ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ କୌଣସି ଓ୍ବିକେଟ ନହରାଇ ୨୧୮ ରନ୍‌ ଆଗରେ ରହିଛି । ଆଜି ଓପନର ଯଶସ୍ବୀ ଜୟସ୍ବାଲ ଏବଂ କେଏଲ ରାହୁଲ ଚମତ୍କାର ବ୍ୟାଟିଂ କରି ଖେଳାପ୍ରେମୀଙ୍କୁ ଖୁସି କରାଇ ଦେଇଛନ୍ତି । ଯଶସ୍ବୀ ୯୦ ରନ୍‌ କରି ଅପରାଜିତ ଥିବା ବେଳେ ୬୨ ରନ୍‌ କରି କେଏଲ ରାହୁଲ ଅପରାଜିତ ଅଛନ୍ତି । ଏହି ଦୁଇ ଓପନର ଅଷ୍ଟ୍ରେଲିଆ ବୋଲରଙ୍କୁ ଜୋରଦାର ପ୍ରହାର କରିଛନ୍ତି । ସେପଟେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୦୪ ରନ୍‌ କରିଛି ।

ଟିମ୍‌ ଇଣ୍ଡିଆ ନିଜର ଦ୍ବିତୀୟ ପାଳିରେ ବିନା ଓ୍ବିକେଟରେ ୧୭୨ ରନ୍‌ କରିଛି । ପ୍ରଥମ ପାଳିରେ ଭାରତ ୧୫୦ ରନ୍‌ରେ ସବୁ ଓ୍ବିକେଟ ହରାଇ ଦେଇଥିଲା । କିନ୍ତୁ ଆଜି କେଏଲ ରାହୁଲ ୧୫୩ ବଲ୍‌ରେ ୪ ଚୌକା ସହ ୬୨ ରନ୍‌ କରିଛନ୍ତି । ସେହିଭଳି ଯଶସ୍ବୀ ଜୟସ୍ବାଲ ୭ ଚୌକା ଏବଂ ୨ ଛକା ସହ ୯୦ ରନ୍‌ କରିଛନ୍ତି । ପ୍ରଥମେ ବୋଲର ଏବଂ ଆଜି ବ୍ୟାଟର ପର୍ଥ ଟେଷ୍ଟରେ କମାଲ ପ୍ରଦର୍ଶନ କରିଛନ୍ତି ।  

ଅଷ୍ଟ୍ରେଲିଆ ବୋଲର ଭାରତୀୟ ଓପନିଂ ଯୋଡ଼ିଙ୍କୁ ଆଉଟ୍‌ କରିପାରି ନାହାନ୍ତି । ମିଚେଲ ଷ୍ଟାର୍କ ୧୨ ଓଭରରେ ୪୩ ରନ୍ ଦେଇଥିବା ବେଳେ  ଜୋଶ ହେଜଲଉଡ୍ ୧୦ ଓଭରରେ ୯ ରନ୍ ଦେଇଛନ୍ତି । ଅଧିନାୟକ ପାଟ କମିନ୍ସ ୧୩ ଓଭର ବୋଲିଂ କରି ୪୪ ରନ୍‌ ଓ ନାଥନ ଲାୟନ ୧୩ ଓଭରରେ ମାତ୍ର ୮ ରନ୍‌ ଦେଇଛନ୍ତି । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୧୦୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଆୟୋଜକ ଦଳ । ସେପଟେ ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମରା ସର୍ବାଧିକ ୫ ଓ୍ବିକେଟ ନେଇଥିଲେ ।   ମହମ୍ମଦ ସିରାଜ ୨ ଏବଂ ନୀତୀଶ ରେଡ୍ଡୀ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।