ଭୁବନେଶ୍ୱର,୨୪/୦୫: ତିନୋଟି ପ୍ରସଙ୍ଗରେ ଓଡ଼ିଶା-ପଶ୍ଚିମବଙ୍ଗ (ବେଙ୍ଗଲ) ଅତି ନିବିଡ଼ । ତାହା ହେଲା ଆଳୁ, ବ୍ରାଉନସୁଗର ଓ ଗୋରୁଚାଲାଣ । ଏବେ କିନ୍ତୁ ବେଙ୍ଗଲରେ ବିଜେପି ସରକାର କ୍ଷମତାସୀନ ହୋଇଛି । ଗୋରୁ ବେପାରୀଙ୍କ ଉପରେ ଆରମ୍ଭ ହୋଇଛି ପ୍ରହାର । ଏହା ଓଡ଼ିଶାର ଗୋ-ମାଫିଆଙ୍କ ମୁଣ୍ଡରେ ପକାଇଛି ଚଡ଼କ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗତ ୮ ତାରିଖରେ ବେଙ୍ଗଳର ନବନିର୍ବାଚିତ ବିଧାୟକମାନଙ୍କୁ ଉଦ୍ବୋଧନ ଦେଇ ଗୋଟିଏ କଥା ସ୍ପଷ୍ଟ କରିଥିଲେ ଯେ, ଆଉ ବେଆଇନ ଗୋରୁ ଚାଲାଣକୁ ପ୍ରଶ୍ରୟ ଦିଆଯିବନି । ତୃଣମୂଳ କଂଗ୍ରେସର ନେତାମାନେ ଗୋମାଫିଆଙ୍କୁ ସୁରକ୍ଷା ଦେଉଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଥିଲେ ।
ଗୋରୁ ଟ୍ରକକୁ ଯାଞ୍ଚ କରିବା କାମ ଅଲିଖିତ ଭାବେ ବଜରଙ୍ଗ ଦଳ କର୍ମୀଙ୍କୁ ଦିଆଯାଇଥିବା କହିଛନ୍ତି ରାଜ୍ୟର ଜଣେ ବଡ଼ ବିଜେପି ନେତା । ପଶ୍ଚିମବଙ୍ଗରେ ଗୋ-ମାଫିଆଙ୍କ ଉପରେ ହୋଇଥିବା ଏଭଳି ପ୍ରହାରର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ, ଓଡ଼ିଶାରୁ କେଇ ଦଶନ୍ଧି ଧରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶକୁ ଗୋରୁ ଚାଲାଣ ହୋଇଆସୁଛି । ଏଗୁଡ଼ିକ ଶତ ପ୍ରତିଶତ ବେଆଇନ ଭାବେ ହେଉଛି କହିଲେ ଚଳେ । ବିଶେଷ କରି ପଶ୍ଚିମବଙ୍ଗକୁ ସର୍ବାଧିକ ଗୋରୁ ଚାଲାଣ କରାଯାଇଥାଏ । ଜାତୀୟ ରାଜପଥରେ ଖୋର୍ଦ୍ଧାରୁ ବାଲେଶ୍ୱର ଜିଲ୍ଲାର ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ଲମ୍ବିଛି ଗୋ-ମାଫିଆଙ୍କ ରାକେଟ । ପୂର୍ବରୁ ଛୋଟ ଛୋଟ ଗାଡ଼ିରେ ଏହି କାରବାର ହେଉଥିବା ବେଳେ ଏବେ ବେଲଗାମ ମାଫିଆ ୧୬ ଚକିଆ, ୨୦ ଚକିଆ ଟ୍ରକରେ ମଧ୍ୟରେ ଗୋରୁ ନିଆଯାଉଛି । ଅନେକ ସ୍ଥଳରେ ସ୍ୱତନ୍ତ୍ର ଭାବେ କଣ୍ଟେନର ଏଥିପାଇଁ ନିର୍ମାଣ କରୁଛନ୍ତି ।
ଓଡ଼ିଶାରେ ଯେଉଁ ଗୋରୁ ଦାମ ୫୦ ହଜାର ଟଙ୍କା ମଧ୍ୟରେ ରହୁଛି, ତାହା ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଟ୍ରାଞ୍ଜିଟ ପଏଣ୍ଟ ଦେଇ ବାଂଲାଦେଶ ସୀମାରେ ପହଞ୍ଚିବା ବେଳକୁ ଦେଢ଼ ଲକ୍ଷ ଟଙ୍କା ହୋଇଥାଏ । ଉତ୍ତର, କେନ୍ଦ୍ର ଓ ଉପକୂଳ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ମାଫିଆଙ୍କର ଦଲାଲ୍ ନେଟୱର୍କ ରହିଛି । ଯେଉଁମାନଙ୍କ ସହାୟତାରେ ସେମାନେ ଛୋଟବଡ଼ ହାଟରୁ ଏବଂ ଚୋରମାନଙ୍କ ଠାରୁ ଗୋରୁ ସଂଗ୍ରହ କରୁଛନ୍ତି । ଚିହ୍ନଟ କରାଯାଇଛି ବିଭିନ୍ନ ଲୋଡିଙ୍ଗ ପଏଣ୍ଟ । ସେଠାରୁ ଛୋଟ ଗାଡ଼ିରେ ଗୋରୁ ବୁହାହୋଇ ରାଜପଥରେ ଅପେକ୍ଷା କରିଥିବା ବଡ଼ ଟ୍ରକ ପର୍ଯ୍ୟନ୍ତ ଅଣାଯାଉଛନ୍ତି ।
ତେବେ ଚିନ୍ତାର ବିଷୟ ଏହା ଯେ ଓଡ଼ିଶାରେ ଗୋରୁଙ୍କୁ ସୁରକ୍ଷା ଦେବ କିଏ? ମାଫିଆମାନେ ରାଜପଥ ପାଶ୍ୱର୍ ପ୍ରାୟ ପ୍ରତ୍ୟେକ ଥାନାର ପୁଲିସକୁ ବିଭିନ୍ନ ମାଧ୍ୟମରେ ପକେଟରେ ରଖିବାକୁ ସକ୍ଷମ ହୋଇଛନ୍ତି । ବିଭିନ୍ନ ସମୟରେ ଦେଖିବାକୁ ମିଳେ ପୁଲିସ କିମ୍ବା ନିର୍ଦ୍ଦିଷ୍ଟ ସଂଗଠନର କର୍ମୀମାନେ ଗୋରୁ ଟ୍ରକ ଜବତ କରୁଛନ୍ତି । ବାସ୍ତବରେ ଯେତେବେଳେ ଗୋରୁ ଚାଲାଣ ହୋଇଥାଏ, ତାହା ସଶସ୍ତ୍ର ଏସକର୍ଟ ପାର୍ଟିଙ୍କ ସୁରକ୍ଷାରେ ହୋଇଥାଏ । ପୁଲିସ ଓ ରାଜନୈତିକ କର୍ମୀ କାଁ ଭାଁ ଗୋଟିଏ ଟ୍ରକ କବଜା କରି ବାହାବା ନେଇଥାନ୍ତି । ଯଦିଓ ବୁଝାମଣା ଭିତ୍ତିରେ ଅନ୍ୟ ଗୋରୁ ବୋଝେଇ ଟ୍ରକଗୁଡ଼ିକ ଆରାମରେ ଯାଇଥାନ୍ତି । ମାଫିଆମାନଙ୍କୁ ରାଜନୈତିକ ଦଳ ଓ କିଛି ଥାନାର ପୁଲିସ ସୁରକ୍ଷା ମିଳୁଥିବାରୁ ସେମାନଙ୍କ ନେଟୱର୍କ ଧ୍ୱସ୍ତ କରିବା ଏତେ ସହଜ ନୁହେଁ ବୋଲି କୁହନ୍ତି ଜଣେ ଅବରସରପ୍ରାପ୍ତ ପୁଲିସ ଡିଜି । ଅବଶ୍ୟ ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ସବୁ ଚିତ୍ରକୁ ଓଲଟପାଲଟ କରିଦେଇଛି । ଗତ ଏକ ସପ୍ତାହ ମଧ୍ୟରେ ଲକ୍ଷ୍ମଣନାଥ ଦେଇ କିମ୍ବା ଅନ୍ୟ ଗଳାବାଟ ଦେଇ ଦୈନିକ ସୀମା ପାର୍ ହେଉଥିବା ଗୋରୁ ଟ୍ରକ ସଂଖ୍ୟା କମିବାରେ ଲାଗିଛି ।
ସୀମାରେ ସକ୍ରିୟ ଥିବା ଦଲାଲଙ୍କ ସଂଖ୍ୟା ମଧ୍ୟ କମିଛି । ପୁରୁଖା ଦଲାଲମାନେ ମୋବାଇଲ ଫୋନ୍ ସ୍ୱିଚ୍ଡ ଅଫ୍ କରୁଛନ୍ତି କିମ୍ବା ନମ୍ବର ବଦଳାଇ ଦେଉଛନ୍ତି । ପଡ଼ୋଶୀ ରାଜ୍ୟରେ ଆକ୍ରମଣ ଭୟରେ ଟ୍ରକ ଡ୍ରାଇଭରମାନେ ଗୋରୁ ନେବାକୁ ଅରାଜି ହେଲେଣି । ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଲଗାତର ଗୋରୁ ଟ୍ରକଗୁଡ଼ିକ ଆକ୍ରମଣ ଶିକାର ହେଉଛନ୍ତି । ବିଭିନ୍ନ ସ୍ଥାନରେ ଗୋରୁ ବେପାରର ଲାଇସେନ୍ସ, ଗୋରୁଙ୍କ ଜନ୍ମ ସାର୍ଟିଫିକେଟ ଓ ଫିଟନେସ ସାର୍ଟିଫିକେଟ ଦେଖାଇବାକୁ କୁହାଯାଉଛି । ତେଣୁ ଓଡ଼ିଶାରେ ବିଗତ ଦୁଇ ଦଶନ୍ଧି ଧରି ଗୋରୁ ବେପାରରୁ ବିପୁଳ ସମ୍ପତ୍ତି କରିଥିବା ଅନେକ ମାଫିଆ ଏବେ ପେଟପାଟଣାର ଟ୍ରାକ୍ ବଦଳାଇବାକୁ ଯୋଜନା କଲେଣି । ଏମିତିକି ସେମାନଙ୍କ ରାକେଟରେ ଜଡ଼ିତ ଥିବା ଯୁବଗୋଷ୍ଠୀ ଓ ଥାନା କର୍ମଚାରୀଙ୍କ ପକେଟର ଉପୁରି କମିବା ଆରମ୍ଭ ହେଲାଣି ।
ନିକଟରେ ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ହୋଇଥିବା ‘ଅପରେସନ ଗୋରକ୍ଷା’ରେ କେତେକ ମାଫିଆଙ୍କ ଘରେ ଚଢ଼ାଉ ହୋଇଥିଲା । ପ୍ରାୟ ଦେଢ଼କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା ଏବଂ ଅନେକ ଆକାଉଣ୍ଟ ଫ୍ରିଜ କରାଯାଇଥିଲା । ଏହାସତ୍ତେ୍ୱ ଗୋ-ମାଫିଆଙ୍କ ଅଣ୍ଟା ଭାଙ୍ଗି ନଥିଲା । ଅପରପକ୍ଷରେ, ଅନେକ ପୁରୁଖା ଗୋରୁ ବେପାରୀ ଏବେ ଗୋରୁ ବଦଳରେ ଗୋମାଂସ ଚାଲାଣକୁ ପସନ୍ଦ କରୁଛନ୍ତି । ଏଥିପାଇଁ ବଡ଼ ଏସି କଣ୍ଟେନରକୁ ବ୍ୟବହାର କରାଯାଉଛି । ଯାହାକି କଦବା କ୍ୱଚିତ ଯାଞ୍ଚ୍ରେ ପଡ଼ିଥାଏ । ସମସ୍ତଙ୍କ ଆଖିରେ ଧୂଳି ଦେଇ ପଶ୍ଚିମବଙ୍ଗ ଓ ଆନ୍ଧ୍ରକୁ କଣ୍ଟେନରେ ମାଂସ ଚାଲାଣ ବଢ଼ିବାରେ ଲାଗିଛି । ଗୋରୁ ବିକିଲେ, ଛୋଟଡ଼, ଗାଈ-ବଳଦ ତଥା ଓଜନ ନେଇ ଦର କମ୍ ବେଶୀ ହୋଇଥାଏ । କିନ୍ତୁ ମାଂସ କ୍ଷେତ୍ରରେ ଅଧିକ ଫାଇଦା ମିଳୁଛି । କିଲୋ ଅତି କମ୍ରେ ୩ଶହ ଟଙ୍କାରେ ବିକ୍ରି ହେଉଛି । ଏହାବାଦ୍ ଚମଡ଼ା ଗୋଟା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରାଯାଉଛି ।
୨୦୨୨ରେ ପଶ୍ଚିମବଙ୍ଗରେ ଧରାପଡ଼ିଥିବା ନେତାଗୋମାଫିଆ-ବିଏସ୍ଏଫ୍ ରାକେଟର ଅନେକ ଏବେବି ସକ୍ରିୟ ଅଛନ୍ତି । ସେମାନଙ୍କୁ କାଠଗଡ଼ାକୁ ଆଣିବାକୁ ରାଜ୍ୟ ପୁଲିସ, ସିବିଆଇ, ଇଡି ଏବଂ ସ୍ପେଶାଲ ଟାସ୍କଫୋର୍ସକୁ କାର୍ଯ୍ୟାନୁଷ୍ଠାନର ସ୍ୱାଧୀନତା ଦିଆଯାଇଛି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୧୯୫୦ ମସିହାରେ ପ୍ରଣୟନ ହୋଇଥିବା ‘ୱେଷ୍ଟବେଙ୍ଗଲ ଆନିମଲ ସ୍ଲଟର କଣ୍ଟ୍ରୋଲ ଆକ୍ଟ’କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଇନ ଅନୁସାରେ ୧୪ ବର୍ଷରୁ କମ୍ ବୟସର ଗୋରୁ,ମଇଁଷିଙ୍କୁ ସ୍ଲଟର ହାଉସ ନିଆଯାଇପାରିବନି । ଗୋରୁ, ମଇଁଷିଙ୍କୁ ମାରିବାକୁ ହେଲେ ଫିଟ୍ନେସ ସାର୍ଟିଫିକେଟ ଜରୁରି । ଏହି ସାର୍ଟିଫିକେଟ ମ୍ୟୁନିସିପାଲିଟି ଚେୟାରମ୍ୟାନ କିମ୍ବା ପଞ୍ଚାୟତ ସରପଞ୍ଚ ଓ ଜଣେ ପଶୁଡାକ୍ତର ମିଳିତ ଭାବେ ଦେବେ ।
ଆହୁରି ପଢନ୍ତୁ-ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି
ଲାଇସେନ୍ସ ନ ଥିବାରୁ ସମସ୍ତ ସ୍ଲଟର ହାଉସଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭାରତ-ବାଂଲାଦେଶ ସୀମାରେ ବେଆଇନ ଗୋରୁ ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନିଅଯାଇଛି । ରାଜ୍ୟ ସରକାରଙ୍କ ଏଭଳି କଠୋର ଆଭିମୁଖ୍ୟ ଗୋରୁ ବେପାରୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ଉଭୟ ଲାଇସେନ୍ସପ୍ରାପ୍ତ ଏବଂ ବେଆଇନ ବେପାରୀ ଏବେ ହରଡ଼ଘଣାରେ । ମୁଣ୍ଡ ଉପରେ ଇଦ୍ ଥିଲେ ମଧ୍ୟ ଅନେକ ସ୍ଲଟର ହାଉସ ବନ୍ଦ ହୋଇଯାଇଛି । ଯେଉଁସବୁ ଗୋରୁ ହାଟରେ ଦୈନିକ ୪/୫ ହଜାର ଗୋରୁ ବିକ୍ରି ହେଉଥିଲେ ସେଠାରେ ଏବେ ଶହେ ଦୁଇ ଶହ ଗୋରୁ ବିକ୍ରି ହେଉଛନ୍ତି । ପଶ୍ଚିମବଙ୍ଗର ମାଫିଆ ଏବେ ଓଡ଼ିଶାରେ ଆସି ଆଶ୍ରୟ ନେଇଥିବା ଦେଖିବାକୁ ମିଳୁଛି । ବାଲେଶ୍ୱର ଜିଲ୍ଲାର ରାଇବଣିଆ ଥାନା ଅଞ୍ଚଳରେ କେତେକ ମାଫିଆ ଆଡ୍ଡା ଜମାଇଛନ୍ତି ।