ନୂଆଦିଲ୍ଲୀ,୯।୧୦: ହମାସ ସହ ଅସ୍ତ୍ରବିରତିକୁ ନେଇ ଡିଲ୍ ହେବାପରେ ବି ଇସ୍ରାଏଲ ଗାଜାର ଲୋକଙ୍କୁ କଡା ଚେତାବନୀ ଦେଇଛି। ଇସ୍ରାଏଲ ପ୍ରତିରକ୍ଷା ବଳ ବା ଆଇଡିଏଫ୍ ପକ୍ଷରୁ କୁହାଯାଇଛି, ଗାଜାର ଉତ୍ତର ଭାଗକୁ ଏବେ ବି ଯୁଦ୍ଧ କ୍ଷେତ୍ର ଭାବରେ ଘୋଷିତ କରାଯାଇଛି। ସେଠାରୁ ଫେରିବା ଅତ୍ୟନ୍ତ ବିପଦଜନକ ହେବ। ଇସ୍ରାଏଲୀ ସେନା ଏବେ ବି ସେଠାରେ ରହିଛି। ତେଣୁ ଜନସାଧାରଣଙ୍କୁ ଆଇଡିଏଫ୍ର ନିର୍ଦ୍ଦେଶ ପାଳନ କରିବାକୁ ଓ ସୁରକ୍ଷିତ ରହିବାକୁ ଅପିଲ କରାଯାଇଛି ।
ଆଇଡିଏଫ୍ ମୁଖପାତ୍ର ଅଭିଚାୟ ଅଦରାଇ ଗାଜାର ନିବାସୀଙ୍କୁ କହିଛନ୍ତି, ଗାଜାର ଉତ୍ତର ଭାଗ ଏବେ ବି ଯୁଦ୍ଧକ୍ଷେତ୍ର ହୋଇ ରହିଛି। ଆଇଡିଏଫ୍ ସେନା ଗାଜା ସିଟିକୁ ଚାରିପଟୁ ଘେରି ହୋଇ ରହିଛି। ଆପଣଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏବେ ସେହି ଅଞ୍ଚଳକୁ କେହି ଫେରନ୍ତୁ ନାହିଁ।
ଉଲ୍ଲେଖନୀୟ ଯେ, ଇସ୍ରାଏଲ ଓ ହମାସ ମଧ୍ୟରେ ଦୁଇ ବର୍ଷ ହେବ ଜାରି ରହିଛି ଯୁଦ୍ଧ। ଯାହାକି ଥମିବାର ନାଁ ଧରୁନି। ଏସବୁ ଭିତରେ ଆମେରିକାର ମଧ୍ୟସ୍ଥତାରେ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଇସ୍ରାଏଲ-ହମାସ ସହମତି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ଅନୁସାରେ ଇସ୍ରାଏଲର ସମସ୍ତ ପଣବନ୍ଦୀ ଖୁବଶୀଘ୍ର ମୁକ୍ତ ହେବେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଲେଖିଛନ୍ତି ଯେ, "ମୁଁ ଗର୍ବିତ ଯେ ଇସ୍ରାଏଲ ଏବଂ ହମାସ ଉଭୟ ଆମର ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ଏହାର ଅର୍ଥ ହେଉଛି ସମସ୍ତ ବନ୍ଧକଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯିବ ଏବଂ ଇସ୍ରାଏଲୀ ସେନା ନିର୍ଦ୍ଧାରିତ ସୀମାକୁ ପ୍ରତ୍ୟାହାର କରିବ। ଏହା ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ।"