ନୂଆଦିଲ୍ଲୀ,୨୧/୧୧; ପର୍ଥରେ ଐତିହାସିକ ଆସେସର ୭୪ତମ ସଂସ୍କରଣ ଆରମ୍ଭ ହୋଇଛି । ଟେଷ୍ଟ କ୍ରିକେଟ୍ର ଦୁଇ ମହାରଥୀ ଘରୋଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ଆସେସ୍ ସିରିଜର ପ୍ରଥମ ଟେଷ୍ଟ । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତିରେ ମିଚେଲ ଷ୍ଟାର୍କ ୭ଟି ୱିକେଟ୍ ନେଇ ଖେଳ ଓଲଟପାଲଟ କରି ଦେଇଛନ୍ତି । ପ୍ରଥମ ଦିନ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ମିଚେଲ୍ ଷ୍ଟାର୍କଙ୍କ ପରେ ବେନ୍ ଷ୍ଟୋକ୍ସଙ୍କ ଜଲୱା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ୧୯ ୱିକେଟ ପତନ ହୋଇଛି । ଇଂଲଣ୍ଡ ୧୭୨ରନ୍ରେ ଅଲଆଉଟ୍ ହୋଇଥିଲା । ପ୍ରଥମ ଦିନ ଖେଳ ଶେଷ ହେବା ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୧୨୩ରନ୍ କରିଛି ।
ପର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିରେ ୪୯ରନ୍ରେ ପଛୁଆ ଅଛି । ପ୍ରଥମ ଦିନ ଦ୍ରୁତ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମ ଦିନ ପଡିଥିବା ସମସ୍ତ ୧୯ ୱିକେଟ ଦ୍ରୁତ ବୋଲର ଅକ୍ତିଆର କରିଛନ୍ତି । ମିଚେଲ ଷ୍ଟାର୍କ ୭ଟି ୱିକେଟ ନେଇଥିବାବେଳେ ବେନ୍ ଷ୍ଟୋକ୍ସଙ୍କୁ ୫ଟି ସଫଳତା ମିଳିଛି ।
ଇଂଲଣ୍ଡ ଇନିଂସ- ପ୍ରଥମ ବ୍ୟାଟିଂ କରିଥିଲା ଭ୍ରମଣକାରୀ ଇଂଲଣ୍ଡ । ମ୍ୟାଚ୍ର ପ୍ରଥମ ଦିନ, ମିଚେଲ୍ ଷ୍ଟାର୍କ ପ୍ରଥମ ଓଭରର ଶେଷ ବଲ୍ରେ ଜାକ୍ କ୍ରାଲିଙ୍କୁ ଆଉଟ୍ କରିଥିଲେ। କ୍ରାଲି ଖାତା ଖୋଲି ପାରିନଥିଲେ। ବେନ୍ ଡକେଟ ୨୦ ରନ୍ କରିଥିବାବେଲେ ଜୋ ରୁଟ୍ ବିନା ସ୍କୋରରେ ପାଭିଲିୟନ ଫେରିଥିଲେ । ଇଂଲଣ୍ଡ ୩୯ ରନ୍ରେ ୩ଟି ୱିକେଟ ହରାଇଥିଲା । ଓଲି ପୋପ୍ ଏବଂ ହ୍ୟାରୀ ବ୍ରୁକ୍ ୫୫ ରନ୍ର ଭାଗୀଦାରି କରି ଦଳକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ହ୍ୟାରୀ ବ୍ରୁକ ୫୨ ରନ୍ କରିଥିବାବେଳେ ପୋପ୍ ୪୬ରନ୍ର ପାଳି ଖେଳିଥିଲେ । ଦୁହେଁ ଆଉଟ୍ ହେବା ପରେ ଇଂଲଣ୍ଡର ବ୍ୟାଟିଂ ଅର୍ଡର ଧ୍ୱଂସ୍ତ ହୋଇଥିଲା । ୧୬୦ରନ୍ରେ ଦଳ ୫ ୱିକେଟ୍ ହରାଇଥିଲା । ଏହାପରେ ୧୨ରନ୍ରେ ବାକି ୫ ୱିକେଟ୍ ହରାଇଥିଲା ଇଂଲଣ୍ଡ । ପ୍ରଥମ ପାଳିରେ ଇଂଲଣ୍ଡ ୧୭୨ରନ୍ କରିଥିଲା ।
ଅଷ୍ଟ୍ରେଲିଆ ଇନିଂସ- ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ଜୋଫ୍ରା ଆର୍ଚର ପ୍ରଥମ ଓଭରର ଦ୍ୱିତୀୟ ବଲ୍ରେ ଜେକ୍ ୱେଦରାଲ୍ଡଙ୍କୁ ଶୂନ୍ୟରେ ଆଉଟ୍ କରିଥିଲେ। ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ୍ ଲାବୁସେନଙ୍କର ମଧ୍ୟ ବ୍ୟାଟ ଚାଲିଲା ନାହିଁ । ମଧ୍ୟ ଜୋଫ୍ରା ଆର୍ଚର ଏବଂ ବ୍ରାଇଡନ୍ କାର୍ସେଙ୍କ ଘାତକ ବୋଲିଂ ଆଗରେ ଦୁହେଁ ଫିକା ପଡିଯାଇଥିଲା । ଅଷ୍ଟ୍ରେଲିଆ ୩୧ ରନ୍ରେ ୪ଟି ୱିକେଟ୍ ହରାଇଥିଲା। ଟ୍ରାଭିସ୍ ହେଡ୍ ଏବଂ କ୍ୟାମେରନ୍ ଗ୍ରୀନ୍ ମଧ୍ୟରେ ୪୫ ରନ୍ର ଭାଗୀଦାରି ଅଷ୍ଟ୍ରେଲିଆକୁ କମବ୍ୟାକ କରିବାରେ ସାହାଯ୍ୟ କରିଥିଲା। ହେଡ୍ ୨୧ ରନ୍ କରିଥିଲେ, ଗ୍ରୀନ୍ ୨୪ ରନ୍ କରି ଆଉଟ୍ ହୋଇଥିଲେ ।
ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ- ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଆସେସ ଟେଷ୍ଟ ସିରିଜରେ ୧୦୦ ୱିକେଟ୍ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ୧୦୦ ଆସେସ ୱିକେଟ ପୂରଣ କରିବାରେ ସେ ପ୍ରଥମ ବାମହାତୀ ପେସ୍ ବୋଲର ହୋଇଛନ୍ତି। ୨୦୧୩ ପରଠାରୁ, ଷ୍ଟାର୍କ ୨୩ଟି ଆସେସ୍ ମ୍ଯାଚ ଖେଳି ୪୩ ଇନିଂସରେ ୨୬.୬୫ ହାରରେ ୱିକେଟ୍ ନେଇଛନ୍ତି । ଟେଷ୍ଟ ଇନିଂସର ପ୍ରଥମ ଓଭରରେ ସର୍ବାଧିକ ୭ ୱିକେଟ୍ ନେଇ ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଦେଇଛନ୍ତି ୨୩ ବର୍ଷୀୟ ମିଚେଲ ଷ୍ଟାର୍କ ।