ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପାଣି ନାହିଁ, ଗାଁକୁ ମିଳୁନାହାନ୍ତି ବୋହୂ, ଅବିବାହିତ ଅଛନ୍ତି ୪୦ରୁ ଅଧିକ ଯୁବକ...

Published By : Prameya | April 8, 2025 2:49 PM

ନବରଙ୍ଗପୁର,୦୮/୦୪: ପାଣି ସମସ୍ୟା  ପାଇଁ ଗାଁକୁ ମିଳୁନାହାନ୍ତି ବୋହୂ । ଅନ୍ୟ ଅଞ୍ଚଳର ଲୋକେ ଝିଅ ଦେବା ପାଇଁ ରାଜି ହେଉନାହାନ୍ତି । ଖାସ୍‌ ଏହି କାରଣରୁ ୪୦ରୁ ଅଧିକ ଭେଣ୍ଡିଆ ଯୁବକ ଅବିବାହିତ ହୋଇ ରହିଛନ୍ତି । ଏଭଳି ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତର  ବଡବାର୍ଲି ଗାଁରେ । ବସତି ସ୍ଥାପନ ହୋଇ ୧୦୦ ବର୍ଷ  ବିତିଗଲାଣି । ଅଥଚ ଖୋଳାଯାଇଥିବା ନଳକୂଅରୁ ପାଣି ବାହାରୁନି କି ଅନ୍ୟ କୌଣସି ପ୍ରକଳ୍ପ ସୁବିଧା ନାହିଁ । ଗାଁଠାରୁ ପ୍ରାୟ ଗୋଟିଏ କିମି ଦୂର ପାହାଡର ଝର ପାଣିରେ ମେଣ୍ଟୁଛି ଶୋଷ । କେବଳ ଶୋଷ  ନୁହେଁ, ଗାଧୁଆପାଧୁଆଠାରୁ ଆରମ୍ଭ କରି ରନ୍ଧାବଢା  ପର୍ଯ୍ୟନ୍ତ-ସବୁ କାମରେ ବ୍ୟବହାର ହେଉଛି ଏ  ପାଣି । ତଥାପି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କେହିହେଲେ ଏହାର ସ୍ଥାୟୀ ପ୍ରତିକାର ଦିଗରେ  କୌଣସି ପଦକ୍ଷେପ ନେଇନାହାନ୍ତି ।   

ପ୍ରେମାନନ୍ଦ ନାଗ, ରବୀନ୍ଦ୍ର ନାଗ, ରାମସିଂ ଜାନୀ,  ଗୋବିନ୍ଦ ନାୟକ, ଅଲଙ୍କା ହରିଜନ, ଶାନ୍ତିମଣି ନାଗ  ପ୍ରମୁଖ ଗ୍ରାମବାସୀ କହିଛନ୍ତି, ସେମାନଙ୍କ ଗାଁରେ ଆଦିବାସୀ ଓ ଦଳିତ ପରିବାରର ୨୧୮ ଘର ରହିଛି । ଲୋକସଂଖ୍ୟା ୧ ହଜାରରୁ ଅଧିକ । ପାହାଡଘେରା ଏ ଗାଁକୁ ରାସ୍ତା, ବିଜୁଳି ପହଞ୍ଚିପାରିଛି । ବସ୍‌ ସେବା  ବି ମିଳୁଛି । ଅଥଚ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ପ୍ରଶାସନ ପକ୍ଷରୁ  ୩ଟି ନଳକୂଅ ଖୋଳାଯାଇଥିଲେ ବି ସେଗୁଡ଼ିକରୁ ଠିକ୍‌ରେ ପାଣି ବାହାରୁନି । ଅଧା ଘଣ୍ଟାରେ ଗୋଟିଏ ବାଲ୍‌ଟି ପାଣି ମିଳୁନି । ପୋଖରୀସବୁ ଶୁଖିଲା ପଡିଛି । ବାଧ୍ୟହୋଇ ରାତି ପାହିଲେ ମହିଳାମାନେ  ୧ କିମି ଦୂରରେ ଥିବା ଝରପାଣି ସଂଗ୍ରହ କରୁଛନ୍ତି ।  ଝର ପାଖକୁ ଯିବାକୁ ହେଲେ ପ୍ରାୟ ୩୦ ଫୁଟ ତଳକୁ ଓହ୍ଲାଇବାକୁ ପଡୁଛି । ପ୍ରଶାସନ ପକ୍ଷରୁ ୩୫ଟି ପାହାଚ କରାଯାଇଛି । ପଥର ସନ୍ଧିରେ ୨ଟି  ପାଇପ୍‌ ଲଗାଇ ପାଣି ସଂଗ୍ରହ କରାଯାଉଛି । ଗାଁରେ  କାହାରି ମୃତ୍ୟୁ ହେଲେ ଅନ୍ତ୍ୟେଷ୍ଟିକ୍ରିୟା ପରେ ସ୍ନାନ ଶୌଚପାଇଁ ୨ କିମି ଦୂର ସାନବାର୍ଲି ଓ ନୂଆଗୁଡା ଗାଁ ପୋଖରୀକୁ ଯିବାକୁ ପଡ଼ୁଛି । 

ଏଠାରେ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ ସ୍କୁଲ ରହିଛି । ୧୦୨ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଝର ପାଣିରେ ପିଲାଙ୍କ ମଧ୍ୟାହ୍ନଭୋଜନ  ରୋଷେଇ ହେଉଛି । କୌଣସି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଏକ  ଝରଣାରୁ ଟ୍ରାକ୍ଟରରେ ପାଣି ଆଣି କାମ କରାଯାଉଛି ।  ଟ୍ରାକ୍ଟର ପିଛା ୧୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।  ଆବଶ୍ୟକ ପଡିଲେ ପାଣି କିଣିବାକୁ ପଡୁଛି ବୋଲି  କହିଛନ୍ତି । ବହୁବାର ଜିଲ୍ଲାପ୍ରଶାସନ ଓ ରାଜନେତାଙ୍କ  ନିକଟରେ ଦାବି ହୋଇଛି । କିନ୍ତୁ ସୁଫଳ ମିଳିନି ।  ଅନ୍ୟପକ୍ଷରେ ମେଗା ପାନୀୟଜଳ ପ୍ରକଳ୍ପରେ  ଏକ ଟାଙ୍କି ନିର୍ମାଣ ହୋଇଛି । ଆଜି ପର୍ଯ୍ୟନ୍ତ  ପାଇପଲାଇନ୍‌ ବିଛାଯାଇ ନାହିଁ ।  

ଏସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ  ନିର୍ବାହୀଯନ୍ତ୍ରୀ ପ୍ରତୀପକୁମାର ରାଉତକୁ  ପଚାରିବାରୁ କହିଛନ୍ତି, ମେଗା ପାନୀୟଜଳ  ପ୍ରକଳ୍ପରେ ଗାଁକୁ ଜଳଯୋଗାଣ ଯୋଜନା  ରହିଛି । ଜାତୀୟ ରାଜପଥ ବିଭାଗ ପାଇପ୍‌  ବିଛାଇବା ଲାଗି ଅନୁମତି ଦେଉନଥିବାରୁ  ସମସ୍ୟା ଉପୁଜିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଉଦ୍ୟମ  ଜାରି ରହିଛି । ଆସନ୍ତା ଦେଢ ମାସ ମଧ୍ୟରେ  ଗାଁର ପାନୀୟଜଳ ସମସ୍ୟା ଦୂର ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.