ବାଙ୍ଗିରିପୋଷି, ୩୦।୧୦: ଜନ୍ମ ନେବା ପରେ ଚାଲିଗଲା ନବଜାତ ହାତୀ ଶାବକର ଜୀବନ । ନିଜ ଛୁଆର ପାଖ ଛାଡ଼ୁନି ମା’ ହାତୀ । ତେବେ ବନ ବିଭାଗ ଏ ବିଷୟରେ ଜାଣିବା ପରେ ଗୋଟିଏ ଦିନ ପରେ ପଶୁ ଡାକ୍ତରଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କରି ହାତୀ ଶାବକକୁ ପୋତି ଦେଇଛି । ବାଙ୍ଗିରିପୋଷି ରେଂଞ୍ଜ ଅନ୍ତର୍ଗତ କଳାବାଡିଆ ପଞ୍ଚାୟତର ବ୍ରାହ୍ମଣ ଗାଁରେ ଏଭଳି ଅଭାବନୀୟ ଘଟଣା ଦେକାଦେଇଛି ।
ଗତ ବୁଧବାର ଭୋରରୁ ହାତୀ ନବଜାତ ଶିଶୁଟିକୁ ଜନ୍ମ ଦେଇଥିଲା । ଖବର ପାଇ କ୍ୟାମେରା ଓ ଡ୍ରୋନ ସାହାଯ୍ୟରେ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲା ବନ ବିଭାଗ । ତେବେ ହାତୀ ଛୁଆଟିର ମୃତ୍ୟୁ ନେଇ ଗତକାଲି ବନ ବିଭାଗ କୌଣସି ସ୍ପଷ୍ଟୀକରଣ କରିନଥିଲା । ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ହାତୀ ଛୁଆର କୌଣସି ଗତି ନ ପାଇବାରୁ ଗୁରୁବାର ଡାକ୍ତରୀ ଦଳ ପହଞ୍ଚି ଶାବକର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ତେବେ ବାତ୍ୟା ପ୍ରଭାବରେ ବାଙ୍ଗିରିପୋଷି ଅଞ୍ଚଳରେ ଦିନ ତମାମ ପ୍ରବଳ ବର୍ଷା ହୋଇଥିବା ବେଳେ ନବଜାତ ହାତୀ ଶାବକଟି ବର୍ଷାରେ ଭିଜିଥିଲା । ହାତୀ ଛୁଆ ପାଖକୁ ମା’ ହାତୀ କାହାରିକୁ ଯିବାକୁ ଦେଉନଥିଲା । ଗୁରୁବାର ହାତୀ ପଲ ଯିବା ପରେ ବନବିଭାଗ ତରଫରୁ ଏସିଏଫ, ରେଞ୍ଜର, ଫରେଷ୍ଟରଙ୍କ ଉପସ୍ଥିତିରେ ବାଙ୍ଗିରିପୋଷି ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ମୃ ଶାବକଟିର ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏକ ଜେସିବି ସାହାଯ୍ୟରେ ଗାତ ଖୋଳି ଉକ୍ତ ସ୍ଥାନରେ ମୃତ ହାତୀ ଶବଟିକୁ ପୋତି ଦିଆଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଶାବକଟିର ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।