ମୁମ୍ବାଇ, ୯।୬: ବାଲାସାହେବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ଗଜାନନ କୀର୍ତ୍ତିକର । ଠାକରେଙ୍କ ସମ୍ପର୍କୀୟ ଭାଇ ଉଦ୍ଧବ ଏବଂ ରାଜଙ୍କ ସମେତ ଏକନାଥ ସିନ୍ଦେଙ୍କୁ ଏକତ୍ର ହୋଇ ଅଖଣ୍ଡ ଶିବସେନା ଗଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି । ୮୧ ବର୍ଷୀୟ କୀର୍ତ୍ତିକର ଚାରି ଥର ବିଧାୟକ, ଦୁଇ ଥର ସାଂସଦ ଏବଂ ପୂର୍ବତନ ମହାରାଷ୍ଟ୍ରର ବିଧାୟକ ରହିସାରିଛନ୍ତି । ସ୍ୱର୍ଗତ ବାଲାସାହେବଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଶିବସେନାରେ ଯୋଗ ଦେଇଥିଲେ ଏବଂ ପରେ ସ୍ଥାନୀୟ ଲୋକାଧିକାର ସମିତି ପ୍ରତିଷ୍ଠା କରିଥିଲେ । ଯାହା ଶିବସେନାର ଏକ ମୋର୍ଚ୍ଚା । ଏହି ସମିତି ଭୂମିପୁତ୍ରମାନଙ୍କ ପାଇଁ କାମ କରେ ।
କିର୍ତ୍ତିକର କହିଛନ୍ତି, ଆମେ ଏକତାର ସହ ଠିଆ ହୋଇଛୁ, ଦଳ ବିଭାଜିତ ହେଲେ ଆମେ ଭାଙ୍ଗି ପଡ଼ିବୁ । କିର୍ତ୍ତିକର ନେତୃତ୍ୱ ନେବାକୁ ଏବଂ ଅଖଣ୍ଡ ଶିବସେନାକୁ ଏକ ନୂଆ ରୂପ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସେ ଆହୁରି କହିଛନ୍ତି, ଏ ବିଷୟରେ କହିବା ଏବଂ ନେତୃତ୍ୱ ନେବାର ମୋର ଅଧିକାର ଅଛି । ରାଜ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ପୂର୍ବରୁ ଉଦ୍ଧବ ଏବଂ ରାଜଙ୍କ ଏକାଠି ହେବାର ସମ୍ଭାବନା ଉପରେ ଉଠିଥିବା ପ୍ରଶ୍ନର ଉତ୍ତରରେ କିର୍ତ୍ତିକର ଏଭଳି ପ୍ରତିକ୍ରିୟା ରଖିଛନ୍ତି । କିର୍ତ୍ତିକର କହିଛନ୍ତି, ମହାରାଷ୍ଟ୍ରର ଲୋକ ଚାହୁଁଛନ୍ତି ଯେ ଉଦ୍ଧବ ଏବଂ ରାଜ, ତାଙ୍କ ପୁଅ ଆଦିତ୍ୟ ଏବଂ ଅମିତଙ୍କୁ ଏକାଠି ହୋଇଯାନ୍ତୁ । ଶିବସେନା ପ୍ରମୁଖ ନେତା ଏକନାଥ ସିନ୍ଦେଙ୍କୁ ମଧ୍ୟ ଠାକରେଙ୍କ ସହ ହାତ ମିଳାଇବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି, ବାଲାସାହେବଙ୍କ ଆଦର୍ଶକୁ ରକ୍ଷା କରିବା ଲାଗି ସିନ୍ଦେ ଉଦ୍ଧବଙ୍କୁ ଛାଡ଼ିଥିଲେ । ସେ ଏବେ ବିଜେପି ସହିତ ଅଛନ୍ତି, ଯାହା ମହାୟୁତି-ଏନ୍ଡିଏ ମେଣ୍ଟର ନେତୃତ୍ୱ ନେଉଛି । ଅନ୍ୟପକ୍ଷେ ଉଦ୍ଧବ କଂଗ୍ରେସ ଏବଂ ମହା ବିକାଶ ଅଗାଡ଼ି ସହିତ ଅଛନ୍ତି । ପ୍ରଥମେ ଉଦ୍ଧବ ଏନଡିଏର ଅଂଶ ଥିଲେ, କିନ୍ତୁ ଏବେ ଏହା ଇଣ୍ଡିଆ ବ୍ଲକ୍ର ଅଂଶ । ଉଦ୍ଧବ ଏବଂ ରାଜଙ୍କ ସମ୍ପର୍କ ଭାଙ୍ଗିବା ପରେ କିର୍ତ୍ତିକର ଦୁଃଖିତ ଥିବା କହିଛନ୍ତି ।
ବାଲାସାହେବ ନିଜେ ଏହା ଚାହୁଁଥିଲେ ବୋଲି ସେ କହିଛନ୍ତି । କୀର୍ତ୍ତିକର ଉଦ୍ଧବ ଏବଂ ରାଜ୍ଙ୍କ ମତକୁ ସ୍ୱାଗତ କରିଥିଲେ । ସେ କହିଥିଲେ, ମୁଁ ଉଦ୍ଧବ ଏବଂ ରାଜଙ୍କ ପଦକ୍ଷେପକୁ ସ୍ୱାଗତ କରୁଛି । କିନ୍ତୁ, ଶିବସେନାକୁ ପୁନରୁଦ୍ଧାର କରିବା ପାଇଁ ସିନ୍ଦେଙ୍କୁ ଏକାଠି ହେବାକୁ ପଡ଼ିବ । ରାଜନୈତିକ ମେଣ୍ଟ ବିଷୟରେ ପଚରାଯିବାରୁ ସେ କହିଲେ ଯେ, ପ୍ରଥମେ ସେମାନଙ୍କୁ ଏକାଠି ହେବାକୁ ପଡ଼ିବ । ଯାହା ପରେ ଅନ୍ୟମାନେ ମଧ୍ୟ ତାଙ୍କୁ ଦେଖି ଅନୁକରଣ କରିବେ । ରାଷ୍ଟ୍ରୀୟ ଦଳ ଶିବସେନାକୁ ବିଭାଜିତ କରିବାକୁ ଚାହୁଁଛି, କିନ୍ତୁ ରାଷ୍ଟ୍ରୀୟ ଦଳକୁ ସବୁବେଳେ ଶିବସେନାର ସାହାଯ୍ୟ ଆବଶ୍ୟକ ହେବ ବୋଲି ସେ କହିଛନ୍ତି ।