ଭୁବନେଶ୍ୱର,୨୦/୦୭: ରାଜ୍ୟରେ ଆଗେଇବ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ । ୨ଟି ମଧ୍ୟମ ଧରଣର ଜଳ ଭଣ୍ଡାରରେ ଫ୍ଲୋଟିଂ ସୋଲାର୍ ଫୋଟୋଭଲଟାଇକ୍ (ଏଫ୍ଏସପିଭି) ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ୬ଟି ମଧ୍ୟମ ଧରଣର ଜଳଭଣ୍ଡାର ଯାଞ୍ଚ କରାଯିବ । ଏହି ସମସ୍ତ ଜଳଭଣ୍ଡାର ବୁଲିବା ପରେ ଅଧିକାରୀମାନେ ୨ଟି ଜଳଭଣ୍ଡାରକୁ ମନୋନୀତ କରିବେ । ବିଭିନ୍ନ ବିଭାଗର ଅଧିକାରୀମାନେ ମିଳିତ ଭାବେ ଯାଞ୍ଚ କରିବା ପରେ ଚୂଡାନ୍ତ କରାଯିବ ।
ଜଳଭଣ୍ଡାରରେ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ସମ୍ଭାବନା ଗଜପତି ଜିଲ୍ଲାର ହରଭାଙ୍ଗି ଡ୍ୟାମ୍ରେ ଖୋଜା ସରିଥିବା ବେଳେ ୨୦ ଓ ୨୧ ତାରିଖରେ ଢ଼େଙ୍କାନାଳ ଜିଲ୍ଲାର ରାମିଆଲ୍ ଡ୍ୟାମ୍ ଓ ଅନୁଗୁଳ ଜିଲ୍ଲାର ଡ଼େରଜଙ୍ଗ ଡ୍ୟାମ୍ ୨୨ ଓ ୨୩ ତାରିଖରେ ବରଗଡ଼ ଜିଲ୍ଲାର ଝାରବନ୍ଧ ଡ୍ୟାମ୍ ଓ ଦେବଗଡ଼ ଜିଲ୍ଲାର ଗୋହିରା ଡ୍ୟାମ୍କୁ ଅଧିକାରୀମାନେ ଗସ୍ତ କରିବେ । ସେଠାରେ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ କଲେ କେତେ ଦୂର ଲାଭବାନ ହେବ, ସେ ବାବଦରେ ଆକଳନ କରିବେ । ଡ୍ୟାମର ନିକଟବର୍ତ୍ତୀ ଓଡ଼ିଶା ବିଦ୍ୟୁତ ସଞ୍ଚାରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍)ର ସବଷ୍ଟେସନ ବୁଲି ଦେଖିବେ ।
ଅଧିକ ପଢ଼ନ୍ତୁ :- Power Infrastructure: ଓଡ଼ିଶାର ବିପର୍ଯ୍ୟୟ-ସହନଶୀଳ ବିଦ୍ୟୁତ ଭିତ୍ତିଭୂମି ପାଇଁ ୯,୭୫୫.୮୧ କୋଟି ପ୍ରସ୍ତାବ, କେନ୍ଦ୍ରୀୟ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର
ସେଠାରୁ କେମିତି ଅଧିକରୁ ଅଧିକ ବିଦ୍ୟୁତ ଉତ୍ପାଦନ ହେବ, ତାହାର ସମ୍ଭାବନା ଯାଞ୍ଚ କରିବେ । ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ସମ୍ଭାବନା ନେଇ ଗସ୍ତବେଳେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ, ଶିଳ୍ପ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ମିଳିତ ଭାବେ ଯାଞ୍ଚ କରିବେ । ଏହା ସହିତ ଗ୍ରୀଡକୋ ଓ ଓପିଟିସିଏଲ୍ର ଅଧିକାରୀ ମଧ୍ୟ ଯିବେ ବୋଲି ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିୟର ସୁଶିଲ କୁମାର ବେହେରା ସୂଚନା ଦେଇଛନ୍ତି ।