ନୂଆଦିଲ୍ଲୀ, ୧୦/୦୨ : ଉତ୍ତରପ୍ରଦେଶର ଔରିଆ ଜିଲ୍ଲା ଫଫୁନ୍ଦ ଥାନା ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ରାତିରେ ଖାଇପିଇ ଶୋଇଥିଲେ ଯୁବତୀ। ସକାଳୁ ଖୋଲିଲେନି କବାଟ। ସନ୍ଦେହ ହେବାରୁ କବାଟ ଖୋଲି ଦେଖିଲେ ଘରଲୋକ। ଘର ଭିତରର ଦୃଶ୍ୟ ଦେଖି ସମସ୍ତଙ୍କର ଉଡ଼ିଗଲା ହୋସ୍। ଘର ଭିତରେ ଝିଅ ନଥିଲା, ବରଂ ଖଟ ଉପରେ ଏକ ୫ ଫୁଟର ସାପ କାତି ପଡ଼ିଥିଲା। ପାଖରେ ଚୁଡ଼ି ସିନ୍ଦୂର ବିଛେଇ ହୋଇ ପଡିଥିଲା। ରାତିରେ ଝିଅ ନାଗୁଣୀ ପାଲଟିଯାଇଥିବା ସନ୍ଦେହ ହେଲା। ଦେଖୁ ଦେଖୁ ସାରା ଗାଁରେ ଖବର ବ୍ୟାପିଗଲା। ଯୁବତୀ ଜଣଙ୍କ ଇଚ୍ଛାଧାରୀ ନାଗୁଣୀ ଥିଲେ ବୋଲି ସବୁଠି ଆଲୋଚନା ହେଲା। ଏହି ଅନ୍ଧବିଶ୍ଵାସ କେମିତି ବାସ୍ତବ ହେଲା ତାହା କେହି ବିଶ୍ଵାସ କରିପାରୁନଥିଲେ। ତଥାପି ଏହା ଅଲୌକିକ ଚମତ୍କାର ଭାବି ବିଶ୍ଵାସ କଲେ। ଶେଷରେ ଯୁବତୀଙ୍କ ଘର ଲୋକ ପୁଲିସକୁ ଡାକିଲେ, ତାପରେ ଯାହା ଘଟିଲା ସମସ୍ତଙ୍କର ହୋସ୍ ଉଡ଼ିଗଲା।

ତଦନ୍ତରୁ ଲଭ୍ ଆଙ୍ଗେଲ୍

ଫଫୁନ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା। ସାପ କାତି ଦେଖି ପ୍ରଥମେ ପୁଲିସ ବି ହଡ଼ବଡ଼ ହୋଇଗଲା। ହେଲେ ତଦନ୍ତ ଆଗକୁ ବଢିବା ପରେ ଅସଲ ସତ ସାମ୍ନାକୁ ଆସିଲା। ଯୁବତୀଙ୍କ ମୋବାଇଲରୁ ସବୁ ସତ ଧରାପଡ଼ିଗଲା। ଯୁବତୀ ଜଣଙ୍କ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ହେଲେ ପରିବାର ଏଥିରେ ଅରାଜି ଥିଲେ। ଏଥିପାଇଁ ଦୁହେଁ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କୁ କେହି ନଖୋଜିବା ପାଇଁ ଯୁବତୀ ଜଣଙ୍କ ଫିଲ୍ମ ଷ୍ଟାଇଲେ ଏକ ନାଟକ ରଚିଥିଲେ। ଏକ ସାପ କାତି ଯୋଗାଡ଼ କରି ସେ ଖଟ ଉପରେ ରଖି ଦେଇଥିଲେ। ଏହା ସହ କିଛି ଚୁଡ଼ି ସିନ୍ଦୂର ରଖି ଦେଇଥିଲେ। ଯୁବତୀ ଜଣଙ୍କ ସାପ ପାଲଟି ଯାଇଛନ୍ତି ବୋଲି ଘର ଲୋକଙ୍କ ମନରେ ଅନ୍ଧବିଶ୍ଵାସ ଜନ୍ମାଇଥିଲେ ଏବଂ ନିଜ ପ୍ରେମିକ ସହ ଫେରାର୍ ହୋଇଯାଇଥିଲେ। 

ଫଫୁନ୍ଦା ଥାନା ଅଧିକାରୀ ଅଜୟ କୁମାର କହିଛନ୍ତି ଯେ, ଏହା କୌଣସି ରହସ୍ୟମୟୀ ଘଟଣା ନୁହେଁ। ଜାଣିଶୁଣି ଯୁବତୀ ଜଣଙ୍କ ଏହି ଡ୍ରାମା କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେମାନଙ୍କର ଲୋକେସନ ଟ୍ରାକ୍ କରାଯାଉଛି। ଖୁବଶୀଘ୍ର ସେମାନଙ୍କୁ ଧରିବାରେ ସଫଳ ହେବୁ।

ଏହି ଖବରଟିକୁ ପଢନ୍ତୁ- ଚାଞ୍ଚଲ୍ୟ; ବନ୍ଦ ଘରୁ ମିଳିଲା ୫ ମୃତଦେହ, କ୍ଷୀରରେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ