ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍‌ ଉପସ୍ଥାପନା କରିଛନ୍ତି। ଏଥିରେ ମଧ୍ୟବିତ୍ତଙ୍କୁ (ମିଡିଲ କ୍ଲାସ) ବଡ଼ ଉପହାର ସ୍ୱରୂପ ୧୨ ଲକ୍ଷ ଯାଏ ଆୟ ଉପରେ ଇନକମ୍‌ ଟ୍ୟାକ୍ସ ଜିରୋ କରିବା ଭଳି ବଡ଼ ଘୋଷଣା ହୋଇଛି। ବଜେଟ୍‌ ୨୦୨୫ରେ କଂଗ୍ରେସ ସାଂସଦ ତଥା ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି। ସେ ବଜେଟ୍‌କୁ ନାପସନ୍ଦ କରି କହିଛନ୍ତି ଏହା ଗୁଳିର କ୍ଷତରେ ବ୍ୟାଣ୍ଡ ଏଡ୍‌ ଲଗାଇବା ଭଳି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ,ଗୁଳିର କ୍ଷତରେ ବ୍ୟାଣ୍ଡ ଏଡ୍‌। ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ , ଆମର ଆର୍ଥିକ ସଙ୍କଟକୁ ସମାଧାନ କରିବା ପାଇଁ ବଡ଼ ପରିବର୍ତ୍ତନର ଆବଶ୍ୟକତା ଥିଲା। କିନ୍ତୁ ଏହି ସରକାର ବିଚାରର ମାମଲାରେ ଦେବାଳିଆ ହୋଇ ସାରିଛନ୍ତି।

ଅନ୍ୟପଟେ , କଂଗ୍ରେସ କେନ୍ଦ୍ରୀୟ ବଜେଟ୍‌ରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବିକାଶର ୪ଟି ଇଞ୍ଜିନର କଥା କୁହାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି ଏବଂ କହିଛନ୍ତି, ଏତେ ଇଞ୍ଜିନ ହୋଇଗଲା ଯେ, ବଜେଟ୍‌ ସଂପୂର୍ଣ୍ଣ ରୂପେ ଟ୍ରାକ୍‌ରୁ ହିଁ ଖସି ଗଲା। ସୀତାରମଣ ଶନିବାର ନିଜର ବଜେଟ୍‌ ଭାଷଣରେ କହିଛନ୍ତି , କୃଷି , ଏମଏସଏମଇ ( ସୂକ୍ଷ୍ମ, ମଧ୍ୟମ ଓ ଲଘୁ ଉଦ୍ୟୋଗ ) , ନିବେଶ ଓ ରପ୍ତାନୀ , ବିକାଶର ୪ଟି ଶକ୍ତିଶାଳୀ ଇଞ୍ଜିନ୍‌ ରହିଛି।

କଂଗ୍ରେସର ମହାସଚିବ ଓ ସଞ୍ଚାର ପ୍ରଭାରୀ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି , ଅର୍ଥମନ୍ତ୍ରୀ ୪ଟି ଇଞ୍ଜିନର କଥା କହିଛନ୍ତି – କୃଷି, ଏମଏସଏମଇ, ନିବେଶ ଓ ରପ୍ତାନୀ। ଏତେ ସବୁ ଇଞ୍ଜିନ ଅଛି କି, ବଜେଟ୍‌ ସଂପୂର୍ଣ୍ଣ ରୂପେ ଟ୍ରାକ୍‌ରୁ ବାହାରି ଯାଇଛି। 


ବିରୋଧୀର ସଦସ୍ୟମାନେ ଲୋକସଭାରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ବଜେଟ୍‌ ଭାଷଣ ପଢାଯିବା ପରେ କିଛି ସମୟ ପାଇଁ ଗୃହରେ ଏହି ଦାବି କରି ବାହାରି ଥିଲେ କି, କୁମ୍ଭ ଦଳଚକଟା ବିଷୟରେ ସରକାରଙ୍କୁ ବୟାନ ଦେବା ଉଚିତ୍‌। ଲୋକସଭାର ବୈଠକ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ୨୯ଜାନୁଆରୀରେ ହୋଇଥିବା ଦଳଚକଟାକୁ ନେଇ ନାରାବାଜି ଆରମ୍ଭ କରି ଦେଲେ , ଯେଉଁଥିରେ ୩୦ ଲୋକଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ନାରାବାଜି ମଧ୍ୟରେ ନିଜର ବଜେଟ୍‌ ଭାଷଣ ପଢିବା ଆରମ୍ଭ କରି ଥିଲେ । ନାରାବାଜି ପାଖାପାଖି ପାଞ୍ଚମିନିଟ୍‌ ଯାଏ ଚାଲିଲା , ଯାହା ପରେ ବିରୋଧୀ ସଦସ୍ୟ ଗୃହରୁ ଚାଲି ଯାଇ ଥିଲେ । ହେଲେ କିଛି ସମୟ ପରେ ସମସ୍ତେ ଗୃହକୁ ଫେରି ଆସିଥିଲେ। ଏହିମଧ୍ୟରେ ଅର୍ଥମନ୍ତ୍ରୀ ନିଜର ବଜେଟ୍‌ ଭାଷଣ ଜାରି ରଖି ଥିଲେ।