ବାଲେଶ୍ୱର ବସ୍ଷ୍ଟାଣ୍ଡ-ଫୁଲାଡ଼ି ରାସ୍ତା ହେବ ୪ ଲେନ୍, ୩୯.୩୨ କୋଟି ଟଙ୍କା ମଞ୍ଜୁର

ବାଲେଶ୍ୱର,୨୭/୧୧: ବାଲେଶ୍ୱର ବସ୍ଷ୍ଟାଣ୍ଡରୁ ଫୁଲାଡ଼ି ଭାୟା ନୁଣିଆଯୋଡ଼ି ରାସ୍ତା ହେବ ନବୀକରଣ । ଜଳ ନିଷ୍କାସନର ସୁବ୍ୟବସ୍ଥା ସହ ଚାରି ଲେନ୍ ବିଶିଷ୍ଟ ରାସ୍ତା କରାଯିବ । ଏଥିପାଇଁ ୩୯ କୋଟି ୩୨ ଲକ୍ଷ ୭୩ ହଜାର ଟଙ୍କା ଖର୍ଚ୍ଚ କରାଯିବ । ଖୁବ୍ ଶୀଘ୍ର ଏନେଇ ଟେଣ୍ଡର ପ୍ରକାଶ ପାଇବ ।
ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ୱାର୍କସ୍ ଡିପାର୍ଟମେଣ୍ଟ ପକ୍ଷରୁ ଏନେଇ ଗତ ୧୭ ତାରିଖରେ ଚିଠି କରାଯାଇଛି । ୫ ନମ୍ବର ଜାତୀୟ ରାଜପଥରୁ ବାଲେଶ୍ୱରକୁ ସଂଯୁକ୍ତ ରାସ୍ତା ଚାରି ଲେନ୍ ବିଶିଷ୍ଟ ହେବ । ଏଥିରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଇଛି । ସାଧାରଣତଃ ବର୍ଷାଦିନେ ବର୍ଷାଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିବାରୁ ବାଲେଶ୍ୱର ସହର ସମେତ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୁଏ । ଏହାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବାଲେଶ୍ୱର ସଦର, ରେମୁଣା ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏନେଇ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ କହିବା କଥା³ ପ୍ରାୟ ବର୍ଷକ ତଳେ ବର୍ଷାଦିନେ ହରିପୁର ପଞ୍ଚାୟତର ଗୋଶାଳା, ବେଗୁନିଆ ଯାଇଥିଲି । ସେଠାରେ ଜଳ ନିଷ୍କାସନ ସମସ୍ୟା ଥିଲା । ଏନେଇ ତତ୍କାଳୀନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲି । ସେ ଡ୍ରେଜେନ ବିଭାଗ, ଇରିଗେସନ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରାଇ ଦେଇଥିଲେ। ବାଲେଶ୍ୱର ସହର ପାଣି ସେହି ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି କରିଥିବାରୁ ଏନେଇ ପିଡବ୍ଲ୍ୟୁଡି ସହ ଆଲୋଚନା କରିଥିଲି । ରାସ୍ତାକୁ ପ୍ରଶସ୍ତୀକରଣ ସହ ଡ୍ରେନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲି । ସେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଇଥିଲେ । ତାହା ସ୍ୱୀକୃତି ମିଳିଛି ବୋଲି ସେ କହିଛନ୍ତି ।