ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସମ୍ପର୍କ ତିକ୍ତ ହେବାରେ ଲାଗିଛି , ଆଉ ଏହି ସମୟରେ ଢାକା ଦ୍ରୁତ ଗତିରେ ଏହାର ସାମରିକ କ୍ଷମତାକୁ ସୁଦୃଢ଼ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର, ତୁର୍କୀ ମୁହାଁ ହୋଇଛି। ତା ଠାରୁ ସିରିଟ୍ ଲେଜର-ଗାଇଡେଡ୍ ମିସାଇଲ୍ କିଣିବାକୁ ନିଷ୍ପତ୍ତି ନେଇଛି। ଏହି ସ୍ମାର୍ଟ ମିସାଇଲ୍, ଯାହା ପୂର୍ବରୁ ବାଂଲାଦେଶର ଡ୍ରୋନ୍ ଓ ଆଗାମୀ ଆକ୍ରମଣକାରୀ ହେଲିକପ୍ଟରରେ ସଂଯୁକ୍ତ ଅଛି, ଏହା ଆଧୁନିକ ଯୁଦ୍ଧରେ ସଠିକ୍ ଆକ୍ରମଣ ପାଇଁ କ୍ଷମତା ବୃଦ୍ଧି କରିବ। ବାସ୍ତବିକ କଥା ହେଲା , ଶେଖ ହାସିନାଙ୍କ କାର୍ଯ୍ୟକାଳ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ବାଂଲାଦେଶ-ପାକିସ୍ତାନ ସମ୍ପର୍କ ମଜବୁତ ହୋଇଛି। ପାକିସ୍ତାନ ପୂର୍ବରୁ ହିଁ ତୁର୍କୀ ଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର କ୍ରୟ କରୁଛି। 

ଉଲ୍ଲେଖନୀୟ ଯେ, ବାଂଲାଦେଶ ପୂର୍ବରୁ ତୁର୍କୀ ଠାରୁ ବାୟରାକଟାର ଟିବି-୨ ଡ୍ରୋନ କିଣି ସାରିଛି, ଯାହାର ବ୍ୟବହାର ଭାରତୀୟ ସୀମା ଉପରେ ନଜର ରଖିବା ପାଇଁ ବ୍ୟବହୃତ ହେଉଛି। ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ମନ୍ତ୍ରଣାଳୟର ଟେଣ୍ଡର ପ୍ରକ୍ରିୟା ସତ୍ତ୍ୱେ ତୁର୍କୀର ସିରିଟ୍ ମିସାଇଲ ସିଷ୍ଟମକୁ ଚୟନ କରାଯିବାର ସମ୍ଭାବନା ରହିଛି। ତୁର୍କୀର କମ୍ପାନୀ ରୋକେତ୍ସନ ଦ୍ୱାରା ନିର୍ମିତ ଏହି ମିସାଇଲ ସଠିକ୍ ମୂଲ୍ୟର ,ଏହାକୁ ଆକ୍ରମଣ ହେଲିକପ୍ଟରରେ ମଧ୍ୟ ଲଗା ଯାଇ ପାରିବ। ଏହା ସ୍ଥିର ଓ ଗତିଶୀଳ ଲକ୍ଷ୍ୟସ୍ଥଳକୁ ନଷ୍ଟ କରି ପାରିବ।

ଏବେ ପ୍ରଶ୍ନ ହେଉଛି, ଏହି ସିରିଟ୍ ମିସାଇଲ ଭାରତ ଉପରେ କି ପ୍ରଭାବ ପକାଇ ପାରେ ? ମୂଳତଃ, ଏହି କ୍ଷେପଣାସ୍ତ୍ର ରକେଟ୍ ଏବଂ ଗାଇଡେଡ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ ମଧ୍ୟରେ ସେତୁ ସ୍ଥାପନ କରିଥାଏ। ନିର୍ମାତାଙ୍କ ଅନୁସାରେ, ଏହାକୁ ବିଭିନ୍ନ ପ୍ଲାଟଫର୍ମରେ ସହଜରେ ନିୟୋଜିତ କରାଯାଇ ପାରିବ। ବାଂଲାଦେଶୀ ପ୍ରତିରକ୍ଷା ଅଧିକାରୀମାନେ ବିଶ୍ଵାସ କରନ୍ତି ଯେ ,ଏହା ଦେଶର ସାମରିକ ଆବଶ୍ୟ ଆବଶ୍ୟକତା ପାଇଁ ଆଦର୍ଶ ସାଜିବ।ଏହାକୁ ଡ୍ରୋନ୍ ଏବଂ ଆକ୍ରମଣ ହେଲିକପ୍ଟରରେ ପରୀକ୍ଷଣ କରାଯାଇଛି। ଏହି ମିସାଇଲ ଦ୍ୱାରା ବାଂଲାଦେଶର ବାୟୁସେନା ଭାରତ ନିକଟବର୍ତ୍ତୀ ଚିଟାଗଙ୍ଗ ପାର୍ବତ୍ୟ ଅଞ୍ଚଳରେ ଶତ୍ରୁର ସ୍ଥିତିକୁ ଟାର୍ଗେଟ କରି ପାରିବ।