WTC ପଏଣ୍ଟ ଟେବୁଲରେ ଭାରତର ମୁସ୍କିଲ ବଢାଇଲା ଅଷ୍ଟ୍ରେଲିଆ, ଫାଇନାଲ ଖେଳିବା ହେବନି ସହଜ

ନୂଆଦିଲ୍ଲୀ ୦୪/ ୧୨: ପର୍ଥରେ ଜାରି ରହିଥିବା ଟେଷ୍ଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୧୬୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ସହିତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲ ଉପରେ ମଧ୍ୟ ପ୍ରଭାବ ପଡିଛି । ଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟ ଭାରତ ପାଇଁ ମଧ୍ୟ ସମସ୍ୟା ଛିଡା କରୁଛି । ଟେଷ୍ଟ ଚାମ୍ପିୟନସିପ୍ରେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୭୦ ପାର୍ କରିଥିବା ବେଳେ ଭାରତ ୫୨ ପ୍ରତିଶତରେ ରହିଯାଇଛି । ଯେଉଁଥି ପାଇଁକି ଭାରତ ମୁସ୍କିଲରେ ପଡିଯାଇଛି ।
ଆଗାମୀ ଦିନରେ ଭାରତ ଦୁଇଟି ଟେଷ୍ଟ ସିରିଜ ଖେଳିବ । ୨ଟି ଟେଷ୍ଟ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ବେଳେ ୪ଟି ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ହେଲେ ଭାରତ ସମସ୍ତ ମ୍ୟାଚ୍ ଜିତିବାକୁ ହେବ । ଯଦି ଆଗାମୀ ୬ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଭାରତ ଗୋଟିଏରେ ବି ପରାଜିତ ହୁଏ ତେବେ ଫାଇନାଲରେ ପହଞ୍ଚିବା ପାଇଁ ସଂଘର୍ଷ କରିବାକୁ ହେବ ।
ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ, ବର୍ତ୍ତମାନ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ବିତୀୟରେ ରହିଛି । ସେହିଭଳି ଶ୍ରୀଲଙ୍କା ୩ୟ ରେ ଥିବା ବେଳେ ଭାରତ ୪ର୍ଥ, ପାକିସ୍ତାନ ୫ମ, ଓ୍ବେଷ୍ଟଇଣ୍ଡିଜ୍ ୬ଷ୍ଠ, ଇଂଲଣ୍ଡ ୭ମ, ନ୍ୟୁଜିଲାଣ୍ଡ ୮ମ ଏବଂ ବାଂଲାଦେଶ ୯ମ ସ୍ଥାନରେ ରହିଛି । କଙ୍ଗାରୁ ଟିମ୍ ଏବଂ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ଥିବାରୁ ଉଭୟ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାର ସମ୍ଭାବନା ଅଧିକ । ଭାରତ ନିକଟରେ ମଧ୍ୟ ଫାଇନାଲ ଖେଳିବାକୁ ସୁଯୋଗ ରହିଛି ।