• କଟକର ଅସ୍ମିତା ବାଇମୁଣ୍ଡିଙ୍କ ପଥରବନ୍ଧ 
  • ହଜିବାକୁ ବସିଛି ହଜାରେ ବର୍ଷର ଐତିହ୍ୟ
  • ସତୀଗୁମ୍ଫାରେ ଏବେ ବି ଦେଖିବାକୁ ମିଳୁଛି ପଥରବନ୍ଧ
  • ବାଇମୁଣ୍ଡିଙ୍କ ପ୍ରସ୍ତାବରେ ବନ୍ଧ ନିର୍ମାଣ କରିଥିଲେ ରାଜା ମର୍କତକେଶରୀ

କଟକ (ସୁକେଶ ବେହେରା): କଟକ କଥା ଉଠିଲେ ପାଟିରୁ ବାହାରିପଡ଼େ ବାଇମୁଣ୍ଡି କଥା । ଅନେକ କହନ୍ତି, କଟକ ଚିନ୍ତା ବାଇମୁଣ୍ଡିକୁ । ତେବେ କିଏ ଏଇ ବାଇମୁଣ୍ଡି ? ପ୍ରକୃତରେ ବାଇମୁଣ୍ଡିଙ୍କ ଅସ୍ତିତ୍ୱର କୌଣସି ପ୍ରମାଣ ରହିଛି କି ? ଏଭଳି ଅନେକ ପ୍ରଶ୍ନକୁ ନେଇ ତର୍କ, ତର୍ଜମା ଓ ଗବେଷଣାର ଆବଶ୍ୟକତା ଥିବାବେଳେ ବାଇମୁଣ୍ଡିଙ୍କୁ ନେଇ ଏକ ଅନାଲୋଚିତ ଇତିହାସ ଏବେ ବି କଟକ ସହରରେ ରହିଥିବା ଦେଖିବାକୁ ମିଳେ । ସତୀଚୌରା ଶ୍ମଶାନ ନିକଟସ୍ଥ ସତୀଗୁମ୍ଫାଠାରେ ମର୍କତକେଶରୀଙ୍କ ଦ୍ୱାରା ନିର୍ମିତ ବାଇମୁଣ୍ଡିଙ୍କ ପ୍ରସ୍ତାବିତ ପଥର ବନ୍ଧ ଏବେ ବି କଟକର ଐତିହ୍ୟ ଓ ଅସ୍ମିତାର ପରିଚୟ ବହନ କରୁଛି । ଯଦିଓ ଏହାର ଐତିହାସିକ ପୃଷ୍ଠଭୂମିକୁ ଯାଇ ଏହାର ସଂରକ୍ଷଣ, ସୁରକ୍ଷା ଏବଂ ପୁନରୁଦ୍ଧାର ପାଇଁ ପ୍ରଶାସନିକ ସ୍ତରରେ କେବେ ଚିନ୍ତା କରାଯାଇନାହିଁ । ରାଜା ମର୍କତକେଶରୀ ୧୦୦୧ ଖ୍ରୀଷ୍ଟାବ୍ଦରେ ଏହି ପଥର ବନ୍ଧ ତିଆରି କରିଥିବା ଇତିହାସ କହେ । କଟକର ଏହି ଅନାଲୋଚିତ ଐତିହ୍ୟ ପଛରେ ବାଇମୁଣ୍ଡିଙ୍କ ଭୂମିକାକୁ ପ୍ରଶଂସା କରାଯାଏ । କୁହାଯାଏ, ନୃପକେଶରୀଙ୍କ ରାଜତ୍ୱ କାଳରେ ବହୁତ ସୁନାମ ଅର୍ଜନ କରିଥିଲା କଟକ । ସେ ସମୟରେ ନିଜର ରାଜଧାନୀ ଯାଜପୁରରୁ ମହାନଦୀ ଓ କାଠଯୋଡ଼ି ନଦୀ ବେଷ୍ଟିତ କଟକକୁ ସ୍ଥାନାନ୍ତରିତ କରି ନୂତନ ରାଜଧାନୀ ରୂପେ ଘୋଷଣା କରିଥିଲେ ରାଜା ।

ମହାନଦୀ ଓ କାଠଯୋଡ଼ି ଅବବାହିକା ନୌବାଣିଜ୍ୟର ସଂଯୋଗ ପାଇଁ ଅନେକ ସୁବିଧା ଥିଲା । ଯେଉଁଠାରୁ ଓଡ଼ିଆମାନେ ଦରିଆ ପାରି ବୋଇତ ବାଣିଜ୍ୟ କରି ଅନେକ ସୁନାମ ଅର୍ଜନ କରିଥିଲେ । ସୋମବଂଶୀଙ୍କ ରାଜତ୍ୱ କାଳରେ ଏହି ଅବବାହିକାକୁ ବାହ୍ୟଶତ୍ରୁମାନେ ଆକ୍ରମଣ କରୁଥିଲେ । ତେଣୁ ସେହି ସମୟରେ ରାଜା ମହାନଦୀ ଓ କାଠଯୋଡ଼ି ଅବବାହିକା ଭୂଖଣ୍ଡକୁ ରକ୍ଷା କରିବାକୁ ସ୍ଥାନଟିକୁ ସୈନ୍ୟସାମନ୍ତଙ୍କ ଦ୍ୱାରା ଛାଉଣି ଅର୍ଥାତ୍ ସୈନ୍ୟଙ୍କ ଦୁର୍ଗ କରି ରକ୍ଷା କରୁଥିଲେ । ଦୁଇ ନଦୀର ଅବବାହିକାରେ ଅବସ୍ଥିତି ଯୋଗୁଁ ଏହାର ନାମ କରଣ ଥିଲା ଅଭିନବ ବାରଣାସୀ କଟକ । ଏହି ଦୁର୍ଗ ପରିପାର୍ଶ୍ବ ଅଞ୍ଚଳରେ ବିଡ଼ାନାସୀ, ବାରବାଟୀ, ରାମଗଡ଼, କେଶରପୁର, ହରିପୁର, ଶଙ୍କରପୁର, ତୁଳସୀପୁର ଗ୍ରାମବାସୀ ସବୁ ରହୁଥିଲେ । ଗ୍ରାମଗୁଡିକ ନଦୀ ଅବବାହିକାରେ ଥିବା ଯୋଗୁଁ ଏହାର ଜମିଗୁଡିକ ଅତ୍ୟନ୍ତ ଉର୍ବର ଓ କୃଷି ଉପଯୋଗୀ ଥିଲା । କିନ୍ତୁ ବର୍ଷ ବର୍ଷ ଧରି ମହାନଦୀରେ ବନ୍ୟା ଜଳ କାଠଯୋଡ଼ିରେ ଆସି କୃଷି କ୍ଷେତ୍ର, ଅନେକ ଧନ ଜୀବନ ନଷ୍ଟ ହେଉଥିଲା । କୃଷି କ୍ଷେତ୍ରଗୁଡିକ ବାଲି ଚରି ଉର୍ବରତା ହ୍ରାସ ପାଉଥିଲା । ସେହି ସମୟରେ ଗ୍ରାମ ବିଡାନାସୀରେ ଜଣେ ବୃଦ୍ଧ କୃଷକ ଥିଲେ ତାଙ୍କ ନାମ ଥିଲା ବାଇଧର ମୁଣ୍ଡି । କୁହାଯାଏ, ଦିନେ ରାଜା ମର୍କତକେଶରୀ ସହର ପରିକ୍ରମା କରୁଥିବା ବେଳେ ବାଇମୁଣ୍ଡି ହାତରେ ବଙ୍କୁଲି ବାଡ଼ି ଧରି ତାଙ୍କ ରଥର ସାମ୍ନାରେ ଛିଡ଼ା ହୋଇଗଲେ । ବିନମ୍ର ନିବେଦନ କରି ମୁଣାରେ ସଞ୍ଚିତ ମୁଦ୍ରାକୁ ରାଜାଙ୍କୁ ସମର୍ପଣ କରିଥିଲେ । ଯାହାକୁ ଦେଖି ରାଜା ଓ ରାଜକର୍ମଚାରୀମାନେ ଚକିତ ହୋଇଯାଇଥିଲେ ।

ସେହି ସମୟରେ ବାଇମୁଣ୍ଡି କହିଥିଲେ, ‘ମହାରାଜ ଏହା ମୋର ଆପଣଙ୍କ ରାଜସ୍ୱ ପାଣ୍ଠିକୁ ଦାନ । ଏହି ଅର୍ଥକୁ ବିନିଯୋଗ କରି କାଠଯୋଡି ନଦୀର ମୃତ୍ତିକା ବନ୍ଧକୁ ଏକ ପଥର ବନ୍ଧରେ ପରିବର୍ତ୍ତନ କରିବାକୁ ଅନୁରୋଧ । ଯାହା ଦ୍ୱାରା ଆପଣଙ୍କ ପ୍ରଜା, କୃଷିକ୍ଷେତ୍ର ଓ ଆମ ରାଜ୍ୟ ବର୍ଷା ଦିନରେ ବନ୍ୟା ଦାଉରୁ ରକ୍ଷା ପାଇପାରିବ ।’ ରାଜା ମର୍କତ କେଶରୀ ଭାବବିହ୍ୱଳ ହୋଇ ତାଙ୍କର ଅର୍ଥକୁ ସାଦରରେ ଗ୍ରହଣ କରିଥିଲେ । କହିଥିଲେ ‘ଧନ୍ୟ ଧନ୍ୟ ତୁମେ ବାଇମୁଣ୍ଡି ! ଧନ୍ୟ ତୁମ ଚିନ୍ତାଧାରା ।’ ବାଇମୁଣ୍ଡିଙ୍କ ପ୍ରସ୍ତାବରେ ରାଜି ହୋଇ ରାଜା ମର୍କତ କେଶରୀ କଟକ ସହରର କାଠଯୋଡି ଓ ମହାନଦୀ ତଟରେ ୧୦୦୨ ଖ୍ରୀଷ୍ଟାବ୍ଦରେ ପଥର ବନ୍ଧ ନିର୍ମାଣ କରାଇଥିଲେ । ବାସ୍ତବରେ କାଠଯୋଡି ପଥର ବନ୍ଧର ଆଦ୍ୟ ଚିନ୍ତାଧାରର ନାୟକ ଥିଲେ ବାଇଧର ମୁଣ୍ଡି ଅର୍ଥାତ ବାଇମୁଣ୍ଡି । ବାଇମୁଣ୍ଡିଙ୍କ ୧୦୦୦ବର୍ଷରୁ ଅଧିକ ପୁରାତନ ମୂଳଦୁଆ ପଥରବନ୍ଧ ଆଜି ଅନେକାଂଶରେ ନିଶ୍ଚିହ୍ନ ହୋଇଯାଇଛି । ଆଜି ରାଜା ନାହାନ୍ତି କିମ୍ୱା ବାଇମୁଣ୍ଡି ନାହାନ୍ତି, କିନ୍ତୁ ତାଙ୍କ ସୃତିରେ ରାଜାଙ୍କ ମର୍କତନଗର ଓ ବାଇମୁଣ୍ଡି ନଗର ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ-ଏସସିବି ମେଡିକାଲ୍ ମେଡିସିନ୍ ଆଇସିୟୁର ବିକଳ ଚିତ୍ର, ଛଟପଟ ହୋଇ ଖଟିଆରୁ ଖସିପଡୁଛନ୍ତି ରୋଗୀ