ଭୁବନେଶ୍ୱର/ଯାଁଳା,୨୦/୦୭: ରବିବାର ଅପରାହ୍ଣରେ ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ଅପହରଣ କରି ନେଇ ଏକ କାଜୁ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ ହୋଇଛି । ତେବେ କୌଶଳ କରି ସାହସର ସହ ପୀଡ଼ିତା ଯୌନ ପିପାସୁ କବଳରୁ ଖସିଆସି ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରିଛନ୍ତି । ଇନ୍ଫୋଭ୍ୟାଲି ଥାନା ପୁଲିସ ସହ ଜଟଣୀ, ତମାଣ୍ଡୋ, ଖଣ୍ଡଗିରି ଏବଂ ଚନ୍ଦକା ଥାନା ଏପରି ୫୦ ପୁଲିସ ଗଙ୍ଗପଡ଼ା ରତନପୁର କାଜୁ ଜଙ୍ଗଲରେ ୫ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ପୀଡ଼ିତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏହି ମାମଲାରେ ଇନ୍ଫୋଭ୍ୟାଲି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ଅଧିକ ପଢ଼ନ୍ତୁ :- Minor rape : ରାକ୍ଷସ ପାଲଟିଗଲେ ଦାଦା-ବଡ଼ବାପା, ୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ ! ଏମିତି ପାପୀଙ୍କୁ କ୍ଷମା ନାହିଁ...
ମିଳିଥିବା ଅଭିଯୋଗ ମୁତାବକ, ଖେ।।ର୍ଦ୍ଧା ବାଘମାରୀ ଥାନା ଅଞ୍ଚଳର ପ୍ରିୟଙ୍କା(ଛଦ୍ମନାମ) ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ରବିବାର ଥିଲେ ମଧ୍ୟ ସେ କାମରେ ଯୋଗ ଦେବା ପାଇଁ ଆସି ଖୋର୍ଦ୍ଧା କଲେକ୍ଟର ଅଫିସ ନିକଟରେ ଛିଡ଼ା ହୋଇ ଲିଫ୍ଟ ମାଗୁଥିଲେ । ଦିନ ସାଢ଼େ ଗୋଟାଏରେ ଏକ ବାଇକ୍ରେ ପ୍ରିୟଙ୍କାଙ୍କ ଜଣେ ଚିହ୍ନା ପରିଚୟ ଯୁବକ ଆସି ପ୍ରିୟଙ୍କାଙ୍କ ପାଖରେ ଅଟକିଥିଲା । ତାଙ୍କୁ ଭୁବନେଶ୍ୱରରେ ଛାଡ଼ିଦେବେ ବୋଲି କହିଥିଲା । ପ୍ରିୟଙ୍କା ବାଇକ୍ ପଛରେ ବସିବା ପରେ ଯୁବକ ଜଣଙ୍କ ତାଙ୍କୁ ରତନପୁର କାଜୁ ଜଙ୍ଗଲକୁ ନେଇ ଆସିଥିଲା । ୟାଡ଼େ କୁଆଡ଼େ ନେଉଛ ବୋଲି ପ୍ରିୟଙ୍କା ପଚାରିବାରୁ ସେ ବାଇକ୍ ନ ଅଟକାଇ ସିଧା ରତନପୁର କାଜୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲା । ସେଠାରେ ସେ ପ୍ରିୟଙ୍କାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ କୌଶଳ କରି ପ୍ରିୟଙ୍କା ଯୁବକ କବଳରୁ ଖସି ଆସିଥିଲେ । ଅପହର୍ତ୍ତା ପ୍ରିୟଙ୍କାଙ୍କୁ ଧରିବାକୁ ଜଙ୍ଗଲ ଭିତରେ ଗୋଡ଼ାଇଥିଲେ । ତେବେ ଯୁବତୀ ଜଣଙ୍କ ସାହାସର ସହ ୧୧୨କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇବାରେ ସଫଳ ହୋଇଥିଲେ । ଏଥିସହ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଯିବ ବୋଲି ମଧ୍ୟ କହିଥିଲେ ।
ପୁଲିସ କଣ୍ଟ୍ରୋଲ ରୁମ୍ରୁ ଖବରପାଇ ଜୋନ୍-୩ ଏସିପି, ଇନ୍ଫୋଭ୍ୟାଲି, ଜଟଣୀ, ତମାଣ୍ଡୋ, ଭରତପୁର ଏବଂ ଚନ୍ଦକା ଥାନା ପିସିଆର ଓ ପୁଲିସ ରତନପୁର କାଜୁ ଜଙ୍ଗଲରେ ପହଞ୍ଚିଥିଲେ । ସେତେବେଳକୁ ପ୍ରିୟଙ୍କାଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଯାଇଥିଲା । ପ୍ରାୟ ୫ ଘଣ୍ଟା ଧରି ପୁଲିସ ଜଙ୍ଗଲର ଏପଟରୁ ସେପଟ ଖେଦିଯାଇ ଖୋଜାଖୋଜି ଚଳାଇଥିଲା । ଏକା ସାଙ୍ଗରେ ୮ରୁ ୧୦ଟି ପୁଲିସ ଭ୍ୟାନ୍ ପୀତାପଲ୍ଲୀ କାଜୁ ଜଙ୍ଗଲରେ ଖୋଜାଖୋଜି ଖବର ପ୍ରଘଟ ହେବାପରେ ସେଠାରେ ଧୀରେଧୀରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଘଟଣା ସଂପର୍କରେ ଜାଣି ଲୋକମାନେ ମଧ୍ୟ ଖୋଜାଖୋଜି କରିଥିଲେ । ପୁଲିସ ମୋବାଇଲ ଲୋକେସନ୍ ଠାରୁ ଆରମ୍ଭକରି ଡ୍ରୋନ୍ କ୍ୟାମେରା, ଫ୍ଲେୟାର ଗନ୍(ଆଲୋକ ପ୍ରଦାନକାରୀ ବନ୍ଧୁକ) ଏବଂ ବାଣ ଫୁଟାଇ ଯୁବତୀଙ୍କୁ ନିଜର ଉପସ୍ଥିତି ଜଣାଇବାକୁ ଚେଷ୍ଟା କରିଥିଲା । ଶେଷରେ ବହୁ ଖୋଜାଖୋଜି ପରେ ସନ୍ଧ୍ୟାରେ ଜଙ୍ଗଲରୁ ପ୍ରିୟଙ୍କାଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲା ପୁଲିସ । ଏଥିସହ ଅପହରଣକାରୀକୁ ମଧ୍ୟ ଉଠାଇ ଆଣିଥିଲା । ଅପହରଣରେ ବ୍ୟବହୃତ ବାଇକ୍କୁ ପୁଲିସ ଜବତ କରିଥିଲା ।
ପ୍ରିୟଙ୍କାଙ୍କୁ ପୁଲିସ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀ ପରୀକ୍ଷା କରାଇଥିଲା । ପ୍ରଥମେ ଯୁବତୀ ଏତଲା ଦେବାକୁ ଅନିଛୁକ ଥିଲେ । କିନ୍ତୁ ତାଙ୍କୁ ଉପଯୁକ୍ତ କାଉନ୍ସେଲିଂ କରି ବୁଝାଇବା ପରେ ସେ ଏଫ୍ଆଇଆର ଦେଇଥିଲେ । ପୁଲିସ ପ୍ରିୟାଙ୍କାଙ୍କ ପରିବାର ଲୋକଙ୍କୁ ଡକାଇ ସେମାନଙ୍କ ଜିମା ଦେଇଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଟକ ରଖିଥିବା ଅପହରଣକାରୀକୁ ପଚରାଉଚରା ଚଳାଇଛି । ତେବେ ଯୁବତୀଙ୍କ ସାହାସ ଓ କୌଶଳ ଯୋଗୁଁ ସେ ଯୌନପିପାକୁ କବଳରୁ ନିଜକୁ ସୁରକ୍ଷିତ ରଖିବାରେ ସଫଳ ହୋଇ ପାରିଥିଲେ । ଏହି ଘଟଣା ଆଜି ରାଜଧାନୀ ଉପକଣ୍ଠରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।