ନୂଆଦିଲ୍ଲୀ, ୮।୧: ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନଙ୍କୁ KKRରୁ ବହିଷ୍କାର ପ୍ରତିବାଦରେ ବାଂଲାଦେଶର ବଡ଼ ନିଷ୍ପତ୍ତି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି । କିନ୍ତୁ, ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ଦିଲ୍ଲୀ, ଅଗରତାଲା, ମୁମ୍ବାଇ, ଗୌହାଟି ଏବଂ ଚେନ୍ନାଇରେ ଥିବା ଏହାର ଦୂତାବାସ ଏବଂ କନସୁଲେଟକୁ ସାଧାରଣ ଭିସା ସେବାକୁ ସ୍ଥଗିତ ରଖିବାକୁ ବାଂଲାଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାର ପ୍ରତିଫଳନ ।
କହିରଖୁଛୁ ଯେ, ଭାରତ ବାଂଲାଦେଶ ପୂର୍ବରୁ ଏହାର ଭିସା ସେବାକୁ ସ୍ଥଗିତ ରଖିଥିଲା, ଯାହା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରହିବ । ଶେଖ୍ ହାସିନା ବିରୋଧୀ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ହିଂସା ଏବଂ ଉତ୍ତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀମାନେ ଭାରତ ବିରୋଧୀ ସ୍ଲୋଗାନ ଦେବା ସହ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ଆରମ୍ଭ କରିଛନ୍ତି । ଆନ୍ଦୋଳନକାରୀମାନେ ଭାରତୀୟ ଦୂତାବାସ ଏବଂ ହାଇକମିଶନ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଥିଲେ, ଯାହା ଫଳରେ ଭାରତ ଚିଟାଗଙ୍ଗରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC) ବନ୍ଦ କରିଦେଇଥିଲା ଏବଂ ଏହାର ଭିସା ସେବାକୁ ସ୍ଥଗିତ କରିଥିଲା ।
ବାଂଲାଦେଶର ଏଭଳି ନିଷ୍ପତ୍ତି ପଛରେ କାରଣ କ’ଣ ?
ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି । ୧୮ ଦିନରେ ୬ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନଙ୍କୁ କେକେଆରର୍ରୁ ବହିଷ୍କାର କରିଥିଲା । ଯାହାର ପ୍ରତିବାଦରେ ବାଂଲାଦେଶ ଭାରତକୁ ଭିସା ସେବା ସ୍ଥଗିତ କରିଛି ଏଥିସହ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ମଧ୍ୟ ମନା କରିଛି ।
ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା:
ଶେଖ୍ ହାସିନାଙ୍କ ସରକାରର ପତନ ପରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ବାଂଲାଦେଶରୁ ପଳାୟନ କରିଥିବା ଶେଖ୍ ହାସିନାଙ୍କୁ ଭାରତ ଆଶ୍ରୟ ଦେଇଛି । ବାଂଲାଦେଶ ଏହାର ପ୍ରତିବାଦ କରି ହାସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆବେଦନ କରିଛି । ଏହି ସମୟରେ, ଉସମାନ ହାଦିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଆନ୍ଦୋଳନକାରୀଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ସମ୍ପର୍କକୁ ଆହୁରି ଖରାପ କରିଛି ।