ଭୁବନେଶ୍ୱର, ୧୮।୨: ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକରେ ଶୃଙ୍ଖଳିତା ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତୁତ ରଥଯାତ୍ରା ମାଷ୍ଟର ପ୍ଲାନ୍ ୨୦୨୬କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଆଗାମୀ ଜୁଲାଇ ୧୬ ତାରିଖରେ, ବାହୁଡ଼ା ଯାତ୍ରା ଜୁଲାଇ ୨୪, ସୁନାବେଶ ଜୁଲାଇ ୨୫ ଏବଂ ନୀଳାଦ୍ରି ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅକ୍ଷୟ ତୃତୀୟା, ସ୍ନାନଯାତ୍ରା ଆଦି ନୀତି ରହିଛି । ରଥ ନିର୍ମାଣ ଲାଗି ରଥ କାଠ ସୁବିଧା କରାଯାଇଛି । ରଥଯାତ୍ରା ପରିପ୍ରେକ୍ଷୀରେ ଆବଶ୍ୟକ ରଥ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଏବଂ ରଥଯାତ୍ରା ନେଇ ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ ।
ଏହା ବି ପଢ଼ନ୍ତୁ... ମାନବ କଳିରୁ ଦେବ ସମ୍ପର୍କରେ ଉଠିଛି ପାଚେରି, ଦେବନୀତି ସମ୍ପନ୍ନ କରାଇବାକୁ ପ୍ରଶାସନ ଉଦ୍ୟମ ଜାରି
ପୂର୍ବ ବର୍ଷର ଅନୁଭୂତି ଦୃଷ୍ଟିରୁ ଉଭୟ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପାଇଁ ୨ଟି ଅଲଗା ଅଲଗା ଚାରମାଳ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ବୈଠକରେ ରଥଟଣା ଠିକ୍ ସମୟରେ ଆରମ୍ଭ ହେବା ପାଇଁ ଶ୍ରୀଜିଉଙ୍କ ନୀତି ନିର୍ଦ୍ଧାରିତ ସମୟରେ ସରିବା ଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ଜନଗହଳି ନିୟନ୍ତ୍ରଣ, ପୁରୀ ଓ ପାରିପାର୍ଶ୍ୱିକ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଜରୁରିକାଳୀନ ସେବା, ପରିମଳ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଜନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରଥଯାତ୍ରାର ବହୁ ପୂର୍ବରୁ ବଡ଼ଦାଣ୍ଡ ସମେତ ଉତ୍ତରା ଛକରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଯଥେଷ୍ଟ ସଂଖ୍ୟକ ସିସିଟିଭି ଖଞ୍ଜିବାକୁ ଡିଜିପି ବ୍ୟବସ୍ଥା କରିବା ଲାଗି ବୈଠକରେ ପରାମର୍ଶ ଦେଇଥିଲେ । ଓକାକ୍ ସହାୟତାରେ ଏଥିପାଇଁ ବ୍ୟବସ୍ଥା କରାଯିବାକୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦେଇ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବଡ଼ଦାଣ୍ଡରେ ଲୋକମାନଙ୍କୁ ପହଣ୍ଡି ଓ ନୀତି ସଂପର୍କିତ ସୂଚନା ଓ ରଥଯାତ୍ରାର ଧାରା ବିବରଣୀ ସୂଚନା ହେବା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ୭୦ଟି ସ୍ଥାନରେ ଏଲଇଡି ଟିଭି ଲଗାଇବାକୁ ଅନୁରୋଧ କରାଯାଇଛି ।
ଭାରତୀୟ ରେଳପଥ ତରଫରୁ ପୁରୀ ଷ୍ଟେସନରେ ସୁବିଧାରେ ଟିକେଟ କାଉଣ୍ଟର ପରିଚାଳନା ଓ ଏକାଧିକ ସ୍ଥାନରେ ଟିକେଟ ଉପଲବ୍ଧ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଏବଂ ଅନ୍ଲାଇନ୍ ଟିକେଟ୍ ଉପଲବ୍ଧ ନେଇ ଆଲୋଚନା କରାଯାଇଥିଲା । ଜନଗହଳି ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ବଡ଼ଦାଣ୍ଡକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ୫୦ଟି ହାଇମାଷ୍ଟ ଲାଇଟ୍ ଲାଗିବା ବ୍ୟବସ୍ଥା କରାଯିବ । ଅତ୍ୟଧିକ ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଏବଂ ଅଗ୍ନିଶମ ବିଭାଗ ସହ ଆଲୋଚନା ହୋଇଛି । ନଗର ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ସମନ୍ୱୟରେ ମଧ୍ୟ ଅସ୍ଥାୟୀ ପାର୍କିଂ ସ୍ଥଳଗୁଡ଼ିକ ସୁବ୍ୟବସ୍ଥିତ କରିବାକୁ ଆଲୋଚନା କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସରିବ । ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯୀକରଣ କାର୍ଯ୍ୟ ଏବେ ଜାରି ରହିଛି । ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ କୁମାର ପାଢ଼ୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୁଲିସ ଡିଜିପି ୱାଇବି ଖୁରାନିଆ, ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ରମୋହନ ସାମଲଙ୍କ ସମେତ ସମ୍ପୃକ୍ତ ଅନ୍ୟ ବିଭାଗ ଓ ସଂସ୍ଥାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।