ନୂଆଦିଲ୍ଲୀ; ୮/୧ : ବାଂଲାଦେଶ କ୍ରିକେଟ ବୋର୍ଡର ଦାବି ଶୁଣିଲାନି ICC, ପୁଣିଥରେ ଚିଠି ଲେଖିଲା ବାଂଲାଦେଶ । ଟି-୨୦ ବିଶ୍ବକପରେ ଭେନ୍ୟୁ ପରିବର୍ତ୍ତନ ପାଇଁ ଦାବିକୁ ଦୋହରାଇଛି । ଭାରତ ବଦଳରେ ଶ୍ରୀଲଙ୍କାରେ ଖେଳିବା ପାଇଁ ଦାବି କରିଛି । ଭାରତରେ ଆମ ଖେଳାଳିମାନେ ସୁରକ୍ଷିତ ରହିପାରିବେ ନାହିଁ ବୋଲି ପୁନର୍ବାର ଦର୍ଶାଯାଇଛି । ଭାରତରେ ୪ଟି ମ୍ୟାଚ ଖେଳିବ କୋଲକାତାରେ ତିନୋଟି ଏବଂ ମୁମ୍ବାଇରେ ଗୋଟିଏ ମ୍ୟାଚ ରହିଛି । ତେବେ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଯାଇ ଚିଠି ଲେଖାଯାଇଛି ।

ସେପଟେ ବିସିସିଆଇର ଜଣେ ଅଧିକାରୀ ନିଜର ନାମକୁ ଗୋପନ ରଖି ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ବାଲାଂଦେଶ ବୋର୍ଡର ଗୋଟିଏ ଗୋଷ୍ଠୀ ଏହି ଦାବିକୁ ସମର୍ଥନ କରିଥିବାବେଳେ ଆଉ ଏକ ଗୋଷ୍ଠି ଏହାକୁ ବିରୋଧ କରୁଛନ୍ତି । ସେମାନେ ଆଇସିସି ଏବଂ ବିସିସିଆଇ ସହ କଥା ମଧ୍ୟ ହୋଇଛନ୍ତି । ସେମାନେ ଭାରତରେ ଖେଳିବା ପାଇଁ ମଧ୍ୟ ରାଜିଥିବା ଜଣାଇଛନ୍ତି । ଏହାକୁ ନେଇ ଅଯଥାରେ ରାଜନୀତି କରାଯାଉଥିବା ସେମାନେ ଜଣାଇଛନ୍ତି ।

କାହିଁକି ଭାରତ ଆସିବାକୁ ମନା କରୁଛି ବାଂଲାଦେଶ ?

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ୧୧ ଜଣରୁ ଅଧିକ ହିନ୍ଦୁଙ୍କୁ ବାଂଲାଦେଶରେ ହତ୍ୟା କରାଯାଇଛି । ଯାହାର ବିରୋଧ ଭାରତରେ ଦେଖିବାକୁ ମିଳିଛି । ଆଇପିଏଲରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ କେକେଆର ୯.୨ କୋଟି ଟଙ୍କାରେ କିଣିଥିଲା । ତେବେ ତାଙ୍କୁ ଆଇପିଏଲ ବାଦ ଦେବାକୁ ଦାବି ହୋଇଥିଲା । ଏହାକୁ ନେଇ ଶାହାରୁଖ ଖାନଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି ତାଙ୍କୁ ଦେଶଦ୍ରୋହୀ କହି ସମାଲୋଚନା କରାଯାଇଥିଲା । ବହୁ ଚାପ ପରେ ବିସିସିଆଇର ନିର୍ଦେ୍ଶ ପରେ ତାଙ୍କୁ ରିଲିଜ୍ କରିଥିଲା କେକେଆର । ଆଉ ଏହାପରେ ମୁସ୍ତାଫିଜୁରଙ୍କ ସପକ୍ଷରେ ତାଙ୍କ ବୋର୍ଡ ବାହାରିଥିଲା । ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ଭେନ୍ୟୁ ବଦଳାଇବାକୁ ICC କୁ ଚିଠି ଲେଖିଥିଲା । ମାତ୍ର ଏହାକୁ ଖାରଜ କରି ଦେଇଥିଲା ICC । ନିରାଶ ହୋଇଥିବା ବାଂଲାଦେଶ ପୁଣିଥରେ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ବଦଳାଇବା ପାଇଁ ଚିଠିରେ ଦୋହରାଇଛି ।