ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ  ୭୦ବର୍ଷ କିମ୍ବା ୭୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ  ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ  ୫ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ  ପରିବାର ପିଛା ବାର୍ଷିକ ଅତିରିକ୍ତ ୫ଲକ୍ଷ  ଟଙ୍କାର ସହାୟତା । ଦେଶର ସବୁ ରାଜ୍ୟର  ୨୯ହଜାରରୁ ଊଦ୍ଧ୍ୱର୍ ସରକାରୀ ଓ ପଞ୍ଜିକୃତ  ଘରୋଇ ଚିକିତ୍ସାଳୟରେ ଏହି କାର୍ଡ  ଦେଖାଇଲେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା ।

କଥା ଦେଇଥିଲୁ । କଥା ରଖିଲୁ । ସାରା ରାଜ୍ୟବାସୀ  ଆଜି ଖୁସି । ବିଶେଷ ଭାବରେ କାମଧନ୍ଦା  ଅନ୍ୱେଷଣରେ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟରେ  ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଲକ୍ଷ ଲକ୍ଷ  ଭାଇଭଉଣୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମୁହଁରେ  ହସ ଓ ହୃଦୟରେ ଆନନ୍ଦ ଭରିଯାଇଛି । 

ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଲାଗୁ ।  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ।  ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା । ଆୟୁଷ୍ମାନ  ବୟୋବନ୍ଦନା ଯୋଜନାର ସୁଫଳ ଆଜିଠାରୁ ମୋର ପ୍ରିୟ  ଓଡ଼ିଆ ଭାଇଭଉଣୀମାନଙ୍କୁ ଉପଲବ୍ଧ ହେବା କାରଣରୁ ମୁଁ  ବି ବିଶେଷ ଆନନ୍ଦିତ । ଭାରତର ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ  ଶ୍ରୀଯୁକ୍ତ ଜଗତ ପ୍ରକାଶ ନଡ୍ଡାଙ୍କ କରକମଳରେ କଟକର  ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏହାର ଲୋକାର୍ପଣ  ହେବ ।  

ରାଜ୍ୟରେ ୧.୦୩କୋଟିରୁ ଊଦ୍ଧ୍ୱର୍ ପରିବାରର  ୩.୪୬କୋଟି ଲୋକଙ୍କ ପାଇଁ ଏହି ଯୋଜନା ସମର୍ପିତ ।  ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଯୋଜନାର  କାର୍ଡ । ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କା ଓ ମହିଳା  ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ଲକ୍ଷ ଟଙ୍କାର  ଚିକିତ୍ସା ସହାୟତା ମିଳିବ ।  

ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ବର୍ଷ କିମ୍ବା  ୭୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର  ପିଛା ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ  ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ଲକ୍ଷ ଟଙ୍କାର  ସହାୟତା । ଦେଶର ସବୁ ରାଜ୍ୟର ୨୯ହଜାରରୁ ଊଦ୍ଧ୍ୱର୍  ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଏହି  କାର୍ଡ ଦେଖାଇଲେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା । 

ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ  ଯୁଗାନ୍ତକାରୀ ପଦକ୍ଷେପ । ଓଡ଼ିଶାର ଜନସାଧାରଣଙ୍କୁ  ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ  ଡବଲ ଇଞ୍ଜିନ ସରକାରର ଉପହାର । ଏହି ଅବସରରେ  ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଉଛି । 

ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ବିଜେଡି  ସରକାର ଏହି ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ  କରୁନଥିଲେ । କିନ୍ତୁ ବିଜେପି ସରକାର ଗଠନ ହେବା  ପରେ ଆମେ ଆମର ସଂକଳ୍ପ ପତ୍ରରେ କହିଥିବା  ଗୋଟି ଗୋଟି କଥାକୁ ପୂରଣ କରିବାକୁ ବଦ୍ଧପରିକର ।  ପ୍ରତିଶ୍ରୁତିର ସଠିକ୍‌ କ୍ରିୟାନ୍ୱୟନ ହିଁ ଡବଲ ଇଞ୍ଜିନ  ସରକାରର ପ୍ରତିବଦ୍ଧତା । 

ଜଣେ ରାଜନୈତିକ କର୍ମୀଭାବରେ ଓଡ଼ିଶାରେ  ମୋଦିଙ୍କ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନେକ  ସମୟରେ ସହକର୍ମୀମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇ  ଆନ୍ଦୋଳନ କରିଥିଲୁ । ଗତ ବିଜେଡି ସରକାରରେ  ଆୟୁଷ୍ମାନ ଭାରତ ଲାଗୁପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ  ଅନେକ ଥର ଅନୁରୋଧ ଓ ଦାବି କରିଥିଲୁ ।  

ମୋର ସ୍ପଷ୍ଟ ମନେଅଛି, ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ  ଏହି ଯୋଜନାର ଯିଏ ଉଦଘାଟକ ସେ ପୂର୍ବରୁ ଦେଶର  ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି  ଭାବରେ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିବା  ପାଇଁ ବାରମ୍ବାର ଅନୁରୋଧ ଓ ଦାବି କରିଥିଲେ । ତାଙ୍କରି  କରକମଳରେ ଆଜି ଓଡ଼ିଶାରେ ଏହି ଯୁଗାନ୍ତକାରୀ  ଯୋଜନାର ଶୁଭାରମ୍ଭ ହେବା ଅବସରରେ ଆମେ ସମସ୍ତେ  ଆନନ୍ଦିତ ।

 ନଡ୍ଡା ଜୀଙ୍କ ସହ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାରମ୍ବାର  ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ  ତତ୍କାଳୀନ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ  କରିଥିଲେ । ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ଆମର  ପ୍ରାଥମିକତା ଗରିବ ଲୋକଙ୍କୁ ସୁବିଧା ମିଳୁ । ମୋଦିଙ୍କ  ଏପରି ଜନକଲ୍ୟାଣକାରୀ ଯୋଜନା କ୍ରିୟାନ୍ୱୟନ  କରାଇନଦେବା ପଛରେ ତତ୍କାଳୀନ ସରକାରର  ଗୋଟିଏ ହୀନ ପ୍ରୟାସ ଥିଲା । ଗରିବ ଓଡ଼ିଆ ଲୋକଙ୍କୁ  ପଛେ ଲାଭ ନମିଳୁ, କିନ୍ତୁ ଶ୍ରେୟ ନରେନ୍ଦ୍ର ମୋଦି  ନନିଅନ୍ତୁ । ଓଡ଼ିଆ ଲୋକ ସେମାନଙ୍କର ଅସଲ ଉଦ୍ଦେଶ୍ୟ  ବୁଝିଲେ । ଲୋକଙ୍କ ଦୁଃଖ ନବୁଝୁଥିବା, ରାଜନୈତିକ  ସ୍ୱାର୍ଥ ପାଇଁ ରାଜ୍ୟର ଗରିବଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଥିବା  ସରକାରକୁ ପରିବର୍ତ୍ତନ କରି ରଖିଦେଲେ । 

ସଂଘୀୟ ବ୍ୟବସ୍ଥାରେ ସମାଜର ଅନ୍ତିମ ଶ୍ରେଣୀରେ  ଥିବା ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ । ସମସ୍ତଙ୍କୁ  ବିନା ଆର୍ଥିକ ଅସୁବିଧାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା  ଉପଲବ୍ଧ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର ୨୩ ସେପ୍ଟେମ୍ବର  ୨୦୧୮ ତାରିଖରେ ଆୟୁଷ୍ମାନ ଭାରତ– ପ୍ରଧାନମନ୍ତ୍ରୀ ଜନ  ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଆରମ୍ଭ  କରିଥିଲେ । ଏହି ଯୋଜନାର ଲକ୍ଷ୍ୟ ଥିଲା ଗୋଟିଏ ଏବଂ  ତାହା ହେଉଛି ଗରିବଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ  କରିବା । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଦ୍ୱାରା  କାର୍ଯ୍ୟକାରୀ ହେଉଥିବା ଏହି ପ୍ରମୁଖ ଯୋଜନା ଦ୍ୱାରା ୫ଲକ୍ଷ  ଟଙ୍କାରୁ ଊଦ୍ଧ୍ୱର୍ ଚିକିତ୍ସା ଖର୍ଚ୍ଚ ସହାୟତା ପ୍ରତି ପରିବାରକୁ  ଯୋଗାଇଦେବା ଥିଲା ମହତ୍ତ୍ୱାକାଂକ୍ଷୀ ଉଦ୍ଦେଶ୍ୟ । 

ଆୟୁଷ୍ମାନ ଭାରତ ହେଉଛି ବିଶ୍ୱର ସର୍ବବୃହତ  ସାର୍ବଜନୀନ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା³  ଯାହା ୧୨.୩୪କୋଟି ପରିବାରର ୫୫କୋଟି ଲୋକଙ୍କୁ  ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା  ପ୍ରଦାନ କରୁଛି । 

ନିକଟରେ ୨୦୨୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର  କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ  ଜନ ଆରୋଗ୍ୟ ଯୋଜନା ଅଧୀନରେ ୭୦ବର୍ଷରୁ ଅଧିକ  ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନକୁ ସ୍ୱୀକୃତି ମିଳିଛି, ଯାହା ଏକ ଐତିହାସିକ ନିଷ୍ପତ୍ତି । ପୂର୍ବ ବିଜେଡି ସରକାର ମୋଦି ସରକାରଙ୍କ ଆୟୁଷ୍ମାନ  ଯୋଜନା କାର୍ଯ୍ୟକାରୀ ନକରି ଗରିବଙ୍କୁ ପ୍ରତାରଣା  କରୁଥିଲେ ଏବଂ ନିଜର ପ୍ରଚାର ପାଇଁ ଶସ୍ତା ରାଜନୀତି  କରିବାକୁ ମଧ୍ୟ ପଛାଉନଥିଲେ, ଯାହା ବିଡ଼ମ୍ବନାର ବିଷୟ  ଥିଲା। ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ରାଜ୍ୟ  ସରକାର ଓଡ଼ିଶାର ଗରିବ ପରିବାରକୁ ଆୟୁଷ୍ମାନ ଭାରତ  ଯୋଜନାରୁ ବଞ୍ଚିତ ରଖିଥିଲେ ।  

ତେବେ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଯୋଜନା  ନିହାତି ଆବଶ୍ୟକ ଥିଲା । ଓଡ଼ିଶାର ଲକ୍ଷ ଲକ୍ଷ ଲୋକ  ତାମିଲନାଡୁ, ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ  ଦାଦନ ଖଟିବାକୁ ଯାଆନ୍ତି । ଭାରତର ଏମିତି ରାଜ୍ୟ ନାହିଁ  ଯେଉଁଠି ଓଡ଼ିଆ ଭାଇ ଭଉଣୀମାନେ ଶ୍ରମଦାନ କରି ଓଡ଼ିଶାକୁ ସେ ରାଜ୍ୟମାନଙ୍କର ବିକାଶରେ ଭାଗୀଦାରି  କରିନାହାନ୍ତି । ବାହାର ରାଜ୍ୟରେ କାମ କରୁଥିବା ଏହି  ଓଡ଼ିଆ ଭାଇ-ଭଉଣୀମାନେ ସେମାନଙ୍କର କଷ୍ଟ ଅର୍ଜିତ  ଅର୍ଥକୁ ନିଜ ପରିବାରକୁ ପଠାଇବା ପରିବର୍ତ୍ତେ ନିଜର  ସ୍ୱାସ୍ଥ୍ୟ ସମସ୍ୟା ବେଳେ ସେ ଅର୍ଥକୁ ଡାକ୍ତରଖାନାକୁ ଦେବାକୁ ବାଧ୍ୟ ହେଉଥିଲେ । ଏବେ ଗୋପବନ୍ଧୁ ଜନ  ଆରୋଗ୍ୟ ଯୋଜନା କାର୍ଡ ଦେଖାଇ ସେଠାରେ ମାଗଣାରେ  ଉଚ୍ଚମାନର ସ୍ୱାସ୍ଥ୍ୟସେବା ପାଇପାରିବେ ।  

ପୂର୍ବ ସରକାରଙ୍କ ନିଜସ୍ୱ ଯୋଜନା ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ ଯୋଜନାରେ କେବଳ ଓଡ଼ିଶା ଏବଂ ଓଡ଼ିଶା  ବାହାରେ ଲୋକମାନେ ସୀମିତ ଡାକ୍ତରଖାନାରେ ସୁବିଧା  ପାଉଥିଲେ । ଏବେ ଆୟୁଷ୍ମାନ ଭାରତ ଯୋଜନା ସହର  ରାଜ୍ୟ ସରକାରଙ୍କ ନିଜସ୍ୱ ଗୋପବନ୍ଧୁ ଜନ ଆରୋଗ୍ୟ  ଯୋଜନାରେ ରାଜ୍ୟର ଲୋକ ଏବଂ ରାଜ୍ୟର ପ୍ରବାସୀ  ଲୋକମାନେ ବିଶେଷ ଉପକୃତ ହେବେ । 

ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି  ହେବାର ୩ଦିନ ପୂର୍ବରୁ ଏବଂ ୧୫ଦିନ ପର୍ଯ୍ୟନ୍ତ  ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ ।  ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ,  ସମସ୍ତ ପ୍ରକାର ସେବା ଯତ୍ନ, କ୍ଲିନିକାଲ୍‌ ଏବଂ  ଲାବୋରେଟୋରୀ ଇନଭେସ୍‌ଟିଗେସନ, ରହିବା  ଏବଂ ଖାଦ୍ୟ ସେବା ଓ ମେଡିସିନ ଏବଂ ଚିକିତ୍ସା  ଉପଯୋଗୀ ସାମଗ୍ରୀ ସୁବିଧା ମିଳିବ । 

ଓଡ଼ିଶା ସମେତ ଦେଶର ୩ଟି ରାଜ୍ୟରେ ମୋଦିଙ୍କ  ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଲାଗୁ ହୋଇପାରିନଥିଲା ।  ଇତିମଧ୍ୟରେ ଲାଗୁ ହୋଇନଥିବା ଆମ ରାଜ୍ୟ ଓଡ଼ିଶାରେ  ଏହି ଯୋଜନା ଆଜିଠାରୁ ଲାଗୁହେଲା । ରାଷ୍ଟ୍ରୀୟ  ରାଜଧାନୀ ଦିଲ୍ଲୀରେ ଏହି ଯୋଜନା ଲାଗୁପାଇଁ ସବୁ  ଯୋଜନା ପ୍ରସ୍ତୁତ । ବାକି ରହିଲା ଆମର ପଡ଼ୋଶୀ  ପଶ୍ଚିମବଙ୍ଗ । ମୁଁ ନିଶ୍ଚିତ ଆମ ପଡ଼ୋଶୀ ରାଜ୍ୟରେ  ଖୁବ୍‌ଶୀଘ୍ର ସେ ରାଜ୍ୟର ଲୋକଙ୍କ ମୋଦିଙ୍କ ପ୍ରତି  ଆଶୀର୍ବାଦ, ସାହାଯ୍ୟ ଓ ସମର୍ଥନ ସେ ରାଜ୍ୟରେ ବି  ଆୟୁଷ୍ମାନ ଭାରତ ଲାଗୁ ପାଇଁ ରାସ୍ତା ଖୋଲିବ ।