ନୂଆଦିଲ୍ଲୀ : ଶେଖ ହାସିନାଙ୍କୁ ନେଇ ଭାରତ ସରକାରଙ୍କୁ ଚିଠି ଲେଖିଲେ ବାଂଲାଦେଶର ଅନ୍ତରୀଣ ସରକାର। ବାଂଲାଦେଶର ବହୁଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରି ଭାରତକୁ ଚିଠି ଲେଖିଛନ୍ତି ବାଂଲାଦେଶର ମହମ୍ମଦ ୟୁନୁସଙ୍କ ସରକାର । ଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT-BD) ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛି।

ବାଂଲାଦେଶର ସରକାରୀ ସମ୍ବାଦ ସଂସ୍ଥା (BSS) ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୋସେନଙ୍କୁ ଉଦ୍ଧୃତ କରି କହିଛି ଯେ, "ଏହି ଚିଠି ଗତ ଶୁକ୍ରବାର ପଠାଯାଇଥିଲା।" ଉଲ୍ଲେଖନୀୟ ଯେ ନଭେମ୍ବର ୧୭ ତାରିଖରେ, ମାନବତା ବିରୋଧୀ ଅପରାଧ ପାଇଁ ICT ଶେଖ ହାସିନା ଏବଂ ତତ୍କାଳୀନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା।

ମାମଲାର ତୃତୀୟ ଅଭିଯୁକ୍ତ ପୂର୍ବତନ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା। ସେ କୋର୍ଟକୁ ଏହି ମାମଲାରେ ତାଙ୍କୁ ସରକାରୀ ସାକ୍ଷୀ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ସାକ୍ଷ୍ୟ ଉପରେ ହିଁ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଗତ ବର୍ଷ ଅଗଷ୍ଟ ୫ ତାରିଖରେ ହସିନାଙ୍କ ଆୱାମୀ ଲିଗ୍ ସରକାରର ପତନ ଘଟିଥିଲା । ଜୁଲାଇ ବିଦ୍ରୋହ" ନାମରେ ନାମିତ ହିଂସାତ୍ମକ ଛାତ୍ର-ନେତୃତ୍ୱାଧୀନ ପ୍ରତିବାଦ ପରେ ହସିନାଙ୍କୁ ଗାଦିଚ୍ୟୁତ ହେବାକୁ ପଡିଥିଲା । ଏହା ପରେ, ନୋବେଲ ପୁରସ୍କାର ବିଜେତା ୟୁନୁସ୍ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ୱ ଗ୍ରହଣ କଲେ।