ଢାକା,୦୧/୦୧:  ବାଂଲାଦେଶୀ ଛାତ୍ର ନେତା ଉସ୍‌ମାନ ହାଦିଙ୍କ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ମୋଡ଼ ଆସିଛି । ମୁଖ୍ୟ ଅଭିଯୁକ୍ତ ଫୈସଲ କରିମ ମସୁଦ୍ ସାର୍ବଜନିକ ରୂପରେ ହତ୍ୟାରେ ସଂପୃକ୍ତିକୁ ଖଣ୍ଡନ କରିଛି । ଏକ ଭିଡିଓ ଜରିଆରେ ସେ ଦୁବାଇରେ ଥିବା ନେଇ ଦାବି କରିଛି । ସେହିପରି ଦେଶର ଏକ ଚରମପନ୍ଥୀ ରାଜନୈତିକ ଗୋଷ୍ଠୀ ହାଦିଙ୍କ ହତ୍ୟା ପଛରେ ଥିବା ମସୁଦ୍ ଅଭିଯୋଗ ଆଣିଛି ।

ସୋସିଆଲ୍ ଭାଇରାଲ୍ ହେଉଥିବା ଭିଡିଓରେ ମସୁଦ୍ କହିଛି ଯେ, ହାଦିଙ୍କ ହତ୍ୟାକାଣ୍ଡ ସହ ତାର କୌଣସି ସଂପୃକ୍ତି ନାହିଁ । ଗୁଳିମାଡ଼ ପୂର୍ବରୁ ସେ ହାଦିଙ୍କ ଅଫିସ୍ ଯାଇଥିବା କଥା ସତ । ତାହା କିନ୍ତୁ ସଂପୂର୍ଣ୍ଣ ବ୍ୟାବସାୟିକ ଗସ୍ତ ଥିଲା । ସେ ଜଣେ ବ୍ୟବସାୟୀ । ତାର ଏକ ଆଇଟି ଫାର୍ମ ରହିଛି । ପୂର୍ବରୁ ଅର୍ଥ ମନ୍ତ୍ରଣାଳୟରେ ସେ କାମ କରିଥିଲା । ଏକ ଚାକିରି ସୁଯୋଗ ଲାଗି ସେ ହାଦିଙ୍କ ନିକଟକୁ ଯାଇଥିଲା । ହାଦି ତାକୁ ଚାକିରି ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେବା ସହ ପ୍ରତିବଦଳରେ ଆଡଭାନ୍ସ ଟଙ୍କା ମାଗିଥିଲେ । ହାଦିଙ୍କୁ ସେଥିଲାଗି ସେ ୫ ଲକ୍ଷ ବାଂଲାଦେଶୀ ମୁଦ୍ରା ପଇଠ କରିଥିଲା । ଏଭଳି ସ୍ଥଳରେ ସେ ଏବଂ ତାର ସାନଭାଇ ବିରୋଧରେ ହାଦିଙ୍କୁ ହତ୍ୟା ଲାଗି ଯେଉଁ ଅଭିଯୋଗ ଅଣାଯାଉଛି ତାହା ସଂପୂର୍ଣ୍ଣ ମିଛ । ଏହି ମିଥ୍ୟା ଅଭିଯୋଗ ଯୋଗୁ ସେ ଦେଶ ଛାଡ଼ି ଦୁବାଇ ଯିବାକୁ ବାଧ୍ୟ ହୋଇଛି । ତାର ପରିବାରକୁ ଫସାଯାଇଛି । କୌଣସି ପ୍ରକାର ଭୁଲ୍ ନଥାଇ ସେମାନେ ନିର୍ଯାତିତ ହେଉଛନ୍ତି । ଏଥିସହ ଭିଡିଓରେ ହାଦିଙ୍କ ହତ୍ୟା ଲାଗି ଜମାତକୁ ଦାୟୀ କରିଛି ମସୁଦ୍ ।

ବାଂଲାଦେଶରେ ଶେଖ୍ ହସିନାଙ୍କ ବିରୋଧୀ ଛାତ୍ର ନେତା ଶରିଫ୍ ଉସମାନ୍ ହାଦିଙ୍କୁ ଡିସେମ୍ବର ୧୨ରେ ଢାକାରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରିଥିଲେ । ୬ ଦିନ ପରେ ସିଙ୍ଗାପୁରର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ବାଂଲାଦେଶ ପୁଲିସ ଏହି ମାମଲାରେ ହାଦିଙ୍କ ହତ୍ୟାର ଦୁଇ ଅଭିଯୁକ୍ତ ଫୈସଲ କରିମ୍ ମସୁଦ୍ ଏବଂ ଆଲମଗୀର ଶେଖ୍ ଦେଶ ଛାଡ଼ି ମେଘାଳୟ ସୀମା ଦେଇ ଭାରତକୁ ପଳାଇଥିବା ଦାବି କରିଥିଲା । ତେବେ ଭାରତ ସେହି ଅଭିଯୋଗକୁ ଖଣ୍ଡନ କରିଥିଲା ।