କଟକ,୨୦/୦୯: କଟକ ଐତିହାସିକ ବାଲିଯାତ୍ରା-୨୦୨୫କୁ କେବଳ ତଳ ପଡ଼ିଆରେ ଆୟୋଜନ କରିବାର  ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦାନା  ବାନ୍ଧୁଛି। ଉପର ପଡ଼ିଆକୁ ବାଲିଯାତ୍ରା ନକ୍ସାରୁ ହଟାଇବାକୁ ସହରବାସୀ ଗ୍ରହଣ କରୁ ନଥିବା ବେଳେ ଏ ବାବଦରେ  ପ୍ରଶାସନ ଓ ରାଜ୍ୟ ସରକାର ପୁନଃବିଚାର କରନ୍ତୁ ବୋଲି  ଦାବି କରାଯାଉଛି । ଗୁରୁବାର ଦିନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏ ବାବଦରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିବା ବେଳେ  ଶୁକ୍ରବାର କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି  ମିଳିତ ଭାବେ ଏହାର ପ୍ରତିବାଦ କରିବାକୁ ନିଷ୍ପତ୍ତି  ନେଇଛନ୍ତି । ଉପରପଡ଼ିଆରେ ବି ବାଲିଯାତ୍ରା ହେଉ ବୋଲି ରାଜ୍ୟ ସରକାରଙ୍କୁ ଦାବି ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଯିବ ଏବଂ  ଆବଶ୍ୟକ ସ୍ଥଳେ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି  ସହରବାସୀଙ୍କ ଉଦ୍ଦେଶ୍ୟରେ ସମୂହ ଦାବି ରଖିବେ ।  

ବାଲିଯାତ୍ରାକୁ କେବଳ ତଳ ପଡ଼ିଆରେ ସୀମିତ ରଖିବା ନେଇ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ଭବିଷ୍ୟତରେ ମେଳାର ଅସ୍ଥିତ୍ୱକୁ ସଙ୍କଟରେ ପକାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏ ବାବଦରେ କଟକ ସହରବାସୀଙ୍କ ପ୍ରତିକ୍ରିୟା ନେବାକୁ  ଚେଷ୍ଟା କରାଯାଇନାହିଁ ।

ପୂର୍ବରୁ ବାଲିଯାତ୍ରା ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ, ଉପର ପଡ଼ିଆକୁ ବାଲିଯାତ୍ରା  ନକ୍ସାରୁ ବାଦ୍‌ ଦେବା ବାବଦରେ  ପ୍ରଶାସନ ତରଫରୁ କଟକର  କିଛି ଜନପ୍ରତିନିଧିଙ୍କ ମତାମତ  ମଗାଯାଇଥିଲା । କିନ୍ତୁ କେହି ଏ  ବାବଦରେ କିଛି ପ୍ରସ୍ତାବ ଦେଇ  ନଥିବାରୁ ଆମେ କେବଳ ତଳ  ପଡ଼ିଆରେ ବାଲିଯାତ୍ରା ଆୟୋଜନ  କରିବାକୁ ନିଷ୍ପତ୍ତି ନେଇଥିଲୁ ।  ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି  ଯେ,ପ୍ରଶାସନ ତରଫରୁ ଜନପ୍ରତିନିଧିଙ୍କୁ କେବଳ  ମୋହରା କରି ତାଙ୍କୁ ଏଥିରେ ସମ୍ପୃକ୍ତ କରାଯାଇଥିଲା ।  କେବଳ ଜନପ୍ରତିନିଧି କାହିଁକି ପ୍ରଶାସନ କଟକ ସହରର  ବୁଦ୍ଧିଜୀବୀ, ଅନୁଷ୍ଠାନ, ସଂଗଠନ, ସାମାଜିକକର୍ମୀଙ୍କ  ପ୍ରସ୍ତାବ ମଧ୍ୟ ନିଆଯିବା ଜରୁରି ଥିଲା । କିନ୍ତୁ ସେଭଳି  କୌଣସି ଉଦ୍ୟମ ଆୟୋଜକ ଜିଲ୍ଲା ପ୍ରଶାସନ ପକ୍ଷରୁ  କରାଯାଇ ନଥିବାରୁ ଅସନ୍ତୋଷ ଦାନା ବାନ୍ଧିଛି ।

ଏ ବାବଦରେ କଟକ ମହାନଗର ପୂଜା କମିଟିର  ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ  କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଉପର  ପଡ଼ିଆ ହେଉଛି ବାଲିଯାତ୍ରାର ସ୍ମାରକୀ । ଏହାକୁ ଛାଡ଼ି  ବାଲିଯାତ୍ରା କଥା ଚିନ୍ତା କରାଯାଇ ନ ପାରେ । ଏହା ଭୁଲ୍‌  ହେବ ଯଦି ପ୍ରଶାସନ କେବଳ ତଳ ପଡ଼ିଆରେ କରିବାକୁ  ଚାହୁଁଛି । କିଛି ନ ହେଲେ ବି ଉଠା ଦୋକାନୀଙ୍କୁ ଉପର  ପଡ଼ିଆରେ ବସିବାକୁ ସୁଯୋଗ ଦେଲେ ପରମ୍ପରା ବଜାୟ  ରହିବ ବୋଲି ଶ୍ରୀ ତ୍ରିପାଠୀ ମତ ରଖିଛନ୍ତି । ଏ ବାବଦରେ  ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ  ଖୁବ୍‌ ଶୀଘ୍ର ନିବେଦନ କରାଯିବ ।

ଅନ୍ୟପକ୍ଷରେ  ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି,  ବାଲିଯାତ୍ରା ଉପର ପଡ଼ିଆ ଯୋଗୁଁ ଲୋକପ୍ରିୟତା  ହାସଲ କରିଥିଲା । ପରେ ଏହାକୁ ତଳ ପଡ଼ିଆକୁ  ନିଆଯାଇଥିଲା । ଏବେ ଉପର ପଡ଼ିଆକୁ ବାଲିଯାତ୍ରା  ନକ୍ସାରୁ ବାଦ୍‌ ଦେବା ଉଚିତ୍‌ ନୁହେଁ । ଏ ସହରର  ଇତିହାସ ବାଲିଯାତ୍ରା ସହ ଜଡ଼ିତ ରହିଛି । ତେଣୁ  ଜିଲ୍ଲା ପ୍ରଶାସନ ଯାହା ଯୋଜନା କରୁଛି ତାହା ଠିକ୍‌  ନୁହେଁ । ଭାଇଚାରା ସହରରେ ଏତେ ଅନ୍ୟାୟ କରିବା  ଶୋଭନୀୟ ହେଉନାହିଁ । ବାରବାଟୀ-କଟକ ବିଧାୟିକା  ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ଜିଲ୍ଲା ପ୍ରଶାସନ କୌଣସି  ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଅନ୍ତତଃପକ୍ଷେ କଟକ  ସହରବାସୀ କ’ଣ ଚାହୁଛନ୍ତି ସେମାନଙ୍କ ମତାମତ  ଲୋଡ଼ିବା ଦରକାର । ମନଇଚ୍ଛା ଉପର ପଡ଼ିଆକୁ  ବାଦ୍‌ ଦେଲେ ଚଳିବନାହିଁ । ଲୋକ, ବ୍ୟବସାୟୀ ଏବଂ  ବାଲିଯାତ୍ରା ସହ ଜଡ଼ିତ ସମସ୍ତ ଅଂଶିଦାରଙ୍କ ମତାମତ  ଜିଲ୍ଲା ପ୍ରଶାସନ ନେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତୁ।