ଜଗତସିଂହପୁର, ୧୮।୨: ମାଳମାଳ ଇଟାଭାଟି ତଥା ଇଟା କାରଖାନା ବାଲିକୁଦାର ପରିବେଶକୁ ପ୍ରଦୂଷିତ କରିଛି । ଗତ ୧୦ ତାରିଖ ସୁଦ୍ଧା ସ୍ଥାନୀୟ ତହସିଲ ପ୍ରଶାସନ ଏଭଳି ବେଆଇନ ଇଟାଭାଟି କରିଥିବା ୩୦ ଜଣଙ୍କୁ ସ୍କାନର୍କୁ ନେଇଛନ୍ତି । ପ୍ରାୟ ସମସ୍ତ ଇଟାଭାଟିରେ ୧୦ ହଜାରରୁ ଆରମ୍ଭ କରି ୧୫ ହଜାର, ୨୦ ହଜାର, ୨୫ ହଜାର, ୩୦ ହଜାର, ୩୫ ହଜାର ପର୍ଯ୍ୟନ୍ତ ଇଟା ପ୍ରସ୍ତୁତ କରାଯାଇଥିବା ତହସିଲ ପ୍ରଶାସନ ତରଫରୁ ଜାରି ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ସଂପ୍ରତ୍ତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ଜମିରେ ବେଆଇନ ଇଟାଭାଟି ରହିଥିବାର ଅଭିଯୋଗ ପାଇ ପ୍ରଶାସନ ପକ୍ଷରୁ ତନାଘନା ଜାରି ରଖାଯାଇଛି । ତା’ ଛଡ଼ା ଇଟାଭାଟି ଦ୍ୱାରା ପରିବେଶ ପ୍ରଦୂଷିତ, ସରକାରଙ୍କ ରାଜସ୍ୱ ହାନୀ, ଚାଷ ଜମିରେ ଇଟାଭାଟି ସୃଷ୍ଟି କରାଯାଉଥିବାରୁ ଫସଲ ଉତ୍ପାଦନ ହ୍ରାସ ସର୍ବୋପରି ମାଟି ଓ ବାଲି ଲୁଟ୍ ହେଉଥିବାର ଗନ୍ଧ ବାରି ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କେତେକ ଇଟା କାରଖାନା ତଥା ଇଟାଭାଟିକୁ ନଷ୍ଟ କରି ଦିଆଯାଇଛି ।
ଏହା ବି ପଢ଼ନ୍ତୁ... ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ, ଗୁଣ୍ଡିଚା ଓ ବାହୁଡ଼ା ପାଇଁ ପୃଥକ ଚାରମାଳ
ଏହାସତ୍ତ୍ୱେ ଏବେ ବି କେତେକ ଅଞ୍ଚଳରେ ବେଆଇନ ଇଟାଭାଟି କାର୍ଯ୍ୟକ୍ଷମ ରହିଛି । ଯାହାକୁ ତହସିଲ ପ୍ରଶାସନ ଜାଣି ବା ଅଜଣାର ଅଭିନୟ କରି ଘଣ୍ଟ ଘୋଡ଼ାଉଥିବା ସାଧାରଣରେ ଚର୍ଚ୍ଚା କରାଯାଉଛି । କାରଣ ବର୍ତ୍ତମାନ ଜଗତସିଂହପୁର ବ୍ଲକ ମଧୁସୂଦନପୁର ଶାସନ ପଞ୍ଚାୟତସ୍ଥିତ ଏକ ବିଦ୍ୟାଳୟର ପଛ ପଟେ ବେଆଇନ ଇଟାଭାଟି ଲଦା ଚାଲିଥିବାର ଫଟୋ ସାମ୍ନାକୁ ଆସିଛି । ବହୁ ବର୍ଷ ଧରି ଏଠାରେ ଇଟାଭାଟି ପୋଡ଼ା ଚାଲିଥିବା ଅଭିଯୋଗ ହୋଇଛି । ତଥାପି ଜିଲ୍ଲା ପ୍ରଶାସନ ବେଆଇନ ଇଟାଭାଟି ଚିହ୍ନଟ ଅଭିଯାନକୁ ବଳବତ୍ତର ରଖିବା ଭିତରେ କେବଳ ବାଲିକୁଦା ତହସିଲ ଅଞ୍ଚଳର ୩୦ଟି ସ୍ଥାନରେ ଇଟାଭାଟି ରହିଥିବା ସ୍କାନର୍କୁ ଆସିଛି । ହସ୍ତଗତ ସୂଚନା ମୁତାବକ, ବଡ଼ାଗର ମୌଜାରେ ବସନ୍ତ ସ୍ୱାଇଁ, ଇଚ୍ଛାପୁରରେ କନବାଳା ମଲ୍ଲିକ, ସୁବାସ ସାହୁ, ବୋରିକିନାରେ ବସନ୍ତ ସ୍ୱାଇଁ, ବଡ଼ରୋଡ଼ଙ୍ଗରେ ବସନ୍ତ କୁମାର ଦାସ, ଶରତ କୁମାର ଦାସ, ଓଳାସରେ ସୁବ୍ରତ ମହାନ୍ତି, ଅଶୋକ ଜେନା, ମିଞ୍ଜାପଡ଼ାରେ ଜ୍ଞାନେନ୍ଦ୍ର ଶତପଥୀ, ଅପଣ୍ଡରାରେ ପୁରୁଷୋତ୍ତମ ମହାନ୍ତି, ବିହାରୀ ମହାନ୍ତି, ଅଲିକଣାରେ ଶିବ ପ୍ରସାଦ ସ୍ୱାଇଁ, ରମାକାନ୍ତ ସ୍ୱାଇଁ, ଜୟନ୍ତ କୁମାର ପରିଜା, ଚଅଁରପୁରରେ ବାବୁ ଭୋଇ, ଖାଙ୍କରପୁରରେ ରାଜେଶ ନନ୍ଦ, ଅରିଲୋରେ ପ୍ରବୀର ସ୍ୱାଇଁ, ଭାରିଓଦାରେ ସୁଦର୍ଶନ ସ୍ୱାଇଁ, କୈଳାସ ନାୟକ, ଶାଳିଜଙ୍ଗାରେ ରବୀନ୍ଦ୍ର ସାହୁ, ତଳକୁସୁମାରେ ବିଚିତ୍ର ନନ୍ଦ, ଅସରଣାରେ ସୁବାସ ଚନ୍ଦ୍ର ବରାଳ, ତାଳଗାଁରେ ସଞ୍ଜୟ ସ୍ୱାଇଁ, ବାରବାଟିଆରେ ରଞ୍ଜନ ମୁଦୁଲି, ଦଶବାଟିଆରେ କୁନାଲ ସ୍ୱାଇଁ, ଶ୍ରୀବନ୍ତପୁରରେ ଯଦୁମଣି ସ୍ୱାଇଁ, ହାପିନା ଜେନା, ବ୍ରଜବନ୍ଧୁ ରାଉତ, ସାନ୍ତରାପୁରରେ ଦୀପକ ପ୍ରଧାନ, କୁଳିଆଗାଁରେ ଶରତ ଲେଙ୍କା ଓ ନୂଆଗାଁ ମୌଜାରେ ଶିବ ପରିଡ଼ା ବେଆଇନ ଭାବେ ଇଟା ପ୍ରସ୍ତୁତ ତଥା ଇଟାଭାଟି ଗଢିଥିବା ବାଲିକୁଦା ତହସିଲ ତରଫରୁ ଚିହ୍ନଟ କରାଯାଇଛି ।
ଅପରପକ୍ଷେ ଦେଖିଲେ ଜିଲ୍ଲାର କିଛି ତହସିଲ କର୍ତ୍ତୃପକ୍ଷ ବେଆଇନ ଇଟାଭାଟି ଗୁଡ଼ିକ କେଉଁ କିସମ ଜମି ଉପରେ ନିର୍ମାଣ କରାଯାଇଛି, ତାହା ସରକାରୀ ନା ବେସରକାରୀ, ମାଟି ଗଚ୍ଛିତ ଅଛି ନା ନାହିଁ ସେ ସମ୍ବନ୍ଧରେ ଟିକିନିଖି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଅଥଚ ବାଲିକୁଦା ତହସିଲ ପ୍ରଶାସନ କେବଳ ମୌଜା, ଖାତା ନମ୍ବର, ପ୍ଲଟ୍ ନମ୍ବର ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ନାମକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । କେତେକ ସ୍ଥଳେ ପ୍ଲଟ୍ ଓ ଖାତା ନମ୍ବରକୁ ଦର୍ଶାଯାଇ ନାହିଁ । ଅର୍ଥାତ ବେଆଇନ ଇଟାଭାଟିର ଛାନ୍ ଉପର ଠାଉରିଆ କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ଏଣେ ଜିଲ୍ଲାରେ ବେଆଇନ ଇଟାଭାଟି ସଂଖ୍ୟା ଶତାଧିକ ପାର କରିଯାଇଥିବା ଉଚ୍ଛେଦ ଅଭିଯାନ ଏକପ୍ରକାର ମାନ୍ଦା ଧରିଛି । ଏମିତିକି ଅଗ୍ରାଧିକାର ଭିତ୍ତିରେ ସରକାରୀ ଜମିରେ ଗଢି ଉଠିଥିବା ବେଆଇନ ଇଟାଭାଟିକୁ ଭଙ୍ଗା ଯାଉନଥିବା ଅଭିଯୋଗ ହେଉଛି । ଏଥିସହିତ ସରକାରୀ ନିୟମକୁ ଦଳି ମକଚି ଜଗତସିଂହପୁର ତହସିଲର ବୀରବରପାଟଣାରେ ଦୁଇ ଜଣ ବ୍ୟକ୍ତି ବେଆଇନ ଇଟା କାରଖାନା ଚଳାଇଥିବା ନେଇ ଖୋଦ୍ ତହସିଲ କର୍ତ୍ତୃପକ୍ଷ ଜାଣିବା ସତ୍ତ୍ୱେ ଅଦ୍ୟାବଧି ସେଭଳି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଉଥିବା ମନେ ହେଉନାହିଁ ।