୍ୱାର୍ଟର୍ସ, ୮ଟି ଭିଆର୍ କ୍ୱାର୍ଟର୍ସ ଭଙ୍ଗାଯିବ । କଂଗ୍ରେସ ଭବନରୁ ମାର୍କେଟ୍ ବିଲ୍ଡିଂ ଆଡ଼କୁ ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ ଓ ଭିତରକୁ ଥିବା କ୍ୱାର୍ଟର୍ସକୁ ପ୍ରଥମେ ଭଙ୍ଗାଯିବ । ଯେଉଁ ସଂସ୍ଥା କ୍ୱାର୍ଟର୍ସ ଭାଙ୍ଗିବ, ସେ ସରକାରଙ୍କୁ ୧ କୋଟି ୩୫ଲକ୍ଷ ଟଙ୍କା ଦେବ । ଏହା ବଦଳରେ କ୍ୱାର୍ଟର୍ସରେ ଲାଗିଥିବା ସବୁ ନିର୍ମାଣ ସାମଗ୍ରୀ ନେବ । କିନ୍ତୁ, ପୂର୍ତ୍ତ ବିଭାଗ ଡାକିଥିବା ଏହି ଟେଣ୍ଡରରେ କେହି ଜଣେ ବି ଆବେଦନ କରିନାହାନ୍ତି ।
ଏଠାରେ ୭୦ ବର୍ଷର କିଛି ପୁରୁଣା କ୍ୱାର୍ଟର୍ସ ଅଛି । ଆଉ କିଛି କ୍ୱାର୍ଟର୍ସ ପାଖାପାଖି ୨୦ ବର୍ଷ ପୁରୁଣା । କ୍ୱାର୍ଟର୍ସ ଅନେକ ଦିନ ହେବ ଖାଲିଥିବାରୁ ବହୁ ସାମଗ୍ରୀ ଚୋରି ହୋଇଗଲାଣି । ଏଣୁ ସରକାରଙ୍କୁ ଏତେ ଟଙ୍କା ଦେଇ କ୍ୱାର୍ଟର୍ସ ଭାଙ୍ଗିଲେ କ୍ଷତି ହେବ ବୋଲି ଆଶଙ୍କା କରି କେହି ଆବେଦନ କରିନାହାନ୍ତି । ତେଣୁ ଦାଖଲ ହେବାକୁ ଥିବା ଟଙ୍କା ପରିମାଣ କମାଇ ସାନି ଟେଣ୍ଡର ବାହାର କରିବୁ ବୋଲି ଜଣେ ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୟୁନିଟ୍-୨ରୁ ୧୮୦ଟି କ୍ୱାର୍ଟର୍ସ ଭଙ୍ଗାଯିବ । ୨୬ଟି ଆଇଭିଆର୍, ୯୬ଟି ଟାଇପ୍-୨, ୨୪ଟି ଟାଇପ୍୨ଆରପିଏଫ୍, ୩୦ଟି ଟାଇପ୍-୨ଆରଏ, ଗୋଟିଏ ୨ଆରବି ଓ ୩ଟି ୧ଆର୍ କ୍ୱାର୍ଟର୍ସ ଭଙ୍ଗାଯିବ ବୋଲି ପୂର୍ତ୍ତ ବିଭାଗ ସୂତ୍ରରୁ ସୂଚନା ମିଳିଛି ।